ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଜେପି ତାର ଅସ୍ତ୍ରକୁ ସେହି ପରିମାଣରେ ତୀକ୍ଷ୍ଣ କରିବା ଆରମ୍ଭ କରିଛି। ବିଜେଡିର କିଛି ନେତାଙ୍କୁ ବିଜେପିରେ ସାମିଲ୍ କରିବା ପାଇଁ ଭିତିରିଆ ଗୋଟି ଚାଳନା କରାଯାଉଛି।
୨୦୧୯ ନିର୍ବାଚନ ରଣକୌଶଳକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏବେ ନୂଆ ରୂପ ଦିଆଯାଉଛି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦଳର ମନ୍ତ୍ର ହେଉଛି ବିରୋଧୀ ଦଳର ହାତରେ ଥିବା ରାଜ୍ୟ ଗୁଡ଼ିକୁ ଗୋଟିକ ପରେ ଗୋଟିଏ କବ୍ଜା କରିବା। ଏହି ଲକ୍ଷ୍ୟ ନେଇ ଅମିତ ଶାହା ଓଡ଼ିଶାର ୧୨୦ଟି ବିଧାନସଭା ଆସନ ପାଇଁ କ’ଣ କରିବାକୁ ଯାଉଛନ୍ତି ସେ ସମ୍ପର୍କରେ କିଛି ଇଙ୍ଗିତ ମିଳୁଛି।
ବର୍ତ୍ତମାନ ବିଜେପିର କାମ ହେଉଛି ବିଜେଡିର କିଛି ତୁଙ୍ଗ ନେତାଙ୍କୁ ନିଜ ଆଡ଼କୁ ଟାଣିବା। ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଜେପି ତାର ଅସ୍ତ୍ରକୁ ସେହି ପରିମାଣରେ ତୀକ୍ଷ୍ଣ କରିବା ଆରମ୍ଭ କରିଛି। ବିଜେଡିର କିଛି ନେତାଙ୍କୁ ବିଜେପିରେ ସାମିଲ୍ କରିବା ପାଇଁ ଭିତିରିଆ ଗୋଟି ଚାଳନା କରାଯାଉଛି।
ବିଜେଡିରୁ ନିଲମ୍ବିତ ହୋଇଥିବା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବେ ପୂରା ବଜେପି ମୁହାଁ। ଖାଲି ପଣ୍ଡା ନୁହନ୍ତି ଶାସକ ବିଜେଡିର ଆହୁରି ଅନେକ ନେତାଙ୍କୁ ଟାର୍ଗେଟ କରାଯାଇଥିବା ଚର୍ଚ୍ଚା ହେଉଛି। ଏଥିଭିତରୁ କିଛି ସାଂସଦ ଅଛନ୍ତି ଯେଉଁମାନଙ୍କ ସହ କଥାବାର୍ତ୍ତା ଢେର ଆଗେଇଥିବା ବିଜେପି ଶିବିରରୁ ଜଣାପଡ଼ିଛି। ଅମିତ ଶାହାଙ୍କର ଜଣେ ଅତି ନିକଟତମ ସହଯୋଗୀଙ୍କ କହିବା ଅନୁଯାୟୀ ବିଜେଡିର ଦୁଇ ଜଣ ଲୋକସଭା ସାଂସଦ ଯେଉଁମାନେ ଦିଲ୍ଲୀ ମହଲରେ ବେଶ୍ ପରିଚିତ ସେମାନେ ପ୍ରଥମେ ବିଜେପିରେ ଯୋଗ ଦେବେ। କିନ୍ତୁ ହଠାତ ନୁହେଁ, ଆଉ କିଛି ମାସ ପରେ ଏମାନଙ୍କୁ ଆନୁଷ୍ଠାନିକ ଭାବେ ଦଳରେ ସାମିଲ୍ କରାଯିବ।
ବର୍ତ୍ତମାନ ଦଳର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ କଂଗ୍ରେସ ଓ ବିଜେଡିର ବହୁ ନେତା ଓ କର୍ମୀଙ୍କୁ ଦଳ ଭିତରକୁ ଆଣିବା, ଯାହାଫଳରେ କି ନିର୍ବାଚନ ପୂର୍ବରୁ ତଳ ସ୍ତରରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରାଯାଇପାରିବ।
ଅମିତ ଶାହାଙ୍କ ଲକ୍ଷ୍ୟ ହେଉଛି ୧୨୦ଟି ବିଧାନସଭା ଆସନ। ପଞ୍ଚାୟତ ନିର୍ବାଚନରେ ଦଳକୁ ଯେଉଁ ସଫଳତା ମିଳିଥିଲା ତାହାକୁ ଦୃଷ୍ଟିରେ ରଖି ବଜେପି ତାର ସମ୍ପ୍ରସାରଣକୁ ଅଧିକ ଫଳପ୍ରଦ କରିବା ପାଇଁ ଚାହୁଁଛି। ଆଗାମୀ ଦିନରେ ଏହି ସମ୍ପ୍ରସାରଣ ଜୋର ଧରିବ।
ବଜେପି ସାଙ୍ଗେ ସାଙ୍ଗେ ବିଜେଡି କିମ୍ବା କଂଗ୍ରେସର କୌଣସି ବଡ଼ ନେତାଙ୍କୁ ଦଳରେ ନେବ ନାହିଁ। ଚୂଡ଼ାନ୍ତ କଥାବାର୍ତ୍ତା ସାରି ସେମାନଙ୍କୁ ଅପେକ୍ଷା କରିବାକୁ କୁହାଯିବ। ସେହି ନେତାମାନଙ୍କ ସମର୍ଥକଙ୍କୁ ଦଳର ସଭ୍ୟ ଭାବରେ ପ୍ରଥମେ ଗ୍ରହଣ କରାଯିବ। ଅମିତ ଶାହା ଆଶା କରୁଛନ୍ତି ଯେ ଆଗାମୀ କିଛି ମାସ ଭିତରେ ବିଜେଡିର ବହୁ ନେତା ଦଳ ଛାଡ଼ି ବଜେପିରେ ଯୋଗ ଦେବେ। ଶୁଣିବାକୁ ମିଳୁଛି ଯେ ଶାସକ ଦଳର ବହୁ ନେତା ଅମିତ ଶାହାଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ଅନ୍ୟ କିଛି ନେତାଙ୍କ କଥା ଫଇସଲା ହୋଇସାରିଛି।
୨୦୧୪ ନିର୍ବାଚନରେ ବଜେପି ଯେଉଁ ସବୁ ଉତ୍ତର ଭାରତ ରାଜ୍ୟରେ ଖୁବ୍ ଭଲ ପ୍ରଦର୍ଶନ କରିଥିଲା ଏଥର ସେହି ସବୁ ରାଜ୍ୟରେ ଫଳ ଏତେ ଉତ୍ସାହଜନକ ହେବ ନାହିଁ ବୋଲି ଦଳ ପକ୍ଷରୁ ଆକଳନ କରାଯାଇଛି। ଏଣୁ ସେହି କ୍ଷତିକୁ ଭରଣା କରିବା ପାଇଁ ଓଡ଼ିଶା ଭଳି ରାଜ୍ୟ ଉପରେ ବଜେପି ତାର ଦୃଷ୍ଟି ନିବଦ୍ଧ କରିଛି।








ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଜେପି ତାର ଅସ୍ତ୍ରକୁ ସେହି ପରିମାଣରେ ତୀକ୍ଷ୍ଣ କରିବା ଆରମ୍ଭ କରିଛି। ବିଜେଡିର କିଛି ନେତାଙ୍କୁ ବିଜେପିରେ ସାମିଲ୍ କରିବା ପାଇଁ ଭିତିରିଆ ଗୋଟି ଚାଳନା କରାଯାଉଛି।





