ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟରେ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କୁ ମିଳିଛି ସାମାନ୍ୟ ଆଶ୍ଵସ୍ତି।

ସୁନ୍ଦରଗଡର କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ କେ ସିକ୍ରି ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଯୋଗେଶଙ୍କ ସଭ୍ୟପଦ ରଦ୍ଦ ଉପରେ ଅନ୍ତରୀଣ ସ୍ଥଗିତାଦେଶ ରଖିଛନ୍ତି।

ଏଣିକି ଯୋଗେଶ ବିଧାନସଭା ଅଧିବେଶନରେ ଭାଗ ନେଇପାରିବେ। କିନ୍ତୁ ବିଧାୟକ ଭାବେ ଯୋଗେଶ ସିଂ କୌଣସି ଭୋଟଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ନାହିଁ।

ସୁନ୍ଦରଗଡ ସଂରକ୍ଷିତ ଆସନରୁ ଯୋଗେଶ ସିଂ ବିଧାୟକ ଅଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ସେ ଜାଲ ଜାତିଗତ ପ୍ରମାଣପତ୍ର ଦେଇଥିଲେ ବୋଲି ଅଭିଯୋଗ ଆଣି ବିଜେପି ପ୍ରାର୍ଥୀ ସହଦେବ ଖାଖା ଓ ଅନ୍ୟ ଜଣେ ଭୋଟର ଅଜୟ ପଟେଲ ତାଙ୍କ ବିରୋଧରେ ପୃଥକ୍‌ ପୃଥକ୍‌ ମାମଲା ଦାଏର କରିଥିଲେ। ସମସ୍ତ ପକ୍ଷଙ୍କ ଯୁକ୍ତି ଓ ପ୍ରମାଣପତ୍ରକୁ ଅନୁଧ୍ୟାନ କରିବା ପରେ ମିଥ୍ୟା ସତ୍ୟାପାଠ ଦର୍ଶାଇ ଜାନୁଆରୀ ୩୦ ତାରିଖରେ ହାଇକୋର୍ଟ ଯୋଗେଶ ସିଂଙ୍କ ସଭ୍ୟ ପଦକୁ ରଦ୍ଦ କରିଦେଇଥିଲେ। ରାୟ ବିରୋଧରେ ଯୋଗେଶ ସୁପ୍ରିମକୋର୍ଟ ଯାଇଥିଲେ।

ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ଖବର ମିଳିବା ପରେ ଯୋଗେଶଙ୍କ ସମର୍ଥକମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି।

Comment