ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ଭାରତୀୟ ଭାବେ ଶୀତକାଳୀନ କ୍ରୀଡ଼ାରେ ୬ ଥର ଭାଗ ନେଇଥିବା ଶିବ ଦୁଇ ଦଶନ୍ଧିର ଅନ୍ତର୍ଜାତୀୟ କ୍ରୀଡ଼ା ସଂଗ୍ରାମରୁ ଅବ୍ୟାହିତ ନେଇଛନ୍ତି।

ଶୀତକାଳୀନ ଅଲିମ୍ପିକ୍ସରେ ୬ ଥର ଅଂଶଗ୍ରହଣ କରିଥିବା ଶିବ କେଶବନ୍‌ଙ୍କ ପଦକ ସ୍ୱପ୍ନ ଅଧୁରା ରହିଛି। ମାତ୍ର ୧୬ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିଥିବା ଶିବ ପିଙ୍ଗଚାଙ୍ଗ୍‌ ଶୀତକାଳୀନ ଅଲିମ୍ପିକ୍ସରେ ୩୪ ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।

ପିଙ୍ଗଚାଙ୍ଗ୍‌ ଅଲିମ୍ପିକ୍ସ ଶେଷ ଅଲିମ୍ପିକ୍ସ ହେବ ବୋଲି ପୂର୍ବରୁ ଘୋଷଣା କରିଥିବା ପ୍ରଥମ ଭାରତୀୟ ଶୀତକାଳୀନ କ୍ରୀଡ଼ା ପଦକ ବିଜେତା ଶିବ ଦୁଇ ଦଶନ୍ଧିର ଅନ୍ତର୍ଜାତୀୟ କ୍ରୀଡ଼ା ସଂଗ୍ରାମରୁ ଅବ୍ୟହିତ ନେଇଥିଲେ।
ସୌନ୍ଦର୍ଯ୍ୟ ଭରା ଏବଂ ଥଣ୍ଡା ପରିବେଶ (ହିମାଚଳ ପ୍ରଦେଶର ମନାଲିର ଭାଶିସ୍ତ ଗ୍ରାମ)ରେ ବଢ଼ିଥିବା ଶିବ ଶୀତକାଳୀନ କ୍ରୀଡ଼ାରେ ଦେଶ ପାଇଁ ବହୁ କୀର୍ତ୍ତିମାନ ଆଣିଥିଲେ।

ମାତ୍ର ୧୪ ବର୍ଷ ବୟସରେ ଶିବ କନିଷ୍ଠ ଜାତୀୟ ସ୍କି ବିଜେତା ହୋଇଥିଲେ। ଏହାର ଗୋଟିଏ ବର୍ଷ ପରେ ଶିବ ପଢ଼ୁଥିବା ବିଦ୍ୟାଳୟରେ ବିଶ୍ୱ ପ୍ରତିଯୋଗିତା ଲାଗି ଏକ ଶିବିର ଆୟୋଜିତ ହୋଇଥିଲା। ଗୁଣ ଚିହ୍ନେ ଗୁଣିଆ ଭଳି ଅନ୍ତର୍ଜାତୀୟ ଲୁଗ୍‌ ମହାସଂଘର ମୁଖ୍ୟ ପ୍ରଶିକ୍ଷକ ଗୁନ୍ଥର ଲିମରର ଏହିଠାରେ ତାଙ୍କ ପ୍ରତିଭାକୁ ଚିହ୍ନି ନେଇଥିଲେ। ଶିବଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଖେଳେଇବା ଲାଗି ସୁଯୋଗ ଦେଇଥିଲେ। ଉଦୀୟମାନ ତାରକା ଭାବେ ତାଙ୍କ ନାମ ଅଲିମ୍ପିକ୍ସ ପାଇଁ ଘୋଷଣା କରାଯାଇଥିଲା।

ମାତ୍ର ୧୬ ବର୍ଷ ବୟସରେ ୧୯୯୮ ନାଗାନୋ ଅଲିମ୍ପିକ୍ସରେ ପଦାର୍ପଣ କରିବାର ସେ ସୁଯୋଗ ପାଇଗଲେ ଏବଂ ୬ ଅଲିମ୍ପିକ୍ସ ଅଂଶଗ୍ରହଣ କରିବାର ଶ୍ରେୟ ପାଇଲେ। ଏତେ ଥର ଅଲିମ୍ପିକ୍ସରେ ଖେଳିଥିଲେ ମଧ୍ୟ ତାଙ୍କର ପଦକ ଜିତିବା ସ୍ୱପ୍ନ ଅଧୁରା ରହିଗଲା।

ଏସୀୟ ପ୍ରତିଯୋଗିତାରେ ଦ୍ରୁତତମ ଲୁଗ୍‌ ଖେଳାଳି କୀର୍ତ୍ତିମାନର ଅଧିକାରୀ ଶିବ ୨୦୧୧, ୨୦୧୨, ୨୦୧୬ ଏବଂ ୨୦୧୭ ଏସୀୟ ବିଜେତା ହୋଇଥିଲେ।

ଇଟାଲିର ତୁରିନରେ ଆୟୋଜିତ ୨୦୦୬ ସଂସ୍କରଣରେ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଏହି ସଂସ୍କରଣରେ ୨୫ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ ଏବଂ ଚଳିତ ଥର ୩୪ତମ ସ୍ଥାନରେ ରହିଥିଲେ।

Comment