ଓଡ଼ିଶାଲାଇଭ୍ ବ୍ୟୁରୋ

  • ନିରବ ମୋଦିଙ୍କ ସାମ୍ରାଜ୍ୟର ଖୋଳତାଡ଼ କରୁଛି ଇଡି
  • ଶୁକ୍ରବାର ୩୫ଟି ସ୍ଥାନରେ ଚଢ଼ାଉ
  • ମୋଟ ୫୬୪୯ କୋଟି ଟଙ୍କାର ସମ୍ପତ୍ତି ଜବତ
  • ୪ ସପ୍ତାହ ପାଇଁ ପାସ୍‌ପୋର୍ଟ ସସ୍‌ପେଣ୍ଡ
  • ରିଜର୍ଭ ଆରମ୍ଭ କଲା ତଦନ୍ତ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହା ଠକେଇର ମାଷ୍ଟରମାଇଣ୍ଡ ନିରବ ମୋଦିଙ୍କ ସାମ୍ରାଜ୍ୟକୁ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଦ୍ୱିତୀୟ ଦିନରେ ଇଡି ଅଧିକାରୀ ନିରଭ ସାମ୍ରାଜ୍ୟର ଖୋଳତାଡ଼ କରିଛନ୍ତି। ସାରା ଦେଶରେ ଥିବା ୩୫ଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଇଡି ରେଡ କରି ୫୪୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ହେଲେ ନିରବ ମୋଦିଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳୁନି।

ଇଡି ନିରବ ସାମ୍ରାଜ୍ୟର ଖୋଳତାଡ଼ କରୁଥିବା ବେଳେ ସେ ଆମେରିକାର ନ୍ୟୁୟର୍କ ସହରରେ ଅୟସ କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଦୁଇଦିନ ଭିତରେ ମୋଟ ୫୬୪୯ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି।

ନିରବ ମୋଦି, ତାଙ୍କ ପତ୍ନୀ ଏବଂ ସହଯୋଗୀ ମେହଲ ଚେକସୀଙ୍କୁ ମୁମ୍ବାଇ ଅଫିସରେ ହାଜର ହେବା ପାଇଁ ଇଡି ନୋଟିସ ଜାରି କରିଥିଲା। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ହାଜର ହେବାକୁ ନୋଟିସରେ କୁହାଯାଇଥିଲା। ହେଲେ ନିରବ ମୋଦି କିମ୍ବା ତାଙ୍କ ସ୍ତ୍ରୀ ଓ ସହଯୋଗୀ ହାଜର ନହେବାରୁ ପୁଣିଥରେ ଇଡି ନୋଟିସ ଜାରି କରିବାକୁ ପ୍ରସ୍ତୁତ ହେଉଛି।

ଏପଟେ ବିଦେଶ ମନ୍ତ୍ରାଳୟ ନିରବଙ୍କ ପାସ୍‌ପୋର୍ଟକୁ ସସ୍‌ପେଣ୍ଡ କରିଛି। ଅନ୍ୟତମ ଅଭିଯୁକ୍ତ ଗୀତାଞ୍ଜଳି ଜୁଏଲର୍ସ ମାଲିକ ମେହଲ ଚେକସୀଙ୍କ ପାସ୍‌ପୋର୍ଟ ସସ୍‌ପେଣ୍ଡ କରାଯାଇଛି। ୪ ସପ୍ତାହ ପାଇଁ ପାସ୍‌ପୋର୍ଟ ସସପେଣ୍ଡ କରାଯାଇଛି।

ସିବିଆଇର ଆବେଦନ ପରେ ବୈଦେଶିକ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି। ଯଦି ନିବର ବ୍ୟକ୍ତିଗତ ଭାବେ ହାଜର ନହେବେ ତାହାଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚେତାବନୀ ଦେଇଛନ୍ତି ସରକାର।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଜାଲ୍ ଗ୍ୟାରେଣ୍ଟି ପତ୍ର ଜରିଆରେ ନିରବ ଓ ତାଙ୍କ ସହଯୋଗୀ ୧୧ ହଜାର ୪୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପିଏନ୍‌ବି ୧୧ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି।

ବ୍ୟାଙ୍କ ଘୋଟାଲା ନେଇ ତନଘନା ଆରମ୍ଭ କରିଛି ରିଜର୍ଭ ବ୍ୟାଙ୍କ। ବ୍ୟାଙ୍କର ଇଣ୍ଟରନାଲ ଏବଂ ଏକ୍ସଟରନାଲ ଅଡିଟ ବେଳେ କିପରି ଏହା ଜଣାପଡ଼ି ନଥିଲା ତାହାର ତଦନ୍ତ କରାଯାଉଛି।

Comment