ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହେବ ଟ୍ରିବ୍ୟୁନାଲ।

ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଦୀର୍ଘ ତିନି ବର୍ଷ ଧରି ଲାଗିରହିଥିବା ଜଳ ବିବାଦର ସମାଧାନ କରିବା ପାଇଁ ଗଠନ ଟିବ୍ୟୁନାଲ୍। ଟ୍ରିବ୍ୟୁନାଲ ଗଠନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ମିଳିଛି।

ଆନ୍ତଃ-ରାଜ୍ୟ ଜଳବିବାଦ ଆଇନ-୧୯୫୬ ଆଧାରରେ ଏହି ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଛି। ବିବାଦ ନେଇ ୩ ବର୍ଷ ଭିତରେ ରିପୋର୍ଟ ଦେବ ଟ୍ରିବ୍ୟୁନାଲ।  ଆବଶ୍ୟକ ହେଲେ କାର୍ଯ୍ୟକାଳ ଆଉ ୨ ବର୍ଷ ବଢାଇ ଦିଆଯାଇପାରେ।

ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ ଓ ଦୁଇଜଣ ସଦସ୍ୟ ରହିବେ। ମାନ୍ୟବର ସୁପ୍ରିମକୋର୍ଟ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ବାଛିବେ।

ଟ୍ରିବ୍ୟୁନାଲ ଗଠନକୁ ବିଜେଡି ସ୍ୱାଗତ କରିଛି। “ବିଳମ୍ବରେ ହେଲେ ବି ଟ୍ରିବ୍ୟୁନାଲ ଗଠନ ହେଲା। ନ୍ୟାୟିକ ହସ୍ତକ୍ଷେପ ଯୋଗୁଁ ଟ୍ରିବ୍ୟୁନାଲ ଗଠନ ସମ୍ଭବ ହେଲା”, କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ମହାନଦୀ ଉପର ମୁଣ୍ଡରେ ଛତିଶଗଡ ସରକାର ବ୍ୟାରେଜ ନିର୍ମାଣ କରୁଥିବାରୁ ଏହାକୁ ଓଡ଼ିଶା ସରକାର ବିରୋଧ କରିଥିଲା। ବିବାଦ ସମାଧାନ ନହେବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ ରଖିବାକୁ ଓଡ଼ିଶା ସରକାର ଦାବି କରୁଥିଲେ ହେଁ ପ୍ରକଳ୍ପ କାମ ବନ୍ଦ ହେଉନଥିଲା।

ବିବାଦ ସମାଧାନ ପାଇଁ ଓଡ଼ିଶା ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ। କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ।ଫଳରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ ଓଡ଼ିଶା ସରକାର।

ଜାନୁୟାରୀ ୨୩ ତାରିଖରେ ସୁପ୍ରିମକୋର୍ଟ ମାସେ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Comment