ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚପଲ ମାଡ଼ ଘଟଣାର ତନଘନା କରିଛି ପୋଲିସ। ଅଭିଯୁକ୍ତ କାର୍ତ୍ତିକ ମେହରଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇ ତଦନ୍ତ କରିଛି ପୋଲିସ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଘଟଣାର ନିନ୍ଦା କରିଛନ୍ତି।

  • ଚପଲ ମାଡ଼ ଘଟଣାର ତଦନ୍ତ ଆରମ୍ଭ
  • ଅଭିଯୁକ୍ତ ଜଣକ ବିଜେପି ସମର୍ଥକ: ପୋଲିସ୍‌
  •  ହିଂସା ଘଟାଉଥିବା ଦଳକୁ ଭୋଟର ସମର୍ଥନ ଦେବେ ନାହିଁ: କଂଗ୍ରେସ
  • ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ : ବିଜେପି

ବିଜେପୁରର କୁମ୍ଭାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲ ମାଡ଼ ଘଟଣା ଭିନ୍ନ ମୋଡ଼ ନେଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଘଟଣାକୁ ନିନ୍ଦା କରିଛନ୍ତି। ଟୁଇଟ୍ ଜରିଆରେ ଚପଲ ମାଡ଼କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ନରସିଂହ ମିଶ୍ର କହିଛନ୍ତି, “ଆଗରୁ ଅର୍ଥବଳ ରାଜନୀତିକୁ କବଳିତ କରି ରଖିଥିଲା। ଏବେ ରାଜନୀତିରେ ବାହୁବଳ ପ୍ରୟୋଗ କରାଯାଉଛି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ବିଜେପୁରରେ ବର୍ତ୍ତମାନ ଯାହା ଘଟୁଛି ତାହା ଗଣତନ୍ତ୍ରିକ ପ୍ରକ୍ରିୟାରେ ଆଦୌ ଗ୍ରହଣୀୟ ନୁହେଁ। ୨୦୧୯ ନିର୍ବାଚନରେ ସ୍ଥିତି କ’ଣ ହେବ ତାହା ଏବେଠାରୁ ସହଜରେ ଅନୁମାନ କରି ହେଉଛି।”

ଚପଲ ମାଡ଼ ଘଟଣାର ତନାଘନା କରିଛି ପୋଲିସ। ଅଭିଯୁକ୍ତ କାର୍ତ୍ତିକ ମେହେରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୦ ବି (ଅପରାଧ ଷଡଯନ୍ତ୍ର ଓ ରିପ୍ରେଜେଣ୍ଟେସନ୍‌ ଅଫ ପିପୁଲ୍ସ ଆକ୍ଟ) ଲାଗୁ କରାଯାଇଛି। ଏହାସହ ଧାରା ୪୪୮ (ଯୋଜନାବଦ୍ଧ ଭାବେ ଆଘାତ ପହଞ୍ଚାଇବା),  ଧାରା ୩୪୧ (ବଳପୂର୍ବକ କାମରେ ବାଧାଦେବା),  ଧାରା ୩୩୬ (ଅନ୍ୟର ଜୀବନକୁ ବିପଦରେ ପକାଇବା),  ଧାରା ୩୫୫ (ଅନ୍ୟକୁ ଅସମ୍ମାନ କରିବା) ଆଦି ଦଫା ଲଗାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ବ୍ୟକ୍ତି ଜଣକ ବିଜେପି ସମର୍ଥକ ବୋଲି କହିଛି ବରଗଡ ପୋଲିସ।

ବରଗଡ଼ ଡିଏସ୍‌ପି କହିଛନ୍ତି, “ଚପଲ ପିଙ୍ଗିଥିବା ଯୁବକ ଜଣକ ହେଉଛନ୍ତି କାର୍ତ୍ତିକ ମେହେର। ତାଙ୍କ ଘର ପଦ୍ମପୁରର ବୁଢାପାଲି ଅଞ୍ଚଳରେ। ତାଙ୍କ ପକେଟରୁ ବିଜେପି ପତାକା ମିଳିଛି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ସମେତ କିଶୋର ବହିଦାର ଓ ଲୋକନାଥ ପଟେଲ ନାମକ ବ୍ୟକ୍ତି ଚପଲ ଫିଙ୍ଗିବା ପାଇଁ ତାଙ୍କୁ କହିଥିବା କାର୍ତ୍ତିକ ପୋଲିସ ଆଗରେ କହିଛି।”

ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ପ୍ରଚାରକୁ ଆସିଥିଲେ ନବୀନ ପଟ୍ଟନାୟକ। ମଙ୍ଗଳବାର ସେ ବଡ଼ ଗାଁରେ ପ୍ରଚାର କରିବା ପରେ ସନ୍ଧ୍ୟାରେ କୁମ୍ଭାରୀରେ ପ୍ରଚାର କରୁଥିଲେ। ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଉଥିବା ବେଳେ ସଭାମଞ୍ଚକୁ ଚପଲ ମାଡ଼ ହୋଇଥିଲା। ଗୋଟିଏ ଚପଲ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଧରି ପକାଇଥିବା ବେଳେ ଆଉ ଗୋଟିଏ ତଳେ ପଡ଼ି ଯାଇଥିଲା।

ପରେ ଚପଲ ଫିଙ୍ଗିଥିବା ଯୁବକ କାର୍ତ୍ତିକ ମେହେରଙ୍କୁ ପୋଲିସ କାବୁ କରି ନେଇଥିଲା। ବିଜେଡି କର୍ମୀମାନେ କାର୍ତ୍ତିକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ସେ ଆହତ ହୋଇଯାଇଥିଲେ। ପୋଲିସ ତାଙ୍କୁ ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ଥାନାକୁ ଆଣି ପଚରାଉଚରା କରିଥିଲା।

“ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଅଣ୍ଡା କିମ୍ବା ଚପଲ ମାଡକୁ ବିଜେପି ନିନ୍ଦା କରୁଛି”, କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି।

Comment