ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ବିଶ୍ଵର ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ପରିଗଣିତ ବିରାଟ କୋହଲି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛନ୍ତି।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପ୍ରତି ମ୍ୟାଚ୍‌ରେ ନିଜ ଜଲୱା ଦେଖାଉଛନ୍ତି। ରନ ମେସିନ୍ ବିରାଟଙ୍କ ବିରାଟ ବିରାଟ ଇନିଂଶ ବଳରେ ଭାରତ ଉଭୟ ଟେଷ୍ଟ ଓ ଦିନିକିଆରେ ବିଶ୍ଵର ନଂ ୧ କ୍ରିକେଟ ଦଳ ଭାବେ ଉଭା ହୋଇଛି।

ବ୍ୟକ୍ତିଗତ ଭାବେ ବିରାଟ ଏବେ ବହୁ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟର ତଥା ଭାରତୀୟ କ୍ରିକେଟ ଟିମର କ୍ୟାପଟେନ୍ କୋହଲି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ଏହାସହ ଦୀର୍ଘ ୨୭ ବର୍ଷ ପରେ ଆଇସିସି ଦିନିକିଆ ମାନ୍ୟତାରେ ୯୦୯ ପଏଣ୍ଟ ହାସଲ କରି ଇତିହାସ ରଚିଛନ୍ତି ବିରାଟ। ଏହାସହ ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ ପରେ ଉଭୟ ଦିନିକିଆ ଓ ଟେଷ୍ଟ ମାନ୍ୟତାରେ ୯୦୦ ପଏଣ୍ଟ ହାସଲ କରିବା ସହ ଦ୍ୱିତୀୟ ବ୍ୟାଟସମ୍ୟାନ ଏଭଳି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି କୋହଲି। ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ୬ଟି ମ୍ୟାଚରୁ ମୋଟ ୫୫୮ ରନ କରିଥିଲେ। ଏହି ସିରିଜରେ ସେ ୩ ଶତକ ହାସଲ କରିଥିଲେ।

ମଙ୍ଗଳବାର ଆଇସିସି ପକ୍ଷରୁ ଜାରି ହୋଇଥିବା ଦିନିକଆ ମାନ୍ୟତାରେ କୋହଲି ୩୩ ରେଟିଂ ପଏଣ୍ଟ ହାସଲ କରିବା ସହ ନମ୍ବର ୱାନ ସ୍ଥାନକୁ ଆହୁରି ସୁରକ୍ଷିତ କରିଛନ୍ତି । ବିରାଟଙ୍କ ଏହି ରେଟିଂ ଅଷ୍ଟ୍ରେଲିଆର ଡିନ ଜୋନ୍ସଙ୍କ ପରେ ସର୍ବାଧିକ ଅଟେ । ୧୯୯୧ରେ ଜୋନ୍ସ ୯୧୮ ରେଟିଂ ପଏଣ୍ଟ ହାସଲ କରିଥିଲେ। ଏହି ରେଟିଂ ହାସଲ କରିବା ସହ ସର୍ବାଧିକ ରେଟିଂ ପଏଣ୍ଟ ହାସଲ କରିବାରେ ବିରାଟ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ଏହି ଲିଷ୍ଟରେ ୱେଷ୍ଟଇଣ୍ଡିଜର ଭିଭିଆନ ରିଚାଡର୍ସ ମୋଟ ୯୩୫ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛନ୍ତି।

ଦକ୍ଷିଣ ଆଫ୍ରିକା ସହ ବାକି ଥିବା ଅଉ ଦୁଇଟି ଟି-୨୦ରେ ଆଉ ୧୦୫ ରନ୍‌ କରି ପାରିଲେ ଗୋଟିଏ ଗସ୍ତରେ ସର୍ବାଧିକ ରନ୍‌ କରିବାର ବ୍ରାଡମ୍ୟାନ୍‌ (୯୭୪)ଙ୍କ ବିରଳ କୀର୍ତ୍ତିମାନକୁ କୋହଲି କାଟିଦେବେ। ୨୯ ବର୍ଷୀୟ କୋହଲି ଚଳିତ ଗସ୍ତରେ ୧୩ ପାଳି ଖେଳି ୮୭୦ ରନ୍‌ କରି ସାରିଛନ୍ତି। ସେଥିପାଇଁ ରବିବାର ତାଙ୍କ ପାଖରେ ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ରହିବ।

ବ୍ରାଡମ୍ୟାନ୍‌ ୧୯୩୦ରେ ଇଂଲଣ୍ଡ ଗସ୍ତ କରି ୫ ଟିକିଆ ଟେଷ୍ଟ ଶୃଙ୍ଖଳାରେ ୯୭୪ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତର ଶେଷ ଦୁଇ ଟେ୍ଵଣ୍ଟି-୨୦ ମୁକାବିଲାରେ କୋହଲି ଯଦି ଆଉ ୧୩୦ ରନ୍‌ ସଂଗ୍ରହ କରି ନିଅନ୍ତି ତେବେ କ୍ରିକେଟ୍‌ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବେ। ସାର୍‌ ଭିଭିଆନ୍‌ ରିଚାର୍ଡସଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ସେ କୌଣସି ଗସ୍ତରେ ୧,୦୦୦ରୁ ଅଧିକ ରନ୍‌ କରିବେ। ରିଚାର୍ଡସ ୧୯୭୬ର ଇଂଲଣ୍ଡ ଗସ୍ତରେ ୪ ଟେଷ୍ଟ ଏବଂ ୩ ଦିନିକିଆରୁ ଅବିଶ୍ୱସନୀୟ ଭାବେ ୧୦୪୫ ରନ୍‌ ସଂଗ୍ରହ କରିଥିଲେ।

Comment