ଓଡ଼ିଶାଲାଇଭ୍ ବ୍ୟୁରୋ

ପିଏନ୍‌ବି ଠକେଇର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ସାମ୍ରାଜ୍ୟ ଉପରେ ଚଢ଼ାଉ ଜାରି ରଖିଛି ଇଡି। ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଇଡି ୯ଟି ଦାମୀ କାର୍ ଜବତ କରିଛି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମାଷ୍ଟରମାଇଣ୍ଡ ନିରବ ମୋଦି ଏବଂ ମେହୋଲ ଚୌକ୍‌ସିଙ୍କ କମ୍ପାନି, ଘର ଉପରେ ଇଡି ଚଢ଼ାଉ ଜାରି ରଖିଛି। ଏବେ ଆୟକର ବିଭାଗ ପକ୍ଷରୁ ହାଇଦ୍ରାବାଦସ୍ଥିତ ଗୀତାଞ୍ଜଳି ଗ୍ରୁପର ସେଜ୍‌ ୟୁନିଟକୁ ଜବତ କରିଛି। ଏହି ୟୁନିଟ୍ ୧୫୦ ଏକର ଜମିରେ ସ୍ଥାପନ କରାଯାଇଥିଲା। ଏହାର ମୂଲ୍ୟ ୧୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନିରବଙ୍କ କମ୍ପାନି ଉପରେ ଚଢ଼ାଉ କରାଯାଇ ୯ଟି ଦାମୀ କାର୍ ଜବତ କରାଯାଇଛି। ଏହାସହ ୭ କୋଟି ୮୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମ୍ୟୁଚୁଆଲ ଫଣ୍ଡ ସହ ମେହୁଲ ଚୌକ୍‌ସି ଗ୍ରୁପର ୮୬ କୋଟି ୭୨ ଲକ୍ଷ ଟଙ୍କାର ମ୍ୟୁଚୁଆଲ ସେୟାରକୁ ଫ୍ରିଜ୍ କରି ଦିଆଯାଇଛି। ଏହି କାର୍ ଭିତରେ ରହିଛି ରଲ୍‌ସ ରୟଲ ଘୋଷ୍ଟ, ୨ଟି ମର୍ସିଡିଜ ବେଞ୍ଜ, ଜିଏଲ୍-୩୫୦ କାର୍, ୩ଡି ହୋଣ୍ଡା କାର୍, ଗୋଟିଏ ଟୟଟା ଫର୍ଚ୍ୟୁନର ଏବଂ ଗୋଟିଏ ଟୟଟା ଇନୋଭା ଗାଡ଼ି ଜବତ କରାଯାଇଛି।

୧୧ ହଜାର ୪୦୦ କୋଟି ଟଙ୍କାର ପିଏନ୍‌ବି ଠକେଇକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ନିରବ ମୋଦିଙ୍କୁ ଦୁଇ ଦୁଇ ଥର ଇଡି ନୋଟିସ୍ ଜାରି କରିଥିଲେ ମଧ୍ୟ ନିରବ ହାଜର ହେଉ ନାହାନ୍ତି। ଏପଟେ ନିରବ ମୋଦି କେଉଁଠି ଅଛନ୍ତି ତାକୁ ନେଇ କୌଣସି ସଠିକ୍ ଖବର ଜଣାପଡ଼ୁ ନାହିଁ।

Comment