ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଉପରୁ ସଙ୍କଟ ଟଳୁନି। ନିକଟରେ ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ୨୦ ଜଣ ବିଧାୟକଙ୍କ ସଭ୍ୟ ପଦ ରବ୍ଦ ହୋଇଥିବା ବେଳେ ଏବେ ମୁଖ୍ୟ ସଚିବଙ୍କୁ ମାଡ଼ ମାରିବା ଅଭିଯୋଗରେ ଦୁଇ ବିଧାୟକ ଜେଲ୍ ଯାଇଛନ୍ତି।
ଦିଲ୍ଲୀର ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ଼ ମାରିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟିର ଗିରଫ ଦୁଇ ବିଧାୟକ ଜେଲ୍ ଯାଇଛନ୍ତି। ଏହି ଦୁଇ ବିଧାୟକ ହେଲେ ଅମାନତୁଲ୍ଲା ଖାନ୍, ପ୍ରକାଶ ଜସ୍ୱାଲ। କୋର୍ଟରେ ଉଭୟଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠଇ ଦିଆଯାଇଛି। ଦୁଇ ବିଧାୟକ ତିହାର ଜେଲରେ ଅଛନ୍ତି।
ଆପର ଏହି ଦୁଇ ବିଧାୟକଙ୍କୁ ଗୁରୁବାର ତିସ୍ ହଜାରି କୋର୍ଟକୁ ନିଆଯାଇଥିଲା। ଉଭୟଙ୍କୁ ୨ ଦିନିଆ ରିମାଣ୍ଡରେ ନେବା ପାଇଁ ଦିଲ୍ଲୀ ପୋଲିସ କୋର୍ଟରେ ଆବେଦନ କରିଥିଲେ। ହେଲେ ରିମାଣ୍ଡରେ ନେବାକୁ ଅନୁମତି ଦେଇ ନଥିଲେ କୋର୍ଟ। ବିଧାୟକଙ୍କୁ ଜାମିନ୍ ଦେବା ପାଇଁ ଆପ୍ ଦାବି କରିଥିଲା। ହେଲେ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ। ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଶୁକ୍ରବାର ମାମଲାର ପୁଣି ଶୁଣାଣି କରାଯିବ।
ବୁଧବାର ରାତିରେ ଦିଲ୍ଲୀ ମୁଖ୍ୟ ସଚିବଙ୍କ ସହ ଶାସକ ଆପ୍ ଦଳର ବୈଠକ ଥିଲା। ଏଥିପାଇଁ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ହକା ଯାଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ୪ ଜଣ ଉପସ୍ଥିତ ରହିବେ ବୋଲି ସଚିବଙ୍କୁ ପୂର୍ବରୁ କୁହାଯାଇଥିଲା। ହେଲେ ସଚିବ ପହଞ୍ଚିବା ବେଳକୁ ବୈଠକସ୍ଥଳରେ ୧୧ ଜଣ ବିଧାୟକ ଉପସ୍ଥିତ ଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ବୈଠକ ପରେ ଯେତେବେଳେ ସଚିବଙ୍କ ସହ ବିଧାୟକମାନେ ଗଣ୍ଡଗୋଳ କଲେ ସେତେବେଳେ କେଜରିୱାଲ କିମ୍ବା ଅନ୍ୟମାନେ ରୋକି ନଥିବା ପୋଲିସ କହିଛି।
ସଚିବଙ୍କୁ କାହିଁକି ଆପ୍ର ଦୁଇ ବିଧାୟକ ହଠାତ୍ ମାରପିଟ କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୌଣସି ଏକ ଘଟଣାକୁ ନେଇ ଦିଲ୍ଲୀ ସରକାର ଏବଂ ସଚିବଙ୍କ ମଧ୍ୟରେ ମତଭେଦ ରହିଥିଲା। ଯେଉଁଥିପାଇଁ ଏଭଳି ଘଟଣା ଘଟିଥିବା କୁହାଯାଉଛି।