ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟ୍ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ହରମନପ୍ରିତ୍ କୌର୍ ଆଉ ଏକ ଇଂନିଶ ଖେଳିବାକୁ ଯାଉଛନ୍ତି। କିନ୍ତୁ ଏଥର ପଡ଼ିଆରେ ନୁହେଁ ପୁଲିସ୍‌ ଡିଏସପି ଭାବେ ଆଇନ୍ ବ୍ୟବସ୍ଥା ତଦାରଖ କରିବେ ହରମନପ୍ରିତ୍‌।

ଭାରତୀୟ ମହିଳା ଟ୍ୱେଣ୍ଟି୨୦ ଦଳର ଅଧିନାୟିକା ହରମନ୍‌ପ୍ରିତ କୌର ମାର୍ଚ୍ଚ ପହିଲାରେ ପଞ୍ଜାବ ପୁଲିସରେ ଡିଏସ୍‌ପି ଭାବେ କାର୍ଯ୍ୟାରମ୍ଭ କରିବେ।

ପୂର୍ବରୁ ଭାରତୀୟ ରେଳବାଇରେ କାର୍ଯ୍ୟ କରୁଥିବା ହରମନ୍‌ପ୍ରିତ ମହିଳା ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ପଞ୍ଜାବ ପୁଲିସରେ ଚାକିରି ଦେବାକୁ ସେଠାକାର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ପ୍ରସ୍ତାବ ଦେଇଥିଲେ।

ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ ହରମନ୍‌ପ୍ରିତ। ରେଳବାଇ ସହ ହରମନ୍‌ପ୍ରିତ କରିଥିବା ଚୁକ୍ତି ଯୋଗୁଁ ଏଥିରେ ସମସ୍ୟା ଦେଖା ଦେଇଥିଲା। ରେଳବାଇରେ ୫ବର୍ଷ ଚାକିରି କରିବାକୁ ହରମନପ୍ରିତ ଚୁକ୍ତି କରିଥିଲେ।

ଇତିମଧ୍ୟରେ ସେ ୩ବର୍ଷ ସଂପୂର୍ଣ୍ଣ କରି ସାରିଲେଣି। ଚୁକ୍ତି ସମୟସୀମା ଅତିକ୍ରାନ୍ତ ହୋଇନଥିବାରୁ ତାଙ୍କୁ ଛାଡ଼ିବାକୁ ରେଳବାଇ ଚାହୁଁନଥିଲା।

ଏହାକୁ ନେଇ ବାଦବିବାଦ ଦେଖା ଦେବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରେଳବାଇ ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ଆଲୋଚନା କରି ଚୁକ୍ତି ନିୟମରେ କୋହଳ କରି ହରମନ୍‌ପ୍ରିତଙ୍କୁ ଛାଡ଼ିବାକୁ ରାଜି କରାଇଥିଲେ।

ହରମନ୍‌ପ୍ରିତ ପଞ୍ଜାବ ପୁଲିସରେ ଯୋଗ ଦେଇ ମାର୍ଚ୍ଚ ୧ରୁ କାର୍ଯ୍ୟ ଆରମ୍ଭ କରିବେ।

Comment