ଓଡ଼ିଶାଲାଇଭ୍ ବ୍ୟୁରୋ
- ୧୬ଟି ରାଜ୍ୟର ୫୮ ଆସନ ପାଇଁ ହେବ ଭୋଟ୍
- ମାର୍ଚ୍ଚ ୫ରେ ବିଜ୍ଞପ୍ତି
- ୧୨ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ
- ୧୩ରେ ନାମାଙ୍କନ ଯାଞ୍ଚ
ମାର୍ଚ୍ଚ ୨୩ରେ ହେବ ରାଜ୍ୟସଭା ନିର୍ବାଚନ। ଏନେଇ ନିର୍ବାଚନ କମିଶନ ଜାରି କରିଛନ୍ତି ନୋଟିସ୍। ୧୬ଟି ରାଜ୍ୟର ୫୮ଟି ଆସନ ପାଇଁ ଭୋଟ ହେବ। ଓଡ଼ିଶାର ୩ଟି ଆସନ ପାଇଁ ନିର୍ବାଚନ ହେବ। ଏପ୍ରିଲ୍ ମାସରେ ଏସବୁ ଆସନ ଖାଲି ହେବ।
ସାଂସଦ ଦିଲ୍ଲୀପ ତିର୍କୀ, ଏ ଭି ସ୍ୱାମୀ ଏବଂ ଅନଙ୍ଗ ଉଦୟ ସିଂଦେଓଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ମଧ୍ୟ ଏପ୍ରିଲରେ ଶେଷ ହେଉଛି। ଧର୍ମେନ୍ଦ୍ର ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
ମାର୍ଚ୍ଚ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୧୨ ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ରହିଥିବା ବେଳେ ୧୩ରେ ଯାଞ୍ଚ ହେବ। ୧୫ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।
ଉତ୍ତରପ୍ରଦେଶର ୧୦ଟି ଆସନ ପାଇଁ ଭୋଟ୍ ହେବାକୁ ଥିବା ବେଳେ ବିହାର ଏବଂ ମହାରାଷ୍ଟ୍ରର ୬ଟି ରାଜ୍ୟସଭା ଆସନ ପାଇଁ ଭୋଟ ହେବ। ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶର ୫ଟି ଆସନ ପାଇଁ ନିର୍ବାଚନ ହେବ।
ଗୁଜୁରାଟ ଏବଂ କର୍ଣ୍ଣାଟକର ୪ଟି ଆସନ ପାଇଁ ଭୋଟ ହେବାକୁ ଥିବା ବେଳେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ ଏବଂ ଓଡ଼ିଶାର ୩ଟି ଆସନ ପାଇଁ ନିର୍ବାଚନ ହେବ। ସେହିପରି ଝାଡଖଣ୍ଡର ୨ଟି, ଛତିଶଗଡ, ହରିୟାଣା, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡର ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରବ ଶଙ୍କର ପ୍ରସାଦ, ଜେ ପି ନଡ୍ଡା ଏବଂ ଥୱାରଚାନ୍ଦ ଗେହଲଟଙ୍କ କାର୍ଯ୍ୟକାଳ ଶେଷ ହେଉଛି।