ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କୁକୁଡ଼ା ମାଂସ ବିକ୍ରି ଉପରେ କଟକଣା
  • ଅଣ୍ଡା ନଖାଇବାକୁ ସଚେତନତା
  • ବାହାରୁ କୁକୁଡ଼ା ଆଣିବାରେ କଟକଣା ଜାରି କଲା ପ୍ରଶାସନ

ପାରାଦୀପରେ ବାର୍ଡ ଫ୍ଲୁ ଆତଙ୍କ। କୁକୁଡ଼ା ଦେହରେ ଏଚ୍‌୫ଏନ୍‌୧ ଭୂତାଣୁ ଚିହ୍ନଟ ହେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ସୋମବାର ପ୍ରଶାସନ ପାରାଦୀପରେ ୫୭୦ କୁକୁଡ଼ା ପୋତିଛି। ଏହାସହ କୁକୁଡ଼ା ମାଂସ ବିକ୍ରି ଏବଂ ବାହାରୁ କୁକୁଡ଼ା ଆଣିବାରେ ପ୍ରଶାସନ କଟକଣା ଲଗାଇଛି। ୩ ମାସ ପର୍ଯ୍ୟନ୍ତ ସହରକୁ କୁକୁଡ଼ା ଆଣିବାରେ କଟକଣା ଲଗାଯାଇଛି। କେନ୍ଦ୍ରାପଡ଼ାରେ ମଧ୍ୟ କୁକୁଡ଼ା ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି।

ପାରାଦୀପ ସହରର ବଡ଼ ପଡ଼ିଆ ଏବଂ ଷଣ୍ଢକୁଦ ଅଞ୍ଚଳରେ ପ୍ରଥମେ ଏହି ରୋଗ କୁକୁଡ଼ା ଦେହରେ ଚିହ୍ନଟ କରାଯାଇଛି। ଫଳରେ ପ୍ରଶାସନ କୁକୁଡ଼ା ମରା ଅଭିଯାନ ଆରମ୍ଭ କରିଛି।

ଜାନୁଆରି ମାସରେ ପାଦାଦୀପରେ କାଉ ମଡ଼କ ଦେଖିବାକୁ ମିଳିଥିଲା। ହେଲେ ପ୍ରଶାସନ ଏନେଇ ତତ୍ପରତା ଦେଖା ଇ ନଥିଲା। କାଉ ମଡ଼କ ସଂଖ୍ୟା ବଢ଼ିବାରୁ ଫେବ୍ରୁଆରି ପ୍ରଥମ ସପ୍ତାହରେ ପରୀକ୍ଷା କରାଯାଇଥିଲା। ଫଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା। ୨୨ ତାରିଖରୁ ଏନେଇ କଟକଣା ଲାଗୁ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨ ହଜାର କୁକୁଡ଼ା ମାରିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ସେହିପରି ଅଣ୍ଡାକୁ ମଧ୍ୟ ନଷ୍ଟ କରାଯାଉଛି।

କୁକୁଡ଼ା, ବତକ ଅଣ୍ଡା ନଖାଇବା ପାଇଁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

“ବାର୍ଡ ଫ୍ଲୁ ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଅଣ୍ଡା ଏବଂ ମାଂସ ନଖାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ବାହାରୁ କୁକୁଡ଼ା ନଆଣିବା ପାଇଁ ସମସ୍ତ ଫାର୍ମକୁ କୁହାଯାଇଛି। ଯଦି ଏହି ନିୟମ କିଏ ଉଲ୍ଲଂଘନ କରନ୍ତି ତାହାଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”, କହିଛନ୍ତି ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ।

Comment