ଓଡ଼ିଶାଲାଇଭ୍ ବ୍ୟୁରୋ
ବିପ୍ଲବୀ ପ୍ରଫୁଲ୍ଲ ଦାସ ଆଉ ନାହାନ୍ତି। କିନ୍ତୁ ତାଙ୍କ ସଂଗ୍ରାମର କାହାଣୀ ଇତିହାସ ପୃଷ୍ଠାରେ ଲେଖା ହୋଇ ରହିବ।
ପ୍ରଫୁଲ୍ଲ ଦାସ। ଜଣେ ବିପ୍ଲବୀ ଚେତନାର ମଣିଷ ଭାବେ ପରିଚିତ। ହେଲେ ବିପ୍ଲବ ସହ ସେବା ଓ ସାରସ୍ଵତ ସାଧନା ଥିଲା ପ୍ରଫୁଲ୍ଲ ଦାସଙ୍କ ଜୀବନର ତିନୋଟି ପ୍ରମୁଖ ମାର୍ଗ।
ମହାତ୍ମା ଗାନ୍ଧି ଓ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅହିଂସା ଓ ସେବାକୁ ପ୍ରାଧାନ୍ୟ ଦେଉଥିଲେ ଏହି ମହାନ ଅସାଧାରଣ ସାଧକ। ଜଣେ ସ୍ଵାଧୀନତା ସଂଗ୍ରାମୀ ଭାବେ ବିଭିନ୍ନ ଆନ୍ଦୋଳନ ସହ ଜଡ଼ିତ ଥିଲେ।
ପ୍ରଫୁଲ୍ଲ ଦାସଙ୍କର ଜନ୍ମ ୩୦ ସେପ୍ଟେମ୍ବର ୧୯୨୭ ମସିହା। ମା’ ଥିଲେ କୃଷ୍ଣପ୍ରିୟା ଦାସ ଓ ବାପା ହରମୋହନ ଦାସ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଜରିସାହିଠାରେ ଥିବା ମାମୁ ଘରେ ପିଲାବେଳୁ ରହୁଥିଲେ। ଖୁବ୍ ଛୋଟବେଳୁ ସେ ଆନ୍ଦୋଳନାତ୍ମକ କାର୍ଯ୍ୟରେ ଯୋଗଦେବା ସହିତ ଲେଖନୀ ଚାଳନା କରି ଆସୁଥିଲେ।
କନିକା, କୁଜଙ୍ଗ, ପାରଳାଖେମୁଣ୍ଡି, ସାଲେପୁର ଆଦି ଯାଗାରେ ତାଙ୍କର ଛାତ୍ର ଜୀବନ କଟିଥିଲା। ଆନନ୍ଦ ଚନ୍ଦ୍ର ଜେନାଙ୍କ ‘ଦୁଃଖିନୀ କନିକା’ ଗୀତ, ବିପ୍ଲବୀ ହେବା ପାଇଁ ତାଙ୍କୁ ସେତେବେଳେ ପ୍ରେରଣା ଯୋଗାଇଥିଲା।
ସେ ଥିଲେ ଜାତିପ୍ରଥାର ଚରମ ବିରୋଧୀ। ୧୯୪୮ରେ ସେ କନିକା ଅଞ୍ଚଳର ପ୍ରାୟ ଅଶୀ ଜଣ ଦଳିତଙ୍କ ସହ ଆରଡ଼ି ଆଖଣ୍ଡଳମଣୀ ମନ୍ଦିରରେ ପ୍ରବେଶ କରି ଚହଳ ସୃଷ୍ଟି କରିଥିଲେ।
୧୯୫୧ରେ ପୁରୀର ରାମକୃଷ୍ଣ ମିଶନ ପାଠାଗାରରେ ସ୍ଵେଚ୍ଛାସେବକ ଭାବେ କାର୍ଯ୍ୟ କରିବା ସହ ତାଙ୍କର ସାରସ୍ୱତ ଜୀବନ ଆରମ୍ଭ ହୋଇଥିଲା।
୧୯୫୬ ମସିହାରେ ପ୍ରକାଶିତ ହୋଇଥିଲା ତାଙ୍କର ପ୍ରଥମ ପୁସ୍ତକ ‘ଛାତ୍ରଙ୍କ ପ୍ରତି ଜୟପ୍ରକାଶ’, ପରେ ପରେ ‘କଳାପାଣିରେ ଅଗ୍ନିଶିଖା’, ‘ଫାଶୀ ମଞ୍ଚରେ ବିପ୍ଲବୀ’ ‘ନେତାଜୀ ଆଉ ଫେରି ନାହାନ୍ତି’, ‘ଭାରତ ବିଭାଜନ’, ‘ସେହି ରକ୍ତାକ୍ତ ଅଗଷ୍ଟ ପନ୍ଦର’, ‘ସଶସ୍ତ୍ର ସ୍ଵାଧୀନତା ଯୁଦ୍ଧରେ ଓଡ଼ିଶାର ବୀର ଓ ବୀରାଙ୍ଗନା’, ‘ଭାରତର ସ୍ଵାଧୀନତା ସଂଗ୍ରାମରେ ସାମରିକ ବିଦ୍ରୋହ’ ଓ ‘କନିକା ପ୍ରଜା ଆନ୍ଦୋଳନର ଇତିହାସ ସହିଦ ବାସୁ ବିସୁନୀ’ ଇତ୍ୟାଦି ପ୍ରଫୁଲ୍ଲ ଦାସଙ୍କ ସମର ସାହିତ୍ୟର ଗୋଟିଏ ଗୋଟିଏ ଅମର ସ୍ମୃତି ଲେଖ।
‘ଫାଶୀ ମଞ୍ଚ’ ପୁସ୍ତକ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଥିଲା। ସେହିଭଳି, ମାଳତୀ ଚୌଧୁରୀଙ୍କ ଜୀବନୀକୁ ନେଇ ରଚିତ ପୁସ୍ତକ ‘ବହ୍ନିମାନ’ ପାଇଁ ତାଙ୍କୁ ସମ୍ମାନଜନକ ଶାରଳା ସମ୍ମାନ ପ୍ରଦାନ କରାଯାଇଥିଲା। କନିକା ପ୍ରଜା ଆନ୍ଦୋଳନ, ଭୂଦାନ ଆନ୍ଦୋଳନ ଜମି-ଜଳ ଓ ଜଙ୍ଗଲ ଆନ୍ଦୋଳନ ସହ ପୁଞ୍ଜିବାଦ ଓ ସାମନ୍ତବାଦ ବିରୁଦ୍ଧରେ ସେ ବହୁ ଅଗ୍ନିବର୍ଷି ଲେଖା ଲେଖିଛନ୍ତି। ସେ ବହୁ ବିପ୍ଳବୀ କବିତା ରଚନା କରିଥିଲେ।
ପୁରୀ ଅବସ୍ଥାନ କାଳରେ ସେ ‘ଶତଦଳ’ ନାମକ ସାହିତ୍ୟ ପତ୍ରିକା ପ୍ରକାଶ କରୁଥିଲେ। ସାହିତ୍ୟର ବିକାଶ ପାଇଁ ସାହିତ୍ୟ ସଭା ଆୟୋଜନ ସହ ପ୍ରସିଦ୍ଧ ସାହିତ୍ୟିକଙ୍କର ଜନ୍ମ ଦିନ ପାଳନ କରୁଥିଲେ। ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ସହ ସଂପୃକ୍ତ ହୋଇ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ପ୍ରଫୁଲ୍ଲ ଦାସ।
କାଳିକାପୁରରେ ଭୂଦାନ ମେଳା ଆୟୋଜନ କରି ପ୍ରାୟ ଏଗାର ଶହ ଏକର ଜମି ସଂଗ୍ରହ କରିଥିଲେ । ସମାଜସେବା, ଗ୍ରାମ ସଂଗଠନ, ନିଶା ନିବାରଣ, ଦାରିଦ୍ର୍ୟ-ଅଶିକ୍ଷା, ରୋଗ ବିରୋଧୀ ଆନ୍ଦୋଳନ, ଜମିଦାର ବିରୋଧୀ ଆନ୍ଦୋଳନ, କୁଷ୍ଠ ନିରାକରଣ ଆଦି କ୍ଷେତ୍ରରେ କାର୍ଯ୍ୟ ତାଙ୍କ ମହାନତାର ପରିଚୟ ଦିଏ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଜରିସାହିସ୍ଥିତ ଅଗ୍ନିଯୋଗ ଆଶ୍ରମ ଏହି ଚିର ସଂଗ୍ରାମୀ ଓ ସାହିତ୍ୟିକ ସାଧକଙ୍କର ଦୀର୍ଘ କର୍ମଭୂମି ପାଲଟିଥିଲା। ବିରଳ ସାଧନା ଓ କୃତି ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିଥିଲା ଅଜସ୍ର ସମ୍ମାନ, ସମ୍ବର୍ଦ୍ଧନା ଓ ସ୍ଵୀକୃତି।
୨୦୧୮ ମସିହା ମାର୍ଚ୍ଚ ମାସ ୩ ତାରିଖରେ କେନ୍ଦ୍ରାପଡ଼ାର ରାଜକନିକାଠାରେ ୯୧ ବର୍ଷ ବୟସରେ ଚିରନିଦ୍ରାରେ ଶୋଇପଡ଼ିଥିଲେ ପ୍ରଫୁଲ୍ଲ ଦାସ।