ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର:  ବାଲେଶ୍ୱର ଗାନ୍ଧି ସ୍ମୃତି ଭବନଠାରେ ଆନ୍ତର୍ଜାତିକ  ମହିଳା ଦିବସ ପାଳିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ  ଜିଲ୍ଲା ପରିଷଦ ସଭାପତି  ନିବେଦିତା ମହାନ୍ତି ଯୋଗ ଦେଇ ନାରୀମାନଙ୍କ ସାମାଜିକ, ଅର୍ଥନୈତିକ ବିକାଶ ନ ହେବା ଯାଏଁ ନାରୀମାନେ ପରାଧିନତାର ଶୃଙ୍ଖଳରୁ ନିଜକୁ ମୁକ୍ତ କରିପାରିବେ ନାହିଁ ବୋଲି ମତ ରଖିଥିଲେ।

ସମ୍ମାନିତ ଅତିଥି ଭାବେ  ଯୋଗ ଦେଇ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ନାରୀମାନେ ସ୍ନେହ, କରୁଣା ଓ ଦୟା ତଥା କ୍ଷମାର ପ୍ରତୀକ । ଏମାନଙ୍କ ବିକାଶ ବିନା ସମାଜ କେବେ ବି ପ୍ରଗତି ପଥରେ ଅଗ୍ରସର ହୋଇପାରିବ ନାହିଁ ବୋଲି କହିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନୀଳଗିରି ଉପଜିଲ୍ଲାପାଳ ଆବୋଲି ଏସ୍ ନରଅଣେ ଅନେକ ସାମାଜିକ ପ୍ରତିବନ୍ଧକ ସତ୍ୱେ କିପରି ସେ ଆଇ.ଏ.ଏସ. ଭଳି ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି ତାହା ବର୍ଣ୍ଣନା କରିଥିଲେ।

ସ୍ଥାନୀୟ ଟାଉନ ଥାନାର ଇନ୍ସପେକ୍ଟର ଇନଚାର୍ଜ ସରୋଜିନୀ ନାୟକ ପ୍ରତିଟି ନାରୀ ଯେ କୌଣସି ପ୍ରକାର ନିର୍ଯାତନା ବେଳେ ତାର ମୁକାବିଲା ପାଇଁ ସାହସ ପ୍ରଦର୍ଶନ କରିବାକୁ ପଛାନ୍ତୁ ନାହିଁ ବୋଲି ଆହ୍ୱାନ ଦେଇ ସମବେତ ନାରୀମାନଙ୍କ ମନରେ ଉତ୍ସାହ ଭରିଥିଲେ। ସଭାରେ ଅତିଥି ଭାବେ ଯୋଗ ଦେଇଥିବା ‘ଯୁଗଶ୍ରୀ ଯୁଗନାରୀ’ର ସମ୍ପାଦିକା ମମତା ମହାପାତ୍ର ଆନ୍ତର୍ଜାତିକ ମହିଳା ଦିବସର ପରିକଳ୍ପନା ଓ ଆଜିର ଅବସ୍ଥାର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ନାରୀମାନଙ୍କୁ ନିଜ ପ୍ରଗତି ପାଇଁ ଦାୟିତ୍ୱ ନେବା ଉପରେ ଜୋର ଦେଇଥିଲେ।

ସେହିପରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆମ ସମାଜରେ ନାରୀମାନଙ୍କୁ ଋଢିବାଦୀ ବ୍ୟବସ୍ଥା ମଧ୍ୟରେ ବାନ୍ଧି ରଖିବାର ଯେଉଁ ଚକ୍ରାନ୍ତ କରାଯାଇଛି ତାକୁ ପରିହାର କରି ଆଧୁନିକତାକୁ ଆପଣେଇ ପାରିଲେ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି ଭଳି ପ୍ରତିଟି କ୍ଷେତ୍ରରେ ସେମାନେ ପ୍ରଗତି କରିପାରିବେ ବୋଲି କହିଥିଲେ। ଅଧିବକ୍ତା ପ୍ରଭାକର ସାହୁ ଆଗରୁ ପତିର ସମ୍ପତି ଉପରେ ପତ୍ନୀର ଅଧିକାର ରହିଥିବା ବେଳେ ଏବେ ସେହି ଆଇନରେ ପରିବର୍ତନ ହୋଇ ଏଣିକି ପିତାଙ୍କ ସମ୍ପତିରେ ମଧ୍ୟ କନ୍ୟାର ଅଧିକାରକୁ ଆମ ଆଇନ ବ୍ୟବସ୍ଥା ମାନ୍ୟତା ଦେଇଥିବା ସେ ବର୍ଣ୍ଣନା କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆସ୍ତେରିଆ କେର୍କେଟାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ କାର୍ଯ୍ୟରତ ବିଭିନ୍ନ ବ୍ଲକର ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ମାନପତ୍ର, ଟ୍ରଫି ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here