ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ଆସନ୍ତା ରାମନବମୀ ଉତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେନେଇ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
କମିଟିର ପ୍ରସ୍ତାବ ମୁତାବକ ପୂର୍ବବର୍ଷ ଭଳି ୨୪ତାରିଖ ଅପରାହ୍ନ ୩ ଘଟିକା ସମୟରେ ସ୍ଥାନୀୟ ପରମିଟ ପଡିଆଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ପୁଣି ପରମିଟ ପଡିଆରେ ପହଞ୍ଚିବେ। ଏଥିରେ ପ୍ରାୟ ୨ହଜାର ମୋଟର ସାଇକେଲ ସାମିଲ ହେବ। ତେବେ ରାଲି ଚଳିତ ଥର ନୂଆ ରୁଟରେ ଯିବା ପ୍ରସ୍ତାବ ଉପରେ ପୋଲିସ ଅରାଜି ହେବାରୁ ସେ ନେଇ ପୋଲିସ ଓ କମିଟି ଆଲୋଚନା କରି ନୂଆ ସିଦ୍ଧାନ୍ତ ଗ୍ରହଣ କରିବାକୁ କୁହାଯାଇଛି।
୨୫ ତାରିଖ ସକାଳ ୮ଘଟିକା ଠାରୁ ପଦଯାତ୍ରା କରାଯିବ। ତେବେ ରାଲି ଏବଂ ପଦଯାତ୍ରା ବେଳେ କୌଣସି ରାଜନୈତିକ ତଥା ଉତ୍ତେଜକ ସ୍ଲୋଗାନ ଉପରେ ପୋଲିସ କଟକଣା ଜାରି କରିଛି। ସେହିପରି କୌଣସି ବ୍ୟକ୍ତି ନିଜ ସହ ନଡିଆ ନେଇ ରାଲି କିମ୍ବା ପଦଯାତ୍ରାରେ ସାମିଲ ହୋଇପାରିବେ ନାହିଁ। ଏହି ସମୟରେ ଉଚ୍ଚ ଶବ୍ଦଯୁକ୍ତ ଡାକବାଜି ଯନ୍ତ୍ର ବ୍ୟବହାର କରାଯିବ ନାହିଁ। ପ୍ରତ୍ୟେକ ଛକମାନଙ୍କରେ କମିଟି ତରଫରୁ ସ୍ୱେଚ୍ଛାସେବୀ ମୁତୟନ କରାଯାଇ ଯାନବାହାନ ଯାତାୟତ ଶୃଙ୍ଖଳିତ କରାଯିବା ସହ କୌଣସି ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଆଇନଶୃଙ୍ଖଳା ବଜାୟ ରଖିବାକୁ ପୋଲିକୁ ସହଯୋଗ କରିବାକୁ କୁହାଯାଇଛି।
ସେହିପରି ରାମନବମୀ ଦିନ ସହରରେ ମଦ ଦୋକାନ ବନ୍ଦ କରିବାକୁ କମିଟି ପ୍ରସ୍ତାବ ଦେଇଥିଲେ। ତେବେ ଜିଲ୍ଲାପାଳ ନିୟମ ଅନୁଯାୟୀ ବିଚାର କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ତା ଛଡା ବୈଠକରେ ଆଲୋଚନା କରାଯାଇଥିବା ନିର୍ଦ୍ଧାରିତ ବିଷୟଗୁଡିକରୁ ବିଚୁ୍ୟତ ହୋଇ କୌଣସି ପ୍ରକାର ଅଭାବନୀୟ କାଣ୍ଡ ଯେପରି କୌଣସି ବ୍ୟକ୍ତି ନ ଘଟାନ୍ତି ସେଥିପ୍ରତି କମିଟି ମଧ୍ୟ ସଜାଗ ଦୃଷ୍ଟି ଦେବାକୁ ଚେତାଇ ଦେଇଥିଲେ। ସହରରେ ଶାନ୍ତି ଶୃଙ୍ଖଳା ସହ ଯେପରି ରାମ ନବମୀ ପାଳନ ହେବ ସେଥିପାଇଁ ସବୁ ସମ୍ପ୍ରଦାୟର ଲୋକେ ସହଯୋଗ କରିବାକୁ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ।














