ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳ୍ପନା ଦାସଙ୍କ ପରେ ଆଉ ଜଣେ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ ବିଶ୍ୱର ଉଚ୍ଚତମ ଗିରିଶୃଙ୍ଗ ‘ଏଭରେଷ୍ଟ’ର ଶିଖର ଛୁଇଁବା ପାଇଁ ଯାଉଛନ୍ତି।

ଯାଜପୁର ଜିଲ୍ଲା କଳିଙ୍ଗନଗର ନିକଟସ୍ଥ ଜାଗଢ଼ିଆ ଗ୍ରାମର ୨୦ ବର୍ଷୀୟା ଆଦିବାସୀ ଝିଅ ହେଉଛନ୍ତି ସ୍ୱର୍ଣ୍ଣଲତା। ଓଡ଼ିଶାରେ ପର୍ବତାରୋହଣ ଭଳି ଦୁଃସାହସିକ କ୍ରୀଡ଼ାର ପ୍ରଚାର ପ୍ରସାର ଲାଗି ୨୦୧୬ରୁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ’ରେ ସାମିଲ ହୋଇ ସ୍ୱର୍ଣ୍ଣଲତା ଏକମାତ୍ର ପର୍ବତାରୋହୀ ଭାବେ ଏଭରେଷ୍ଟ ଅଭିଯାନରେ ଯିବା ଲାଗି ମନୋନୀତ ହୋଇଛନ୍ତି।

ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନରେ ସାମିଲ ହେବା ପରେ ଏଭରେଷ୍ଟ ବେସ୍‌କ୍ୟାମ୍ପ, ମାଉଣ୍ଟ ରୁଦୁଗାଇରା ଓ ମାଉଣ୍ଟ ଆକନକାଗୁଆ ବେସ୍‌କ୍ୟାମ୍ପ ସହ ହିମାଳୟ ପାର୍ବତ୍ୟାଞ୍ଚଳରେ ଥିବା ବହୁ ଛୋଟ ବଡ଼ ଗିରିଶୃଙ୍ଗକୁ ସଫଳତାର ସହ ଆରୋହଣ କରିଥିଲେ ସ୍ୱର୍ଣ୍ଣଲତା ।

ଏହି ଅଭିଜ୍ଞତାରୁ ହିଁ ଏଭରେଷ୍ଟ ଉପରେ ପାଦ ଥାପିବା ଲାଗି ତାଙ୍କୁ ଆତ୍ମବିଶ୍ୱାସ ମିଳିଛି। ବର୍ତ୍ତମାନ ସ୍ୱର୍ଣ୍ଣଲତା ଉତ୍ତରକାଶୀରେ ରହି ଏଥିଲାଗି ମାନସିକ ଏବଂ ଶାରୀରିକ ଭାବେ ପ୍ରସ୍ତୁତି ଚଳାଇଛନ୍ତି। ସେ ମଧ୍ୟ ଭୁବନେଶ୍ୱର ଏବଂ କୋଲକାତାରେ ଅନୁଷ୍ଠିତ ମାରାଥନରେ ଅଂଶ ଗ୍ରହଣ କରି ନିଜକୁ ଫିଟ୍‌ ରଖିଛନ୍ତି।

ସ୍ୱର୍ଣ୍ଣଲତାଙ୍କ ସହ ପୁନମ ଏବଂ ସନ୍ଦୀପ ତୋଲିଆ ନାମକ ଆଉ ଦୁଇ ପର୍ବତାରୋହୀ ମଧ୍ୟ ଚଳିତମାସରେ ଏଭରେଷ୍ଟ ଅଭିଯାନରେ ଯିବେ। ଏହି ପ୍ରତୀକ୍ଷିତ ଅଭିଯାନ ଚଳିତ ମାସ ୨୭ ତାରିଖରେ ଆରମ୍ଭ ହେବ। ପାଖାପାଖି ଦୁଇମାସ ପରେ ସ୍ୱର୍ଣ୍ଣଲତା ଏଭରେଷ୍ଟ ଉପରେ ପହଞ୍ଚିବେ। ସ୍ୱର୍ଣ୍ଣଲତା ଆସନ୍ତା ୨୭ରେ ଦିଲ୍ଲୀରୁ କାଠମାଣ୍ଡୁ ଯିବା ପରେ ସେଠାରୁ ଜିରି ନାମକ ସ୍ଥାନରୁ ବାହାରି ହିମାଳୟ ବେସ୍‌କ୍ୟାମ୍ପରେ ପହଞ୍ଚିବେ। ସେଠାରେ ଏକମାସରୁ ଅଧିକ ସମୟ ରହି ପରିବେଶ ସହ ନିଜକୁ ଖାପ ଖୁଆଇବା ପରେ ଏଭରେଷ୍ଟ ଚଢ଼ିବା ଆରମ୍ଭ କରିବେ। ଟାଟା ଷ୍ଟିଲ୍‌ ଦୁଃସାହସିକ ପ୍ରତିଷ୍ଠାନ ବା ଟିଏସ୍‌ଏଏଫ୍‌ ଏ ଦିଗରେ ତାଙ୍କୁ ବୈଷୟିକ ସହାୟତା ପ୍ରଦାନ କରିବ।

ଜିରି ବାଟ ଦେଇ ଦେଶର ପ୍ରଥମ ମହିଳା ପର୍ବତାରୋହୀ ବଚ୍ଛେନ୍ଦ୍ରୀ ପାଲ ଏଭରେଷ୍ଟ ଉପରେ ପାଦ ଥାପି ଥିଲେ। ସ୍ୱର୍ଣ୍ଣଲତା ତାଙ୍କଠାରୁ ପାହାଡ଼ଚଢ଼ାର କଳା କୌଶଳ ଶିଖୁଥିବାରୁ ସେ ମଧ୍ୟ ଖୁବଶୀଘ୍ର ଏଭରେଷ୍ଟ ଚଢ଼ିବା କୀର୍ତ୍ତିମାନର ଅଧିକାରୀ ହୋଇପାରିବେ ବୋଲି ଆଶା କରାଯାଉଛି।

Comment