ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଆଦିବାସୀ ଅଧ୍ୟୁସିତ କୋରାପୁଟର ଜିଲ୍ଲାର ଜଣେ ସାହସୀ ମହିଳା ହେଉଛନ୍ତି କମଳା ପୂଜାରୀ। କେବଳ ରାଜ୍ୟରେ ନୁହେଁ ଦେଶ-ବିଦେଶରେ ନିଜର ଏକ ସ୍ଵତନ୍ତ୍ର ପରିଚୟ କରିଛନ୍ତି କମଳା।

କମଳା ପୂଜାରୀ। ଘର ଓଡ଼ିଶାର ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗାଁରେ। ୬୬ ବର୍ଷ ବୟସ୍କା ସ୍କୁଲ ମାଟି ମାଡ଼ି ନଥିବା କମଳା ଏବେ ଜଣେ କୃଷି ବିଜ୍ଞାନୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି।

ବିଶ୍ଵକୁ ବିରଳ କଳାଜିରା ପ୍ରଜାତିର ଧାନକୁ ଉପହାର ଦେଇଥିବାରୁ କୃଷି ବିଜ୍ଞାନୀଙ୍କ ସୂଚୀରେ ଯୋଡ଼ି ହୋଇଯାଇଛି କମଳାଙ୍କ ନାଁ ଓ କୀର୍ତ୍ତି।

ଧାନର ଆଦିଭୂମି ଭାବେ କୋରାପୁଟକୁ ଚିହ୍ନିତ କରାଯାଇଥାଏ। ଦିନ ଥିଲା ଏଇ ମାଟିରୁ ବିକଶିତ ହେଉଥିଲା ହଜାର ହଜାର ପ୍ରଜାତିର ପାରମ୍ପରିକ ଧାନ। ଦେଶୀ ପ୍ରଜାତିର ଧାନ ବିହନଗୁଡ଼ିକ ଲୋକ ପାଇ ଆସୁଥିବା ବେଳେ

କମଳା ପ୍ରଥମେ ନିଜ ପରିବାରଠୁ ଆରମ୍ଭ କଲେ ବିହନ ସଂରକ୍ଷଣ ଅଭିଯାନ। ତା’ପରେ ଘରକୁ ଘର ଓ ଗାଁକୁ ଗାଁ ଯାଇ ବିହନଗୁଡ଼ିକୁ ସାଇତି ରଖିବା ପାଇଁ ପ୍ରେରଣା ଓ ମାର୍ଗଦର୍ଶନ ଦେଲେ।

ପାରମ୍ପରିକ ଧାନ କିସମ ଯଥା କଳାଜିରା, ବାୟାମଣ୍ଡା, ଆସାମଚୁଡ଼ି ଆଦିର ସଂରକ୍ଷଣ କ୍ଷେତ୍ରରେ କମଳା ପୂଜାରୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି।

ପାରମ୍ପରିକ ଧାନ କିସମକୁ ସଂରକ୍ଷଣ କରି ବିଶ୍ଵକୁ ପରିଚୟ ଦେଇଥିବା କମଳା ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ୨୦୦୨ ମସିହା ଅଗଷ୍ଟ ୩୦ ତାରିଖରେ ଏକ ସ୍ଵତନ୍ତ୍ର ଉତ୍ସବରେ ସମ୍ମାନିତ ହୋଇଥିବା ବେଳେ ୨୦୦୩ରେ ଆଇଏସିଆର୍‌ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲା।

ବିଗତ ତିନି ଦଶନ୍ଧି ଧରି କମଳା ନିଜ ଗାଁ ପାତ୍ରପୁଟଠାରେ ୧୦୦ରୁ ଅଧିକ ଧାନ ପ୍ରଜାତିର ଚାଷ କରି ଆସୁଛନ୍ତି, ଯାହା ଓଡ଼ିଶାରେ ପ୍ରଥମ ଗାଁ ଯେଉଁଠି ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏତେ ପ୍ରକାର ପ୍ରଜାତି ତିଷ୍ଠି ରହିଛି।

କମଳା ପୂଜାରୀ ରାଜ୍ୟ ଯୋଜନା ବୋର୍ଡର ସଭ୍ୟା ହୋଇଛନ୍ତି। ଏହି ସମ୍ମାନ ପାଇବାରେ ସେ ହେଉଛନ୍ତି କୋରାପୁଟ ଜିଲ୍ଲାର ପ୍ରଥମ ଆଦିବାସୀ ମହିଳା। ଏବେ ଚାଷ ଓ ଚାଷୀଙ୍କ ହକ୍ ପାଇଁ ଲଢେଇ କରିବେ ବୋଲି କହିଛନ୍ତି କମଳା।

ଧାନ ଗବେଷଣା କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରରେ ନାଁ କରିଥିବା କମଳା ପୂଜାରୀଙ୍କ ନାଁରେ ଗତ ବର୍ଷ ରାଜ୍ୟ ସରକାର ଭୁବନେଶ୍ଵରସ୍ଥିତ ଓୟୁଏଟିର ଏକ ଛାତ୍ରୀ ନିବାସକୁ ବି ତାଙ୍କ ନାଁରେ ନାମିତ କରିଛନ୍ତି। କିନ୍ତୁ ବିଡମ୍ବନାର କଥା, ଏତେ ସବୁ ସମ୍ମାନ ସତ୍ତ୍ଵେ ପରିଣତ ବୟସରେ ଜୀବନ ଜୀବିକା ପାଇଁ ଏବେ ବି ସଂଘର୍ଷ କରୁଛନ୍ତି ସେ। ତେଣୁ ରାଜ୍ୟ ସରକାର କାଗଜର ସମ୍ମାନ ଛାଡି ବଞ୍ଚିବାର ରାହା ଯୋଗାନ୍ତୁ ବୋଲି ଦୁଃଖର ସହ କହିଛନ୍ତି କମଳା।

କମଳା ପୂଜାରୀଙ୍କଦ୍ଵାରା ସଂରକ୍ଷିତ କିଛି ଦେଶୀ ଧାନ କିସମ ହେଲା :

  • ହଳଦୀଗଣ୍ଠି
  • ଝିଲି
  • ସପୁରି
  • ବୃଦ୍ଧମଣି
  • କଳାଜିରା
  • କାଲାମଲ୍ଲିକ
  • ମାଛକଣ୍ଟା
  • ଲଦିଆରୀ
  • ବରପକ
  • ବିଲେନ
  • ଫୁରା
  • ଘଣ୍ଟିଆ ଧାନ
  • ହଳଦୀଗୁରି
  • ଉମୁରିଆଚୁରୀ
  • ଗଣ୍ଠିଆ
  • ବଡ଼ିକାବରୀ
  • ଲଲାଟ

ପୁରସ୍କାର

  • ଉନ୍ନତ କିସମର ଦେଶୀ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ୨୦୦୨ ମସିହାରେ ତାଙ୍କୁ ଇକ୍ଵେଟର ଇନିସିଏଟିଭ୍ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
  • ଭାରତ ସରକାର ୨୦୦୩ ମସିହାରେ ତାଙ୍କୁ ‘କୃଷି ବିଶାରଦ” ସମ୍ମାନରେ ସମ୍ମାନିତ କରିଛନ୍ତି ।
  • କୃଷି ସମ୍ମାନ ଓଡ଼ିଶା ସରକାର କମଳାଙ୍କ ସମ୍ମାନାର୍ଥ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି)ର ମହିଳା ଛାତ୍ରୀନିବାସକୁ କମଳାଙ୍କ ନାମରେ ନାମିତ କରିଛନ୍ତି ।

ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ସେ ପ୍ରାରମ୍ଭିକ ଅବସ୍ଥାରେ ୨୧ ଜଣ ଉତ୍ସର୍ଗୀକୃତ ତଥା କର୍ମଠ ମହିଳାଙ୍କୁ ନେଇ ନିଜ ଗାଁରେ ‘ତ୍ରୀନାଥ ଠାକୁର ବନ ସୁରକ୍ଷା ସମିତି’ ନାମକ ଏକ ସଂଘ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାମ କରିଥିଲେ ।

ସେ ଜୟପୁରସ୍ଥିତ ଏମଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଇଣ୍ଡେସନରେ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ପାଇଥିଲେ । ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବିକ ଚାଷ କରି ଲୋକଲୋଚନକୁ ଆସିଥିଲେ ।

Comment