ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଗଡ଼ିବାକୁ ଯାଉଛି ୨ଟି ଇ-ରିକ୍ସା।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଖୁବଶୀଘ୍ର ବ୍ୟାଟେରିଚାଳିତ ଇ-ରିକ୍ସା ଚାଲିବ । ବିଶ୍ୱବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗକୁ ଏହି ରି-ରିକ୍ସା ଚାଲିବ।

ପ୍ରାୟ ୮୭ଏକର ଜମିରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଗଢି ଉଠିଛି। ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ୬୫୦୦ରୁ ଅଧିକ ବିଦ୍ୟାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୮୦ଜଣ ବିଦ୍ୟାର୍ଥୀ ଭିନ୍ନକ୍ଷମ ଅଛନ୍ତି।

ଅଧିକାଂଶ ସମୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଗୋଟିଏ ବିଭାଗରୁ ଆଉ ଏକ ବିଭାଗକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିକି ଅନେକ ଭିନ୍ନକ୍ଷମ ବିଦ୍ୟାର୍ଥୀ ସଠିକ ସମୟରେ କ୍ଲାସରେ ପହଞ୍ଚି ପାରୁନାହାନ୍ତି।

ଭିନ୍ନକ୍ଷମଙ୍କ ସମସ୍ୟାର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସରେ ଇ-ରିକ୍ସା ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇ-ରିକ୍ସା ପ୍ରତିଦିନ ବିଭିନ୍ନ ବିଭାଗକୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ନେବା-ଆଣିବା କରିବ।

ଏକ ଘରୋଇ ସଂସ୍ଥା କ୍ୟାମ୍ପସରେ ୨ଟି ରି-ରିକ୍ସା ଚଳାଇବାକୁ ସମ୍ମତି ପ୍ରଦାନ କରିଥିବା ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଇ-ରିକ୍ସା ସହିତ ଏକାଧିକ ଅଟ୍ଟାଳିକାରେ ମଧ୍ୟ ଲିଫ୍ଟ ସୁବିଧା କରାଯିବ। ଲିଫ୍ଟ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇଛି। ଖୁବଶୀଘ୍ର ଏହାର କାର୍ଯ୍ୟକାରୀ କରାଯିବ।

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ କନିକା ଲାଇବ୍ରେରୀରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ବ୍ରେଲି ପ୍ରିଣ୍ଟର ସୁବିଧା କରାଯାଇଛି। ଏଥିସହିତ ଅତ୍ୟାଧୁନିକ କମ୍ପ୍ୟୁଟର ସଫ୍ଟୱେୟାର ମାଧ୍ୟମରେ ଟେକ୍ସଟବୁକରେ ଲିଖିତ ପାଠ୍ୟକ୍ରମକୁ ଶ୍ରବଣଯୁକ୍ତ କରିବା ପାଇଁ ପାଠାଗାରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ଏଥିପାଇଁ ଅର୍ଥ ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ରାବାସରେ ପର୍ଯ୍ୟାୟ କ୍ରମେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ କରାଯିବ।

Comment