ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେଭେନ୍ସା ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ସଞ୍ଜୟ କୁମାର ନାୟକ। ଶୁକ୍ରବାର ତାଙ୍କୁ ୪ ବର୍ଷ ପାଇଁ ଏହି ନିଯୁକ୍ତି ଦେଇଛନ୍ତି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ। ପ୍ରଫେସର ନାୟକ ଏବେ ଚେନ୍ନାଇ ସିପେଟ (CIPET, Chennai)ର ମହାନିର୍ଦ୍ଦେଶକ ଅଛନ୍ତି। ଶିକ୍ଷାଦାନରେ ତାଙ୍କର ୩୪ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ଏହାସହିତ ସେ ୩୫ଟି ବହି ବି ଲେଖି ସାରିଛନ୍ତି। ତାଙ୍କ ଅଧୀନରେ ୪୦ ଜଣ ପିଏଚଡି କରିଥିବା ଜଣାପଡ଼ିଛି।

ପଲିମର ବିଜ୍ଞାନରେ ବିଶେଷ ଦକ୍ଷତା ଥିବା ପ୍ରଫେସର ନାୟକ ପରିବେଶ ଅନୁକୂଳ କମ୍ପୋଜିଟ, ନାନୋ କମ୍ପୋଜିଟ,ବାୟୋ   ପଲିମର  ଓ ଇ-ୱେଷ୍ଟରୁ ପ୍ଲାଷ୍ଟିକ ତିଆରି ଉପରେ ଢ଼େର କାମ କରିଛନ୍ତି। ପ୍ରାୟ ୪୫୦ ଗବେଷଣା ସନ୍ଦର୍ଭ ଓ ୩୦ଟି ପୁସ୍ତକର ଲେଖକ ହେବା ବ୍ୟତୀତ ତାଙ୍କର ୫୦ଟି ପେଟେଣ୍ଟ ରହିଛି।

ପଲିମର ବିଜ୍ଞାନକୁ ତାଙ୍କର ଅବଦାନ ପାଇଁ ସେ ଏସୀୟ ପଲିମର ଆସୋସିଏସନରୁ ବିଶିଷ୍ଟ ବୈଜ୍ଞାନିକ ସମ୍ନାନ ପାଇଛନ୍ତି। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ ସମ୍ପାଦନ କରିଥିଲେ। ଜଣେ ମାନ୍ୟ ଶିକ୍ଷାବିତ ଭାବରେ ତାଙ୍କର ସୁଖ୍ୟାତି ରହିଛି।

ରେଭେନ୍ସା ବିଶ୍ୱ ବିଦ୍ୟାଳୟର କୁଳପତି ଥିଲେ ପ୍ରଫେସର ଇଶାନ କୁମାର ପାତ୍ର। ସେ ୨୦୧୮ରେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କ କାର୍ଯ୍ୟକାଳ ସରୁଥିବାରୁ ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ନିଯୁକ୍ତି ମିଳୁଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ଦୌଡ଼ରେ ୩ ଜଣ ପ୍ରାର୍ଥୀ ଥିଲେ। କୁଳପତି ମନୋନୟନ ପାଇଁ ଶୁକ୍ରବାର ରାଜଭବନରେ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା।  ପ୍ରଫେସର ଗଣେଶୀଲାଲ ସେମାନଙ୍କ ବ୍ୟକ୍ତିଗତ ସାକ୍ଷାତ ନେବା ପରେ ପ୍ରଫେସର ସଞ୍ଜୟ ନାୟକଙ୍କୁ ନିଯୁକ୍ତି ଦେଇଛନ୍ତି।

Comment