ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୀବନରେ ଧୈର୍ଯ୍ୟ ଓ ସକାରାତ୍ମକ ବିଶ୍ୱାସ ସହ ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରିବା ଉଚିତ – ପଢନ୍ତୁ ଲକଡାଉନ୍‌ ଅନୁଭୂତି ବାଣ୍ଟି କ’ଣ କହିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ତଥା ମୋଟିଭେସନାଲ ସ୍ପିକର ଡକ୍ଟର ଦେବୀଲାଲ ମିଶ୍ର।

‘‘ପ୍ରତିଟି ସମସ୍ୟା ଭିତରେ ନିଜକୁ ଆବିଷ୍କାର କରିଵାର ସୁଯୋଗ ଲୁଚି଼ ରହିଥାଏ। ତେଣୁ ଡରି ନଯାଇ ନିଜ ସାମର୍ଥ୍ୟର ସନ୍ଧାନ କରନ୍ତୁ। ନିଜର ନୂତନତ୍ୱକୁ ଅନୁଭବ କରନ୍ତୁ। ଖୁଵ୍ ହସନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ହସାନ୍ତୁ। ଖୁସି ରୁହନ୍ତୁ। ଘରେ ରୁହନ୍ତୁ। ପରିବାରରେ ସମସ୍ତଙ୍କ ସହ କଥା ହୁଅନ୍ତୁ। ସକାରାତ୍ମକ ବାତାବରଣ ତିଆରି କରନ୍ତୁ। ସରକାରଙ୍କ ନିର୍ଦ୍ଦେଶାବଳୀର ଅନୁପାଳନ କରନ୍ତୁ’’, କହିଛନ୍ତି ଦେବୀଲାଲ ମିଶ୍ର।

ଲକଡାଉନରେ କେମିତି କଟୁଛି ଦିନ?

ପୂର୍ବରୁ ସବୁବେଳେ କାମ ବ୍ୟସ୍ତତା ଯୋଗୁଁ ନିଜ ପାଇଁ ସମୟ ମିଳୁନଥିଲା। ନିଜକୁ ଯାହା କରିବାକୁ ଭଲ ଲାଗେ ସେଥିପାଇଁ ସମୟ ଦେଇ ହେଉନଥିଲା। ଏବେ କିନ୍ତୁ ପର୍ଯ୍ୟାପ୍ତ ସମୟ ମିଳିଛି। ତେଣୁ ଅଧିକ ସମୟ ପଢାପଢି ଓ ଲେଖାଲେଖିରେ କଟୁଛି। ଛାତ୍ରଛାତ୍ରୀମାନଙ୍କ କଥା ବୁଝିବା ସହ ସାଙ୍ଗସାଥୀ ଓ ଆତ୍ମୀୟଙ୍କ ସହ କଥା ହେଉଛି। ନିଜ ସହ ମଧ୍ୟ ବେଶ୍‌ କିଛି ସମୟ ବିତାଉଛି।

ଏବେ ନିଜକୁ ଟିକେ ଅଧିକ ସମୟ ଦେଇପାରୁଛି। ପରିଵାର ସହ ସମୟ ବିତାଇପାରୁଛି। କିଛି ନୂଆ ନୂଆ ସୃଜନାତ୍ମକ ପ୍ରୟୋଗ କରିପାରୁଛି। ଆତ୍ମଅଧ୍ୟୟନ ପାଇଁ ସମୟ ମିଳୁଛି।

ଯଦି ମତେ ପଚରାଯାଏ ଯେ ଏହି ଲକଡାଉନ୍‌ ସମୟ କିଭଳି ସଦୁପଯୋଗ କରିହେବ ତେବେ ମୁଁ ଗୋଟିଏ କଥା କହିବି ଆଧ୍ୟାତ୍ମିକ ଜୀବନ ଶୈଳୀ  ମାଧ୍ୟମରେ ହିଁ ଲକଡାଉନର ସଦୁପଯୋଗ କରାଯାଇପାରିଵ।

ଲକ୍‌ଡାଉନରେ ସ୍ପେଶାଲ ପ୍ରୋଜେକ୍ଟ ଭାବେ ସଂଚାର ଓ ସାମାଜିକ ମନସ୍ତତ୍ୱ ଉପରେ ମୋ କାର୍ଯ୍ୟ ଜାରି ରହିଛି। ଏକ ପୁସ୍ତକ ପ୍ରକାଶନ ନିମିତ୍ତ ମଧ୍ୟ ମୁଁ କାର୍ଯ୍ୟରତ। ଏହାସହିତ କିଛି କବିତା ମଧ୍ୟ ଲେଖାଲେଖି ଚାଲିଛି। କରୋନାକୁ ନେଇ ମଧ୍ୟ ଏକ କବିତା ଲେଖିଛି।

କୋରୋନା କେଵେ
କରିପାରିଵନି ଆକ୍ରାନ୍ତ
ମଣିଷର ଶେଷ ବିଶ୍ୱାସକୁ,
ସଙ୍କଳ୍ପର ଅଦମ୍ୟ ପକ୍ଷକୁ;
ଜୀଵନ ଯୁଦ୍ଧରେ ଜିତିବ
ମଣିଷତ୍ୱର ପ୍ରକୃତି,
ପୁଣି ଥରେ ହସିଵ ଚେତନାର କୃତି;
ଜୀବନ ଵଂଚିଵ
ସ୍ୱପ୍ନ ନାଚିଵ,
ସାଧନାର ଅସାଧ୍ୟ ପଥରେ
କୋରୋନା ଟଳିଵ

ଓଡ଼ିଶାଲାଇଭ୍‌ର ପାଠକ/ଦର୍ଶକମାନଙ୍କ ପାଇଁ ଏଇ ସମୟରେ କଣ ବାର୍ତ୍ତା ଦେବେ?

ବତ୍ତର୍ମାନ ସମୟରେ ସମସ୍ତଙ୍କ ବ୍ୟତିବ୍ୟସ୍ତ ଲାଗିବା ସ୍ୱାଭାବିକ। କିନ୍ତୁ ଏହି ସମୟରେ ଆମକୁ ସମ୍ଵେଦନଶୀଳ ଓ ସଂଯମଶୀଳ ହେଵାର ଆବଶ୍ୟକତା ରହିଛି। ଜୀବନରେ ଧୈର୍ଯ୍ୟ ଓ ସକାରାତ୍ମକ ବିଶ୍ୱାସ ସହ ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରିବା ଉଚିତ।  ସମୟ ପରିବର୍ତ୍ତନଶୀଳ। ତେଣୁ ଏ ବିଶ୍ୱାସ ରଖନ୍ତୁ ଯେ ଏ ସମୟ ବି ଚାଲିଯିବ।

Comment