ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ଖବର ଗଣାପଡ଼ିବା ପରେ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଛି। ହେଲେ ସେବାୟତମାନେ ଏହାକୁ ବିରୋଧ କରି ଚାଲିଛନ୍ତି। ରତ୍ନଭଣ୍ଡାର ଖୋଲିଲେ ଆତ୍ମହାହୁତି ଦେବେ ବୋଲି ବରିଷ୍ଠ ସେବାୟତ ନରସିଂହ ପୂଜାପଣ୍ଡା ଚେତାବନୀ ଦେଇଛନ୍ତି। ଏହି ଆବେଦନକୁ ବିଭିନ୍ନ ଅନୁଷ୍ଠାନ ସମର୍ଥନ କରିଛନ୍ତି। ଏନେଇ ସେ ଶନିବାର ଉପ-ଜିଲ୍ଲାପାଳଙ୍କ ଅଫିସରେ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି।

ଏପଟେ ଗତ ଦୁଇଦିନ ତଳେ ମଧ୍ୟ ଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯାଇଥିଲା। ସିଂହଦ୍ୱାର ନିକଟରେ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା।

ବର୍ଷ ବର୍ଷ ଧରି ରହସ୍ୟମୟ ହୋଇ ରହିଛି ଶଅୀମନ୍ଦିରର ରତ୍ନଭଣ୍ଡାର। କୁହାଯାଉଛି ଏହି ଭଣ୍ଡାରରେ ମହଣ ମହଣ ସୁନା, ହୀରା, ମୋତି, ମାଣିକ୍ୟ ରହିଛି। ହେଲେ ଭଣ୍ଡାରକୁ ଖୋଲିବା ପାଇଁ କେହି ସାହସ କରିପାରି ନାହାନ୍ତି। ୧୯୮୪ରେ ଖୋଲିବା ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ଏହି ଉଦ୍ୟମ ସଫଳ ହୋଇ ନଥିଲା।

କୁହାଯାଉଛି ରତ୍ନଭଣ୍ଡାରରେ ରହିଛି ବହୁ କୋଠରୀ। ଏବେ ମାତ୍ର ୩ଟି କୋଠରୀ ଖୋଲାଯାଇ ଶ୍ରୀଜିଉଙ୍କ ଦୈନନ୍ଦିନ ସେବାରେ ଲାଗୁଥିବା ଅଳଙ୍କାର ଏବଂ ଆଭୂଷଣ ଆସୁଛି। ହେଲେ ଭିତରେ ଯେଉଁ କୋଠରୀ ରହିଛି ତାହା କେବେ ଖୋଲାଯାଇ ନାହିଁ। ତେବେ ଏହି କୋଠରୀର ଅବସ୍ଥା କେମିତି ଅଛି ତାହା ଜାଣିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ହାଇକୋର୍ଟ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବା ପାଇଁ କହିଛନ୍ତି। ଏହି ଆଦେଶ ବଳରେ ୨୬ ଓ ୨୭ ତାରିଖରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରିପାରେ ଏଏସ୍‌ଆଇ।

ହେଲେ ରତ୍ନଭଣ୍ଡାର ଖୋଲିବା ଦିନ ଯେତିକି ନିକଟତର ହେଉଛି ତାକୁ ନେଇ ବିରୋଧ ମଧ୍ୟ ସେତିକି ବଢ଼ୁଛି। ଏପରିସ୍ଥଳେ କ’ଣ ହେବ ତା’ ଉପରେ ରହିଛି ସମସ୍ତଙ୍କ ନଜର।

Comment