ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧ୍ୟକ୍ଷ ହେବା ପରେ ରାହୁଲ ଗାନ୍ଧି ଆଜି ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ଦୀର୍ଘଦିନ ଧରି ଦଳର ସଙ୍ଗଠନ ମହାସଚିବ ଥିବା ଜନାର୍ଦ୍ଦନ ଦ୍ୱିବେଦୀଙ୍କୁ ପଦରୁ ହଟାଇ ବରିଷ୍ଠ ନେତା ଅଶୋକ ଗେହଲଟ୍ଙ୍କୁ ଦାୟିତ୍ୱ ଦେଇଛନ୍ତି।
କଂଗ୍ରେସର ଅଧ୍ୟକ୍ଷ ହେବା ପରେ ଦଳରେ ବଡ଼ ପରିବର୍ତ୍ତନ କରିଛନ୍ତି ରାହୁଲ ଗାନ୍ଧି। ଦୀର୍ଘଦିନ ଧରି ଦଳର ସଙ୍ଗଠନ ମହାସଚିବ ଥିବା ଜନାର୍ଦ୍ଦନ ଦ୍ୱିବେଦୀଙ୍କୁ ପଦରୁ ହଟାଇ ଦେଇଛନ୍ତି ଜନାର୍ଦ୍ଦନଙ୍କ ସ୍ଥାନରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ଦାୟିତ୍ୱ ଦେଇଛନ୍ତି ରାହୁଲ୍।
ଅଶୋକ ଗେହଲଟ୍ଙ୍କୁ ଏହି ଗୁରୁ ଦାୟିତ୍ୱ ଦେବା ପଛର କାରଣ ଗୁଜୁରାଟ ନିର୍ବାଚନ ବୋଲି ଚର୍ଚ୍ଚା ହେଉଛି। ୨୦୧୭ ଡିସେମ୍ବରରେ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ଗେହଲଟ୍ ଗୁଜୁରାଟର ପ୍ରଭାରି ରହିଥିଲେ। ଏହି ନିର୍ବାଚନରେ ରାହୁଲ କମାଲ୍ କରିଥିଲେ।
ଗୁଜୁରାଟରେ କଂଗ୍ରେସ ସରକାର ଗଢ଼ିବାକୁ ସମର୍ଥ ହୋଇ ନଥିଲେ ମଧ୍ୟ ପୂର୍ବ ନିର୍ବାଚନ ତୁଳନାରେ ଆସନ ସଂଖ୍ୟା ବୃଦ୍ଧି ପାଇଥିଲା।
ରାହୁଲ ଗାନ୍ଧି ମଧ୍ୟ ଗୁଜୁରାଟ ନିର୍ବାଚନ ସମୟରେ ଦଳର ଅଧ୍ୟକ୍ଷ ହୋଇଥିଲେ। ୧୯ ବର୍ଷ ଧରି ସୋନିଆ ପାର୍ଟି ଅଧ୍ୟକ୍ଷା ରହିବା ପରେ ରାହୁଲଙ୍କ କାନ୍ଧରେ ଏହି ଗୁରୁ ଦାୟି୍ତ୍ୱ ଅର୍ପଣ କରାଯାଇଥିଲା। ରାହୁଲ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।
ଅଶୋକ ଗେହଲଟ୍ ନମ୍ର ସ୍ୱଭାବର ବ୍ୟକ୍ତି। ସେ ୧୯୯୮ରୁ ୨୦୦୩ ଏବଂ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜୁରାଟ ପ୍ରଭାରି ଭାବେ ରାଜବ ସାତବଙ୍କୁ ନିଯୁକ୍ତି ଦିଆଯାଇଛି।
ହଟିଲେ ଜନାର୍ଦ୍ଦନ
ଦେଢ଼ ଦଶନ୍ଧି ଧରି ସଙ୍ଗଠନ ମହାସଚିବ ଥିଲେ ଜନାର୍ଦ୍ଦନ ଦ୍ୱିବେଦୀ। ତାଙ୍କ ଦସ୍ତଖତରେ ନୂଆ ଲୋକଙ୍କୁ ଦାୟିତ୍ୱ ମିଳୁଥିଲା ଏବଂ ପାର୍ଟିରୁ ବିଦା କରାଯାଉଥିଲା। ଜନାର୍ଦ୍ଦନ ଥିଲେ ସୋନିଆ ଗାନ୍ଧିଙ୍କର ଅତି ବିଶ୍ୱସ୍ତ ଏବଂ ଘନିଷ୍ଠ ସହଯୋଗୀ। ହେଲେ କଂଗ୍ରେସରେ ରାହୁଲ ଯୁଗ ଫେରିବା ପରେ ଜନାର୍ଦ୍ଦନଙ୍କ କାର୍ଯ୍ୟକାଳ ଶେଷ ହୋଇଛି।
ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ଜନାର୍ଦ୍ଦନ ଛାତ୍ର ରାଜନୀତିରୁ ସିଧା କଂଗ୍ରେସରେ ଯୋଗ ଦେଇଥିଲେ। ସେ ରାଜିବ ଗାନ୍ଧିଙ୍କ ସହ ବି କାମ କରିଛନ୍ତି। ସୋନିଆ ଗାନ୍ଧି ଯେଉଁ ଭାଷଣ ଦିଅନ୍ତି ତାହା ଜନାର୍ଦ୍ଦନ ହିଁ ଲେଖିଥାନ୍ତି। କଂଗ୍ରେସର ପାୱାରଫୁଲ୍ ଥିବା ଏହି ନେତାଙ୍କୁ ରାହୁଲ ଆଜି ମହାସଚିବ ପଦରୁ ବିଦାୟ ଦେଇଛନ୍ତି।