ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କୋଣାର୍କରେ ହେଲା ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା
  • ୬୦ଟି ବସ୍ ରହଣି ପାଇଁ ବସ୍‌ ଷ୍ଟାଣ୍ଡ
  • ୧୧୦ଟି କାର୍‌ ପାଇଁ ପାର୍କିଂ ବ୍ୟବସ୍ଥା

ଓଡ଼ିଶା ଦିବସ ପାଳନ ଅବସରରେ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଆନ୍ ଅଏଲ ଦ୍ୱାରା ୪୫ କୋଟି ଟଙ୍କା ବ୍ୟୟବରାଦରେ ହୋଇଥିବା ଏହି ଯୋଜନାରେ ୬୦ଟି ବସ୍ ରହଣି ପାଇଁ ବସ୍‌ ଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଛି।

ସେହିପରି ୧୧୦ଟି କାର୍‌ ପାଇଁ ପାର୍କିଂ, ଦୁଇ ଓ ତିନି ଚକିଆ ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କୋଣାର୍କରେ ଇଣ୍ଟରପ୍ରିଟେସନ୍ ସେଣ୍ଟରର ଲୋକାର୍ପଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏଥିରେ ଅଡ଼ିଓ ଭିଜୁଆଲ ବ୍ୟବସ୍ଥା, ପର୍ଯ୍ୟଟନ କାର୍ଯ୍ୟାଳୟ, ଆର୍ଟ ଗ୍ୟାଲେରୀ, ଭିଆଇପି ରୁମ୍, ଟଏଲେଟ୍ କମ୍ପ୍ଲେକ୍ସ ଆଦିର ବ୍ୟବସ୍ଥା ରହିଛି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “କୋଣାର୍କ ଏକ ଭଗ୍ନସ୍ତୂପ ନୁହେଁ। ଏହା ମାନବସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ। କୋଣାର୍କ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ। ଏହା ବିଶ୍ୱ ଜନ ଜୀବନର ଇତିହାସର କଥା କୁହେ। କୋଣାର୍କକୁ ନେଇ ଓଡ଼ିଆ ଲୋକମାନେ ଗର୍ବ କରିବା ଉଚିତ ଓ ବିଶ୍ୱବାସୀଙ୍କୁ କୋଣାର୍କର ମହନୀୟତା ସମ୍ବନ୍ଧରେ ଅବଗତ କରାଇବା ଉଚିତ।”

କୋଣାର୍କ ବିଶ୍ୱ ସ୍ଥାପତ୍ୟର ଅନନ୍ୟ କେନ୍ଦ୍ର ହୋଇଥିବାରୁ କୋଣାର୍କଠାରେ ଅନ୍ତର୍ଜାତୀୟ ସ୍ତରର ମୂର୍ତ୍ତି କଳା ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ସେ ପଦକ୍ଷେପ ନେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହି ଲୋକାର୍ପଣ ଉତ୍ସବରେ ଭାରତ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଅଦ୍ୱୈତ ଗଡ଼ନାୟକ, ପଦ୍ମଶ୍ରୀ ପ୍ରଭାକର ମହାରଣା, ପଦ୍ମଶ୍ରୀ ସୁଦର୍ଶନ ସାହୁ ଓ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସମେତ ଇଣ୍ଡିଆନ୍ ଅଏଲର ଅଧ୍ୟକ୍ଷ ସଞ୍ଜିବ ସିଂ, ନିର୍ଦ୍ଦେଶକ (ମାନବ ସମ୍ବଳ) ରଂଜନ ମହାପାତ୍ର, ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଜେ ସି ନାକରା ଉପସ୍ଥିତ ଥିଲେ।

Comment