ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଦୀର୍ଘ ସାଢ଼େ ୫ ମାସ ପରେ ଖୋଲିଲା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୪ ଗାଇଡଲାଇନ୍ ଅନୁସାରେ ମନ୍ଦିରକୁ ଖୋଲାଯାଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ତେବେ ଆଜି ସକାଳୁ ସୂର୍ଯ୍ୟ ମନ୍ଦିର ଖୋଲିଥିବା ନେଇ ସୂଚନା ମିଳିଛି।

ଦିନକୁ ପ୍ରାୟ ଅଢ଼େଇ ହଜାର ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ମିଳିଛି। ସକାଳୁ ଅପରାହ୍ନ ଗୋଟାଏ ମଧ୍ୟରେ ୧୫୦୦ ଜଣ ଏବଂ ଅପରାହ୍ନରୁ ୧୦୦୦ ଜଣ ପର୍ଯ୍ୟଟକ ଯାଇପାରିବେ। ସେହିପରି ଏକକାଳୀନ କେବଳ ୧୦୦ ଜଣ ପର୍ଯ୍ୟଟକ ମନ୍ଦିର ଭିତରକୁ ଯାଇପାରିବେ ବୋଲି କୋଣାର୍କ ସୂର୍ଯ୍ୟମନ୍ଦିର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।ଏଥିସହ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକେଟ୍‌ରେ ବାର୍‌କୋଡ୍ ବ୍ୟବସ୍ଥା କରାଯାଇଛି। ଯେଉଁ ପର୍ଯ୍ୟଟକ ଅନ୍‌ଲାଇନ୍‌ରେ ଏଣ୍ଟ୍ରି ଫି ଦେବେ ସେମାନେ ବାହାରେ ଝୁଲୁଥିବା QR କୋଡ୍‌ରୁ ଟଙ୍କା ପୈଠ କରିପାରିବେ। ମନ୍ଦିର ପରିସରରେ କୌଣସି ପ୍ରକାର ସମାଗମ ହେବ ନାହିଁ ବୋଲି କେନ୍ଦ୍ର ଗାଇଡଳାଇନ୍‌ରେ କୁହାଯାଇଛି।

ସମସ୍ତଙ୍କ ପାଇଁ ମାସ୍କ ଏବଂ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ମନ୍ଦିର ଭିତରକୁ ଯିବା ପୂର୍ବରୁ ପର୍ଯ୍ୟଟକଙ୍କର ଥର୍ମାଲ ସ୍କ୍ରିନିଂ ହେବ ବୋଲି ସୂଚନା ମିଳିଛି।

ଅନ୍ୟପଟେ  ମନ୍ଦିର ଖୋଲିବା ପରେ ବ୍ୟବସାୟୀମାନେ ଆଶ୍ଵସ୍ତ ହୋଇଛନ୍ତି। ଦୀର୍ଘ ସାଢ଼େ ୫ ମାସ ହେଲା ମନ୍ଦିର ବନ୍ଦ ରହିଥିବାରୁ ପର୍ଯ୍ୟଟକମାନେ ଆସୁନଥିଲେ। ଫଳରେ ମନ୍ଦିର ପାଖରେ ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀମାନଙ୍କ ଜୀବିକା ଉଜୁଡ଼ି ଯାଇଥିଲା।BGUକିନ୍ତୁ ଆଜି ମନ୍ଦିର ଖୋଲିବା ପରେ ସେମାନେ ନିଜ ଉଜୁଡ଼ା ଦୋକାନଗୁଡ଼ିକୁ ସଜାଡ଼ିବାରେ ଲାଗି ପଡ଼ିଛନ୍ତି। ଏଣିକି ସେମାନଙ୍କ ଜୀବନ ଜୀବିକାରେ କିଛିଟା ଉନ୍ନତି ଆସିବ ବୋଲି ବ୍ୟବସାୟୀମାନେ ଆଶା କରୁଛନ୍ତି।

Comment