ଓଡ଼ିଶାଲାଇଭ୍‌ ବ୍ୟୁରୋ

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରତିବାଦ କରିଛି ବିଜେଡି। ବିଜେଡିର ଛାତ୍ର ଓ ଯୁବ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ଖାଉଟି ମାରଣ ନୀତିର ପ୍ରତିବାଦ କରିଛନ୍ତି। ବ୍ରହ୍ମଗିରି ବିଧାୟକ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଭୁବନେଶ୍ବର ରାଜମହଲ ଛକଠାରୁ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବାରମ୍ବାର ତୈଳ ଦର ବୃଦ୍ଧି ହେଉଥିବାରୁ ଛାତ୍ର ଓ ଯୁବ ବିଜେଡି କର୍ମୀମାନେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।

ସଞ୍ଜୟ ଦାସବର୍ମା କହିଥିଲେ ,”ପେଟ୍ରୋଲ ଏବଂ ଡିଜେଲ ଦର ଯେମିତି ଭାବେ ବଢ଼ୁଛି ତାହା ଆଗକୁ ନିୟନ୍ତ୍ରଣ କରି ହେବନି। ପରିସ୍ଥିତି ଯାହା ହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଦାୟୀ ରହିବେ। ୪ ବର୍ଷ ଭିତରେ ପେଟ୍ରୋଲ ମୂଲ୍ୟ ବୃଦ୍ଧିରେ ରେକର୍ଡ ଟପିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୨ ଟଙ୍କା ୫୭ ପଇସା ଥିବା ବେଳେ ଡିଜେଲ ଦର ୬୯ ଟଙ୍କା ୨୮ ପଇସା ରହିଛି।”

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଥିବା ବେଳେ ଭାରତରେ ତାହା ନିୟନ୍ତ୍ରଣ ହୋଇପାରୁ ନାହିଁ। କେନ୍ଦ୍ର ସରକାର ବାରମ୍ବାର ମୂଲ୍ୟ ବୃଦ୍ଧି କରି ଖାଉଟିଙ୍କ ମୁଣ୍ଡରେ  ବୋଝ ଲଦି ଦେଉଥିବା ବିଜେଡି ଅଭିଯୋଗ କରିଛି।

ଏହି ବିକ୍ଷୋଭରେ ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ବିଧାୟକ ପ୍ରିୟଦର୍ଶି ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here