ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ଯୁବ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ୨୦୧୯ରେ ୧୨୦ରୁ ଅଧିକ ଆସନରେ ଜିତିବୁ ବୋଲି ଶାହା କହିଛନ୍ତି।
“ଭବାନିପାଟଣା ସମାବେଶରେ ମିଶନ୍-୧୨୦ କଥା କହି ନଥିଲି। ଏ ସମ୍ପର୍କରେ ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ବାହାରିଛି। ହେଲେ ମିଶନ୍-୧୨୦ କଥା ନକହିବାର କିଛି କାରଣ ରହିଛି। ଓଡ଼ିଶାରେ ବିଜେପି ୧୨୦ ନୁହେଁ, ଅଧିକ ଆସନ ପାଇବ ବୋଲି ଦେଖାଯାଉଛି”, କହିଛନ୍ତି ଅମିତ ଶାହା।
ବୁଧବାର ଭବାନିପାଟଣା ସମାବେଶରେ ଅମିତ ଶାହା ରାଜ୍ୟ ସରକାରଙ୍କ ବିଫଳତାକୁ ଟାର୍ଗେଟ କରିଥିଲେ। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ବିଫଳ ବୋଲି ଶାହା କହିଥିଲେ। ଗୁରୁବାର ଶାହା ବଲାଙ୍ଗିରର କୋଶଳ କଳାମଣ୍ଡଳ ପଡ଼ିଆରେ ଆୟୋଜିତ ଯୁବ ସମାବେଶରେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ଅମିତ ଶାହା କହିଛନ୍ତି, “ଓଡ଼ିଶାରେ ଯୁବକମାନଙ୍କର ବିକାଶ ହୋଇନି। ଯୁବକମାନଙ୍କୁ ସବୁକ୍ଷେତ୍ରରେ ଅଣଦେଖା କରିଛନ୍ତି ନବୀନ ସରକାର। ବିଜେପି ଓଡ଼ିଶାରେ ଶାସନ କଲେ ଯୁବକମାନଙ୍କ ପାଇଁ ରୋଜଗାରର ବାଟ ଫିଟିବ।”
ଏହାସହ ଅମିତ ଶାହା ଆହୁରି କହିଛନ୍ତି ଯେ ନବୀନ ସରକାରଙ୍କ ଶାସନ ଅମଳରେ ହିଂସାକାଣ୍ଡ ଅଧିକ ହେଉଛି। ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଇତିମଧ୍ୟରେ ୧୪ ଜଣ ବିଜେପି କର୍ମୀ ଓ ନେତାଙ୍କ ଜୀବନ ଗଲାଣି। ହେଲେ ଏ ଦିଗରେ ହତ୍ୟାକାରୀଙ୍କୁ ଗିରଫ କରିବାରେ ସମର୍ଥ ହୋଇନାହାନ୍ତି ସରକାର। ବିଜେପି ସରକାରକୁ ଆସିଲେ ହତ୍ୟାକାରୀ ପାତାଳରେ ଥିଲେ ବି ସେମାନଙ୍କୁ ଧରାଯିବ।
ଗତ ୪ ବର୍ଷ ଭିତରେ ମୋଦି ସରକାର ଓଡ଼ିଶାକୁ ବହୁ ଅନୁଦାନ ଦେଇଛନ୍ତି। ହେଲେ ଅନୁଦାନ ଠିକ୍ ସମୟରେ ଖର୍ଚ୍ଚ ହୋଇପାରୁ ନାହିଁ ବୋଲି ଶାହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ଅବସରରେ ଶାହା ବଲାଙ୍ଗିର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସହ କଥା ହୋଇଛନ୍ତି।








ବଲାଙ୍ଗିର ଯୁବ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ୨୦୧୯ରେ ୧୨୦ରୁ ଅଧିକ ଆସନରେ ଜିତିବୁ ବୋଲି ଶାହା କହିଛନ୍ତି।









