ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ଏବଂ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାର ମଧ୍ୟରେ ବଢ଼ିଲା ବିବାଦ। ବିଭିନ୍ନ ପ୍ରସଙ୍ଗକୁ ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରୁଥିବା ବିଜେଡି  ଏବେ ବୈଜୟନ୍ତଙ୍କ ପରିବାରକୁ ରାଜନୀତିକୁ ଟାଣିଛି। ବୈଜୟନ୍ତଙ୍କ ପରିବାର ମାଲିକାନାରେ ଥିବା ଓଟିଭିକୁ ବୟକଟ୍ କରିବା ପରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇ ଓହରିବା ଘଟଣାରେ ଜାଗିଙ୍କୁ ଦାୟୀ କରିଛି ବିଜେଡି।

ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇ ଓହରିବା ପରେ ବୈଜୟନ୍ତଙ୍କ ପରିବାର ଏବଂ ବିଜେଡି ଭିତରେ ବିବାଦ ତେଜିଛି। ସିଆଇଆଇ ଓହରିଯିବା ପ୍ରସଙ୍ଗରେ ବିଜେଡି ବୈଜୟନ୍ତଙ୍କ ସ୍ତ୍ରୀ ଜାଗି ମଙ୍ଗତ ପଣ୍ଡାଙ୍କୁ ବିବାଦକୁ ଟାଣିଛି। ଫଳରେ ଗୋଟିଏ ରାଜନୈତିକ ଦଳ ଏବଂ ଗୋଟିଏ ରାଜନୀତିକ ପରିବାର ଭିତରେ ଲାଗି ରହିଥିବା ବିବାଦ ଏବେ ଅଧିକ ଘନୀଭୂତ ହୋଇଛି।

ଟାର୍ଗେଟରେ କାହିଁକି ଜାଗି?

ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇ ଓହରି ଯିବା ପରେ ବିଜେଡି ବୈଜୟନ୍ତଙ୍କ ସ୍ତ୍ରୀ ଜାଗି ମଙ୍ଗତ ପଣ୍ଡାଙ୍କୁ ଟାଣିଛି। ନିକଟରେ ଜାଗି ପୂର୍ବାଞ୍ଚଳ ସିଆଇଆଇର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି। ଏଣୁ ସେ ଅଧ୍ୟକ୍ଷା ହେବା ପରେ ସିଆଇଆଇ ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ଓହରି ଯାଇଥିବା ବିଜେଡି ଅଭିଯୋଗ କରିଛି। ସିଆଇଆଇ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ପ୍ରଥମ ସଂସ୍କରଣରେ ପାର୍ଟନର୍ ରହି ଆସିଛି। ୨୦୧୮ କନକ୍ଲେଭରେ ପାର୍ଟନର୍ ରହିବା ପାଇଁ ସିଆଇଆଇ ସହମତି ପ୍ରକାଶ କରିଥିଲା। ହେଲେ ଏପ୍ରିଲ ୪ ତାରିଖରେ ଅଲଗା କାମରେ ବ୍ୟସ୍ତ ରହୁଥିବାରୁ ଓଡ଼ିଶା କନକ୍ଲେଭରେ ସହଯୋଗ କରିପାରିବୁ ନାହିଁ ସିଆଇଆଇ ଚିଠି ଲେଖି ରାଜ୍ୟ ସରକାରଙ୍କୁ ଜଣାଇଛି। ଫଳରେ ଓଡ଼ିଶା ସରକାରଙ୍କୁ ଝଟକା ଲାଗିଛି। ଜାଗି ପୂର୍ବାଞ୍ଚଳ ସିଆଇଆଇର ଅଧ୍ୟକ୍ଷା ହେବା ପରେ ଏଭଳି ଘଟଣା ଘଟିଥିବା ବିଜେଡି ସନ୍ଦେହ କରୁଛି।

ବିଜେଡି ଅଭିଯୋଗର ଜବାବ ଦେଲେ ଜାଗି

ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଅଭିଯୋଗ କରିବା ପରେ ଜାଗି ମଙ୍ଗତ ପଣ୍ଡା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, “ମୁଁ ଅଳ୍ପଦିନ ହେଲା ପୂର୍ବାଞ୍ଚଳ ସିଆଇଆଇର ଅଧ୍ୟକ୍ଷା ରହିଛି। ଓଡ଼ିଶା କ୍ଷେତ୍ରରେ କ’ଣ ହୋଇଛି ତାହା ମୁଁ ଜାଣିନାହିଁ। ବୈଜୟନ୍ତ ପଣ୍ଡାଙ୍କୁ ନେଇ ତାଙ୍କୁ ଅଯଥାରେ ରାଜନୀତିକୁ ଟଣା ନଯାଉ। ପୂର୍ବାଞ୍ଚଳ ସିଆଇଆଇର ଅଧ୍ୟକ୍ଷା ହୋଇଥିବାରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ଯାହା ସହଯୋଗ ଦରକାର ତା ମୁଁ କରିବି। ସିଆଇଆଇ କାହିଁକି ଓହରିଗଲା ସେ ସମ୍ପର୍କରେ ଜାଣିବା ପାଇଁ ସିଆଇଆଇ କେନ୍ଦ୍ରୀୟ ଅଫିସ ସହ ଯୋଯୋଗ କରୁ ବିଜେଡି”

ବିଜେଡି ବନାମ ଓଟିଭି

ବିଜେଡି ଓ ବୈଜୟନ୍ତଙ୍କ ଭିତରେ ଚାଲିଥିବା ବିବାଦ ହଠାତ୍ ଭିନ୍ନମୋଡ଼ ନେଇଥିଲା। ବୈଜୟନ୍ତ ବିଜେଡିରୁ ନିଲମ୍ବିତ ହେବା ପରେ ବିଜେଡି ଏବଂ ବୈଜୟନ୍ତଙ୍କ ପରିବାରର ମାଲିକାନାରେ ଥିବା ଓଟିଭି ମଧ୍ୟରେ ଦୂରତା ବଢ଼ିଥିଲା। ବିଜେପୁର ଉପ-ନିର୍ବାଚନ ବେଳେ ଓଟିଭି ପକ୍ଷପାତିତା କରୁଥିବା ଅଭିଯୋଗ କରିଥିଲା ବେଜେଡି। ଓଟିଭି ମୁଣ୍ଡରେ ପେଡ଼୍ ନ୍ୟୁଜର ଅଭିଯୋଗ ଲଗାଇଥିଲା ବିଜେଡି।

ସେତେବେଳେ ଓଟିଭି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। କୁହାଯାଇଥିଲା, ଆମେ ଯେମିତି ଥିଲୁ ସେମିତି ଅଛୁ। କେବଳ ସମୟ ବଦଳି ଯାଇଛି। ଏହାସହ ଓଟିଭି କେବଳ ନିରପେକ୍ଷ ଖବର ପରିବେଷଣ କରିଥାଏ ବୋଲି ସ୍ପଷ୍ଟ କରିଥିଲା।

ଏତିକିରେ କଥା ଅଟକି ନଥିଲା, ନିକଟରେ ନରପେକ୍ଷତା ଅବଲମ୍ବନ କରୁନଥିବା ଅଭିଯୋଗ ଆଣି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଓଟିଭିକୁ ବୟକଟ୍ କରିଥିଲା। ଏବେ ଏହି ବିବାଦ ଆଗକୁ ବଢ଼ିଛି। ଓଟିଭି ପରେ ବୈଜୟନ୍ତଙ୍କ ସ୍ତ୍ରୀ ଜାଗି ମଙ୍ଗତ ପଣ୍ଡାଙ୍କୁ ବିଜେଡି ଟାର୍ଗେଟ କରିଛି।

ବୈଜୟନ୍ତ-ବିଜେଡି ବିବାଦ?

ବିଜେଡି ଓ ବୈଜୟନ୍ତଙ୍କ ପରିବାର ଭିତରେ ବିବାଦ କିଛି ନୂଆ କଥା ନୁହେଁ। ଏହାର ମୂଳଦୁଆ ପଡ଼ିଥିଲା ଜାନୁଆରୀ ମାସରେ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଏକ ପାଣିଟାଙ୍କି ଉଦଘାଟନକୁ ନେଇ ବିଜେଡି ଏବଂ ବୈଜୟନ୍ତଙ୍କ ମଧ୍ୟରେ ଦୂରତା ବଢ଼ିଥିଲା। ଏହାପରେ ବିବାଦଘେରକୁ ଚାଲି ଆସିଥିଲେ ବୈଜୟନ୍ତଙ୍କ ପରିବାର।

ନିଶ୍ଚିନ୍ତକୋଇଲିର ବୁହାଳୋ ପଞ୍ଚାୟତରେ ସାଂସଦ ପାଣ୍ଠିରୁ ନିର୍ମିତ ହୋଇଥିଲା ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କି। ଏହାକୁ ଉଦଘାଟନ କରିବା ପାଇଁ ବୈଜୟନ୍ତଙ୍କ ଅଫିସ ତରଫରୁ ବଣ୍ଟା ଯାଇଥିଲା ନିମନ୍ତ୍ରଣପତ୍ର। ହେଲେ ଉଦଘାଟନକୁ ସେତେବେଳେ ବିରୋଧ କରିଥିଲା ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି।

ଉଦଘାଟନ ପାଇଁ ଅନୁମତି ନଦେବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି। ତେବେ ବୁହାଳୋ ସରପଞ୍ଚ ପାଣିଟାଙ୍କି ଉଦଘାଟନକୁ ସମର୍ଥନ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଶେଷରେ ବହୁ ବାଦ ବିବାଦ ପରେ ପାଣିଟାଙ୍କି ଉଦଘାଟନ କରିଥିଲେ ବୈଜୟନ୍ତ। ଏହି ଉଦଘାଟନ ଉତ୍ସବରେ ବୈଜୟନ୍ତ ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ କରିଥିଲେ।

ପାଣିଟାଙ୍କି ଉଦଘାଟନ ନକରିବା ପାଇଁ ତୃତୀୟ ମହଲା ଅଫିସରଙ୍କ ଚକ୍ରାନ୍ତ ଥିବା ବୈଜୟନ୍ତ ଅଭିଯୋଗ କରିଥିଲେ।

ତୃତୀୟ ମହଲାକୁ ଟାର୍ଗେଟ୍: ନବୀନ ଦେଇଥିଲେ ଜବାବ

ବୈଜୟନ୍ତ ପଣ୍ଡା ତୃତୀୟ ମହଲାକୁ ବାରମ୍ବାର ଟାର୍ଗେଟ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଥିଲେ। କିଛି ପ୍ରସଙ୍ଗ ନଥଲେ ମୋ ଅଫିସକୁ ଟାର୍ଗେଟ କରାଯାଏ ବୋଲି ନବୀନ କହିଥିଲେ। ନବୀନଙ୍କ ପ୍ରତିକ୍ରିୟାର ଉତ୍ତର ଦେବାକୁ ପଛାଇ ନଥିଲେ କେନ୍ଦ୍ରାପଡ଼ା ସାଂସଦ। ଟୁଇଟ୍ କରି ନବୀନଙ୍କୁ ଦେଇଥିଲେ ଜବାବ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି ଏବଂ ଏହାର ବିଚାର କରିବା ପାଇଁ ବୈଜୟନ୍ତ ଟୁଇଟରେ କହିଥିଲେ।

ବୈଜୟନ୍ତଙ୍କ ବିରୋଧରେ ଲମ୍ବିଲା ଅଭିଯୋଗ ଫର୍ଦ୍ଦ

ନିଶ୍ଚିନ୍ତକୋଇଲି ପାଣିଟାଙ୍କି ଉଦଘାଟନ ପରେ ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଲମ୍ବିଥିଲା। ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ନେଇ ମହାକାଳପଡ଼ା, ସାଲେପୁର, ପଟ୍ଟାମୁଣ୍ଡାଇ ଏବଂ କେନ୍ଦ୍ରାପଡ଼ା ବ୍ଲକର କର୍ମୀମାନେ ପାଳିକରି ନବୀନ ନିବାସ ଆସିଥିଲେ। ବୈଜୟନ୍ତଙ୍କ ବିରୋଧରେ ଫେରାଦ ହୋଇଥିଲେ। ସାଂସଦ ଦଳୀୟ କର୍ମୀଙ୍କୁ ନପଚାରି ବିରୋଧୀ କର୍ମୀଙ୍କ ସହ ମିଶୁଥିବା ଅଭିଯୋଗ କରିଥିଲେ। ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ବୈଜୟନ୍ତଙ୍କ ପାଇଁ ତଦନ୍ତ

ଅଭିଯୋଗର ଫର୍ଦ୍ଦ ଲମ୍ବା ହେବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତଦନ୍ତ ଆଦେଶ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଏବଂ କଟକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଉଷା ଦେବୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ନବୀନ। ଉଭୟ ପର୍ଯ୍ୟବେକ୍ଷକ ତଦନ୍ତ କରି ରିପୋର୍ଟ ଦେବା ପରେ ବୈଜୟନ୍ତଙ୍କ ବିରୋଧରେ ନିଆଯାଇଥିଲା କାର୍ଯ୍ୟାନୁଷ୍ଠାନ।

ବୈଜୟନ୍ତଙ୍କ ସମ୍ପର୍କ ତୁଟାଇଲା ବିଜେଡି

ଜାନୁଆରୀ ୨୪ରେ ବିଜେଡି ରାଜନୀତିରେ ଏକ କମ୍ପନ ହୋଇଥିଲା। ସବୁ କଳ୍ପନା ଜଳ୍ପନା ସତ ହୋଇଥିଲା। ବିଜେଡିର ପ୍ରାଥମିକ ସଦସ୍ୟରୁ ବୈଜୟନ୍ତ ପଣ୍ଡାଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡି କହିଥିଲା। ଏହାସହ ୨୦୧୪ ଲୋକସଭା ନିର୍ବାଚନ ବେଳେ ସାଂସଦ ମିଥ୍ୟା ସତ୍ୟାପଠ କରିଥିବା ବିଜେଡି ଅଭିଯୋଗ କରିଥିଲା। ୨୦୧୪ରେ ଇମ୍ଫାର ଉପସଭାପତି ରହି ଦରମା ଓ ଭତ୍ତା ବାବଦରେ ୧ କୋଟି ୪୫ ଲକ୍ଷ ୨୭ ହଜାର ୭୪୭ ଟଙ୍କା ନେଇଥିବା ବିଜେଡି କହିଥିଲା। ଏଥିରେ ବୈଜୟନ୍ତ ମର୍ମାହତ ବୋଲି କହିଥିଲେ। ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ଟୁଇଟ କରିଥିଲେ।

Comment