ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବାତିଲ ହେଲା ପ୍ରଶ୍ନକାଳ
  • ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ ନେତା
  • ଗୃହ କମିଟିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ
  • ବିଜେପି କହିଲା, “ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଅଛୁ”
  • ମହାନଦୀକୁ ନେଇ ବିଜେଡି ରାଜନୀତି କରୁଛି: ବିଜେପି
  • ଛତିଶଗଡ଼କୁ ସମର୍ଥନ କରୁଛି କେନ୍ଦ୍ର: ବିଜେଡି

ମହାନଦୀ ପ୍ରସଙ୍ଗକୁ ନେଇ ଦୁଇ ଦିନ ହେଲା ଅଚଳ ହୋଇଯାଇଥିବା ବିଧାନସଭାରେ ଆଜି ହୋଇଛି ମାରାଥନ୍ ଆଲୋଚନା। ପ୍ରଶ୍ନକାଳକୁ ବାତିଲ କରାଯାଇ ମହାନଦୀ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଭାଗ ନେଇଥିଲେ ବିଜେଡି-ବିଜେପି-କଂଗ୍ରେସର ଦଳର ବିଧାୟକ।

ଶୁକ୍ରବାର ପୂର୍ବାହ୍ଣ ସାଢ଼େ ୧୦ଟାରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ। ଶାସକ ଦଳର ମୁଖ୍ୟ ସଚେତକ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗତ କରିଥିଲେ ପ୍ରସ୍ତାବ। ଏହାପରେ ଆରମ୍ଭ ହୋଇଥିଲା ଘମାଘୋଟ ଆଲୋଚନା।

ଶାସକ ଦଳର ବିଧାୟକ ଏବଂ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଛତିଶଗଡ଼ ସରକାରଙ୍କ ଏକପାଖିଆ କାର୍ଯ୍ୟକୁ ବିରୋଧ କରିଥିଲେ। ଓଡ଼ିଶା ସରକାରଙ୍କ ବିନା ପରାମର୍ଶରେ ଛତିଶଗଡ଼ ବେଆଇନ୍ ବ୍ୟାରେଜ ନିର୍ମାଣ କରିଥିବା ଅଭିଯୋଗ କରିଛନ୍ତି।

ଖାଲି ସେତିକି ନୁହେଁ, କଲ୍‌ମା ବ୍ୟାରେଜର ସମସ୍ତ ଗେଟ୍ ଛତିଶଗଡ଼ ସରକାର ବନ୍ଦ କରିଦେଇଥିବାରୁ ଓଡ଼ିଶା ଅବବାହିକାରେ ଥିବା ମହାନଦୀ ଶୁଖିଲା ପଡ଼ିଥିବା ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି।

ଆଲୋଚନା ଭାଗନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ନରସିଂହ ମିଶ୍ର କହିଛନ୍ତି, “ଓଡ଼ିଶା ସହ ଛତିଶଗଡ଼ ଏବଂ କେନ୍ଦ୍ର ସରକାର ପ୍ରତାରଣା କରିଛନ୍ତି। ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦଶେ ଦେଇଥିବା ବେଳେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ କାହିଁକି ଟର୍ମ ଅଫ୍ ରେଫରେନ୍ସ ପଠାଇ ନାହାନ୍ତି?”

ଏହାସହ ରାଜ୍ୟ ସରକାରଙ୍କୁ ବି ସମାଲୋଚନା କରିବାକୁ ପଛାଇ ନାହାନ୍ତି ନରସିଂହ। ସେ କହିଛନ୍ତି ଯେ ମହାନଦୀ ସମ୍ପର୍କରେ ଦୁଇ ଦୁଇଟି ଗୃହ କମିଟି ଗଠନ କରାଯାଇଛି। ହେଲେ ଗୃହ କମିଟିର କାମ କ’ଣ ବୋଲି ସେ ପ୍ରଶ୍ନ କରିଥିଲେ। ଗୃହ କମିଟି ଆଜିଯାଏଁ କାହିଁକି କେନ୍ଦ୍ର ସରକାରଙ୍କୁ ଭେଟି ନାହାନ୍ତି ସେନେଇ ନରସିଂହ ବର୍ଷିଥିଲେ।

“ମହାନଦୀ ପ୍ରସଙ୍ଗରେ ମୁଁ ବାରମ୍ବାର ଗୃହରେ ବିବୃତି ରଖିଛି। ହୋ-ହଲ୍ଲା କରି ଏହି ବିବାଦର ସମାଧାନ କରିବା ସମ୍ଭବ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ହୋଇଛି। ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବା ଦରକାର”, କହିଛନ୍ତି ନରସିଂହ ମିଶ୍ର।

ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ ମହାନଦୀ ଆଲୋଚନାରେ ଭାଗ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ,”ମହାନଦୀକୁ ନେଇ ରାଜନୀତି କରାଯାଉଛି। ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଅଧ୍ୟତାରେ ଦୁଇଟି ଗୃହ କମିଟି ଗଠନ କରାଯାଇଥିଲେ ବି ଏଦିଗରେ କୌଣସି ପଦକ୍ଷେପ ନିଆଯାଇନି। ଏହି କମିଟିରେ ସବୁ ଦଳର ସଭ୍ୟ ସଦସ୍ୟ ଅଛନ୍ତି। ହେଲେ ଶାସକ ଦଳ ଆମକୁ ବିଶ୍ବାସକୁ ନେଉ ନାହାନ୍ତି। କିନ୍ତୁ ଓଡ଼ିଶାର ସ୍ୱାର୍ଥ, ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେପି ସବୁବେଳେ ସହଯୋଗ କରି ଆସିଛି।”

ବିଜେଡି ବିଧା଼ୟକ ସଞ୍ଜୟ ଦାସବର୍ମା କହିଛନ୍ତି, “ମହାନଦୀ ଟ୍ରିବ୍ୟୁନାଲର ଚୂଡ଼ାନ୍ତ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଛତିଶଗଡ଼ ସରକାର କୌଣସି ପ୍ରକଳ୍ପ ନିର୍ମାଣ କରିପାରିବେ ନାହିଁ ବୋଲି ଗ୍ରୀନ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଛତିଶଗଡ଼ ସରକାର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ମହାଲି ଏବଂ ସିଲିପୁରରେ ପ୍ରକଳ୍ପ କାମ କରୁଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଛତିଶଗଡ଼ ସରକାରଙ୍କୁ କେନ୍ଦ୍ର ସମର୍ଥନ ଦେଉଛି।”

ଦାସବର୍ମା ଆହୁରି କହିଛନ୍ତି ଯେ କଲମା ବ୍ୟାରେଜ ଗେଟ୍ ବନ୍ଦ ହୋଇଯାଇଥିବାରୁ ଓଡ଼ିଶାର ୧୫ଟି ଜିଲ୍ଲାର ଲୋକେ ଚିନ୍ତାରେ ପଡ଼ିଛନ୍ତି। ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେବାର ଆଶଙ୍କା ଉପୁଜିଲାଣି। ମହାନଦୀରେ ୪୦ ପ୍ରତିଶତ ଜଳ ପ୍ରବାହ ହ୍ରାସ ପାଇଛି। ହୀରାକୁଦରେ ୨୦ ପ୍ରତିଶତ ଜଳ ବିଦ୍ୟୁତ ଉତ୍ପାଦନ ମଧ୍ୟ କମିଛି। ଓଡ଼ିଶାର ଲୋକେ ବିପଦରେ ପଡ଼ିଥିବା ବେଳେ ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟ ଆରମ୍ଭ ହୋଇନାହିଁ।

ମହାନଦୀରେକୁ ଗତ ଦୁଇଦିନ ହେଲା ବିଧାନସଭାରେ ଝଡ଼ ଉଠିଥିଲା। ଶାସକ ବିଜେଡି ସଭ୍ୟ କେନ୍ଦ୍ର ଅବହେଳା ସ୍ଲୋଗାନ୍ ନେଇ ଗୃହ ଅଚଳ କରିଥିଲେ। ପ୍ରତିବାଦରେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ଗୁରୁବାର ସର୍ବଦଳୀୟ ବୈଠକ ଡାକିଥିଲେ। ଶୁକ୍ରବାର ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା।

Comment