ଓଡ଼ିଶାଲାଇଭ୍ ବ୍ୟୁରୋ

  • ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ
  • ଲଗାତର ଭାବେ ଦ୍ଵିତୀୟ ଥର ପାଇଁ ବିଶ୍ଵକପ୍ଆୟୋଜନ ଓଡିଶାର ଗୌରବ ବଢାଇଛି
  • ସରକାରଙ୍କୁ ଧନ୍ୟବାଦ ଦେଲେ ସବୁ ଦଳ

ପୁରୁଷ ହକି ବଶ୍ଵକପ୍-୨୦୨୩ର ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନର କନ୍‌ଭେନସନ ସେଣ୍ଟରଠାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ହକି ମହାକୁମ୍ଭର ସଫଳତା ନିମନ୍ତେ ସବୁ ରାଜନୈତିକ ଦଳଙ୍କ ସହଯୋଗ କାମନା କରିଥିଲେ।

ପୁରୁଷ ହକି ବିଶ୍ଵକପ୍-୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହକି ବିଶ୍ଵକପ ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ହକି ବିଶ୍ଵକପର ଆୟୋଜନରେ କେବଳ ଓଡ଼ିଶା ନୁହେଁ  ସାରା ଦେଶର ସମ୍ମାନ ଜଡ଼ିତ। ସେଥିପାଇଁ  ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ରାଜ୍ୟରେ ଦ୍ଵିତୀୟ ଥର ହକି ବିଶ୍ଵକପର ଆୟୋଜନ ହେବା ଯାଉଛି। ଯାହା ସାରା ବିଶ୍ଵରେ ଓଡ଼ିଶାର ମାନ ବୃଦ୍ଧି ପାଉଛି। ରାଜ୍ୟରେ କ୍ରୀଡ଼ାର ଉନ୍ନତି ଏବଂ ହକି ବିଶ୍ଵକପର ଆୟୋଜନ ପାଇଁ ଆଲୋଚନାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ।

ଏହି ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଓଡ଼ିଶାରେ ପୁରୁଷ ହକି ବଶ୍ଵକପ୍-୨୦୨୩ର ଆୟୋଜନ ହଉଥିବାରୁ ଏଥିପାଇଁ ସରକାରଙ୍କର ପ୍ରଶଂସା କରିଥିଲେ। ଏହା ସହ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ଉତ୍ସବ ୨୦୩୬ ଅବସରରେ ଯେପରି ଓଡ଼ିଶାରୁ ୧୦୦ ଅଲମ୍ପିଆନ ବାହାରିପାରିବେ, ସେଥିପାଇଁ  ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ସେ କହିଥିଲେ।

ଦୁଇ ଥର ହକି ବିଶ୍ଵକପ ଆୟୋଜନ ଘଟଣାକୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେବା, ଉଭୟ ଭୁବନେଶ୍ଵର ଓ ରାଉରକେଲାର ସ୍ଵଚ୍ଛତା ପାଇଁ ନାଗରିକମାନଙ୍କୁ ସାମିଲ କରିବା, ସ୍ଥାନୀୟ ଓଡ଼ିଆ ଖେଳର ପ୍ରସାର କରିବା, ରାଉରକେଲା-ଭୁବନେଶ୍ଵର ରେଳପଥକୁ ହକି ପାଇଁ ବ୍ରାଣ୍ଡିଂ କରିବା ଆଦି ଉପରେ କେନ୍ଦ୍ରମନ୍ତ୍ରୀ ନିଜର ମତାମତ ଦେବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

ରାଜ୍ୟର ସବୁ ଜିଲ୍ଲାରେ ହକି ଷ୍ଟାଡିୟମ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିବା ଏହି ଅବରରେ କହିଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ଉପସଭାପତି ସନ୍ତୋଷ ସିଂ ସାଲୁଜା, ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀପ୍ରସାଦ ମିଶ୍ର, ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ସିପିଆଇର ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିପିଆର ଅଳିକିଶୋର ପଟ୍ଟନାୟକ, ଅଭୟ ସାହୁ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ଆପ୍‌ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ଆରଜେଡିର ସଭାପତି ହେମନ୍ତ କୁମାର ପ୍ରମୁଖ ଅଂଶ ଗ୍ରହଣ କରି ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।

କ୍ରୀଡ଼ା ମନ୍ତ୍ରୀ ତୃଷାରକାନ୍ତି ବେହେରା ବୈଠକକୁ ସଂଯୋଜନା କରିଥିଲେ। କ୍ରୀଡ଼ଶ ସଚିବ ଆର  ଭିନିଲକ୍ରିଷ୍ଣା ଆଗାମୀ ୨୦୨୩ ଜାନୁଆରି ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୧୭ ଦିନିଆ ଭବ୍ୟ କ୍ରୀଡ଼ା ମହୋତ୍ସବର ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ବୈଠକରେ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Tags: #Sports #Hockey #AllPartyMeeting #MensHockeyWorldCup2023 #FIH

Comment