ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ୍ ଅଧିବେଶନ। ଏହାପୂର୍ବରୁ ମଙ୍ଗଳବାର ସର୍ବଦଳୀୟ ବୈଠକ ବସିଛି। ବଜେଟ୍ ଅଧିବେଶନ ସମୟରେ ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବା ନେଇ ବୈଠକରେ ଚର୍ଚ୍ଚା କରାଯାଇଛି। ଫେବ୍ରୁଆରି ୧ ତାରିଖରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।

ମଙ୍ଗଳବାର ସଂସଦ ଭବନରେ ସର୍ବଦଳୀୟ ବୈଠକରେ ଦେଶର ୩୦ଟି ରାଜନୈତିକ ଦଳର ୪୫ ଜଣ ନେତା ଯୋଗ ଦେଇଥିଲେ। ଏଥିରେ କଂଗ୍ରେସ, ବିଜେପି ସମେତ ବିଜେଡି, ସମାଜବାଦୀ ପାର୍ଟି, ଜେଡିୟୁ, ସିପିଆଇ, ସିପିଏମ ତଥା ଜେଡିଏସ୍ ଭଳି ଦଳର ନେତା ସାମିଲ ହୋଇଥିଲେ।

ବୈଠକରେ ବଜେଟ୍ ଅଧିବେଶନ ସମୟରେ ହେବାକୁ ଥିବା କାର୍ଯ୍ୟଗୁଡ଼ିକ ବିଷୟରେ ଚର୍ଚ୍ଚା କରାଯାଇଥିଲା। ଏହି ଅଧିବେଶନକୁ ସଫଳ କରିବାରେ ସହଯୋଗ କରିବା ପାଇଁ କେନ୍ଦ୍ର ସରକାର ସବୁ ଦଳଙ୍କୁ ଅନୁରୋଧ କରିଥିଲେ।     

ତେବେ ବୁଧବାର ବଜେଟ୍ ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦକୁ ସମ୍ବୋଧନ କରିବେ। ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅନ୍ତରୀଣ ବଜେଟ୍ ଉପସ୍ଥାପନ ହେବ। ଫେବ୍ରୁଆରି ୯ ତାରିଖ ଯାଏଁ ବଜେଟ୍ ଅଧିବେଶନ ଚାଲିବ।

ଏଥର ମୋବାଇଲ ବଜେଟ୍ ଆପ୍ଲିକେସନରେ ବଜେଟ୍ ଉପଲବ୍ଧ ହେବ। ଦେଶବାସୀଙ୍କ ପାଇଁ ବଜେଟର ବିସ୍ତୃତ ତଥ୍ୟ ଏଥିରେ ରହିବ। ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ବଜେଟ୍ ସମ୍ପର୍କିତ ତଥ୍ୟ ମିଳିବ।

ତେବେ ଏହି ଅନ୍ତରୀଣ ବଜେଟ୍ ୧୭ତମ ଲୋକସଭାର ଶେଷ ବଜେଟ୍ ହେବାକୁ ଯାଉଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ବଜେଟ୍ ଉପରେ ଦେଶବାସୀଙ୍କ ନଜର ରହିଛି।

Tags: #UnionBudget2024 #ParliamentBudgetSession #AllPartyMeeting #MinistryofFinance #India

Comment