ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବଡ଼ ସ୍ୱପ୍ନ।

ଘଡ଼ିକେ ଘୋଡ଼ା ଛୁଟିବା ଭଳି ଏବେ ରାଜନୀତିର ଅବସ୍ଥା। ସାଧାରଣ ନିର୍ବାଚନ ଆହୁରି ବର୍ଷେ ସମୟ ଥିବା ବେଳେ ଏହାକୁ ପୂର୍ବରୁ କରିବା ପାଇଁ ଏକ ଉଦ୍ୟମ ଆରମ୍ଭ ହୋଇଛି। ଖବର ଆସୁଛି ଯେ ନଭେମ୍ବର-ଡିସେମ୍ବର ମାସରେ ହୁଏତ ନିର୍ବାଚନ ହୋଇଯାଇପାରେ।

ଏହି ପଦକ୍ଷେପ ପଛରେ ଗୋଟିଏ ବଡ଼ କାରଣ ହେଉଛି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ଏକ ବଡ଼ ସ୍ୱପ୍ନ। ଏକଥା ସେ ବିଭିନ୍ନ ସ୍ଥାନରେ ବାରମ୍ବାର କହିଛନ୍ତି ମଧ୍ୟ। ଜଣାଶୁଣା ମହଲରୁ ପ୍ରକାଶ ଯେ ସବୁ ନହେଲେ ମଧ୍ୟ କିଛି ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନ ସହିତ କରାଯାଇପାରେ। ଏହି ସମ୍ଭାବନାକୁ ନେଇ ଏବେ ଚିନ୍ତା ଆରମ୍ଭ ହୋଇଛି। ଆସନ୍ତା ବର୍ଷ ନଭେମ୍ବର ମାସ ବେଳକୁ ଗୁଡ଼ିଏ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ।

ଏଣୁ ଏହିସବୁ ରାଜ୍ୟର ନିର୍ବାଚନ ସାଧାରଣ ନିର୍ବାଚନ ସହ ଏକାଠି କରାଯାଇପାରେ। ଯଦି ତାହା ହୁଏ ଲୋକସଭାକୁ ଭାଙ୍ଗି ଦେବା ସମ୍ପର୍କିତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍ ଶୀଘ୍ର ନେବାକୁ ହେଵ। ଏମିତି ବି ଦେଖିବାକୁ ଗଲେ କେନ୍ଦ୍ରରେ ଏନଡିଏ ସରକାରର ସ୍ଥିତି ଭଲ ନାହିଁ। ଅନେକ ଅଂଶୀଦାର ଦଳ ମେଣ୍ଟ ଛାଡ଼ିସାରିଲେଣି ଅଥବା ଛାଡିବାକୁ ବସିଛନ୍ତି। ଆହୁରି ମଧ୍ୟ ଦେଶରେ ଏବେ ବିଜେପି ବିରୋଧୀ ପବନ ଜୋର ବୋହିଲାଣି।

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଇଁ ବିଜେପି ଯେଉଁ ସ୍ଲୋଗାନ ଦେଇ ଆସିଛି ତାହା କେତେଦୂର ସାକାର ହୋଇ ପାରିବ ତାହା ଆଗାମୀ କିଛି ସପ୍ତାହ ମଧ୍ୟରେ ଜଣାପଡିବ।

Comment