ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଏଣ୍ଟ୍ରି ଦେବା ପାଇଁ ଏବେ କେତେକ ଷ୍ଟାରକିଡ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କୁହାଯାଉଛି। ଏଠି ଅଧିକାଂଶ ଷ୍ଟାର୍‌କିଡ୍ ବା ସେଲିବ୍ରିଟିଙ୍କ ପୁଅ /ଝିଅଙ୍କୁ ଦର୍ଶକ ସାଦରେ ଗ୍ରହଣ କରିଛନ୍ତି। ଅତୀତରେ ରାଜକପୁରଙ୍କଠାରୁ ଆରମ୍ଭ କରି ଅଭିନେତା ଚଙ୍କି ପାଣ୍ଡେଙ୍କ କନ୍ୟା ଅନନ୍ୟାଙ୍କ ଯାଏଁ ଏହି ଧାରା ଅବ୍ୟାହତ ରହିଛି।

ଖୁବଶିଘ୍ର ଦର୍ଶକ ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀ କପୁର, ଶାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟର, ସୈଫ ଅଲ୍ଲୀ ଖାନ-ଅମ୍ରିତା ସିଂହଙ୍କ କନ୍ୟା ସାରା ଅଲ୍ଲୀ ଖାନଙ୍କ ଭଳି ଷ୍ଟାର୍‌ କିଡଙ୍କୁ ପରଦାରେ ଭେଟିବେ। ଜାହ୍ନବୀଙ୍କ ‘ଧଡକନ୍’, ସାରାଙ୍କ ‘ସିମ୍ବା‘ ଓ ‘କେଦାରନାଥ’ ଏବର୍ଷ ରିଲିଜ୍ ହେବ। ଠିକ୍ ସେହିପରି ଅନନ୍ୟା ପାଣ୍ଡେଙ୍କ ଡେବ୍ୟୁ ଫିଲ୍ମ ‘ଦ ଷ୍ଟୁଡେଣ୍ଟ ଅଫ୍ ଦ ଇଅର୍’ ମଧ୍ୟ ଏ ବର୍ଷ ଆସିବ ପରଦାକୁ।

ଏବେ ଆଉ ଜଣେ ସେଲିବ୍ରିଟିଙ୍କ ସମ୍ପର୍କୀୟ ବଲିଉଡରେ ହିରୋ ଭାବେ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି। କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦା ରୁପେଲି ପରଦାକୁ ଆସିବେ। ସେ ନିଜର ହଟ୍ ଫଟୋ ବି ଅନେକ ସମୟରେ ଇନଷ୍ଟ୍ରାଗ୍ରାମରେ ସେଆର କରି ଚର୍ଚ୍ଚିତା ହୋଇଛନ୍ତି। ସେଥିରୁ ଜଣାପଡ଼ୁଥିଲା ଯେ ବୋଧହୁଏ ନବ୍ୟା ବଲିଉଡ୍ ହିରୋଇନ୍ ହେବେ। କିନ୍ତୁ ନବ୍ୟା ଏଯାଏଁ କୌଣସି ଫିଲ୍ମ ସାଇନ୍ କରିନାହାନ୍ତି।

କିନ୍ତୁ ନବ୍ୟାଙ୍କ ଭାଇ ବଲିଉଡରେ ଏଣ୍ଟ୍ରି ନେବା ପାଇଁ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କୁହାଯାଉଛି। ଏହି ଷ୍ଟାରକିଡଙ୍କ ନାଁ ହେଲା ଅଗସ୍ତ୍ୟ ନନ୍ଦା। ସେ ହେଉଛନ୍ତି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତି।

ଅମିତାଭଙ୍କ ନାତି ଅଗସ୍ତ୍ୟ ବିଦେଶରେ ନିଜର ଶିକ୍ଷା ଶେଷ କରିଛନ୍ତି। ମିଡ଼ିଆର ରିପୋର୍ଟ ଅନୁଯାୟୀ ଅଗସ୍ତ୍ୟ ବଲିଉଡରେ ହିରୋ ଭାବେ କାମ କରିବାକୁ ଚାହାଁନ୍ତି। ସେ ବଲିଉଡରେ କ୍ୟାରିଅର୍ କରିବାକୁ ଇଚ୍ଛୁକ। ନିକଟରେ ଅଗସ୍ତ୍ୟ ଏକ ସର୍ଟ ଫିଲ୍ମ ପ୍ରସ୍ତୁତ କରିଛନ୍ତି। ଏହି ଫିଲ୍ମକୁ ଦେଖି ଅଗସ୍ତ୍ୟଙ୍କ ଅଜା ଅମିତାଭ ବଚ୍ଚନ ଓ ଆଈ ଜୟା ବଚ୍ଚନ ଖୁବ୍ ଖୁସି ହୋଇଛନ୍ତି।

ପ୍ରକୃତରେ ଶ୍ୱେତା ନନ୍ଦା ଓ ନିଖିଲ ନନ୍ଦାଙ୍କ ପୁତ୍ର ଅଗସ୍ତ୍ୟ ଫିଲ୍ମ ମେକିଂରେ ବି ରୁଚି ରଖନ୍ତି। ଏହି କାରଣରୁ ସେ ଏହି ଫିଲ୍ମ ନିର୍ମାଣ କରିଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ ଅଗସ୍ତ୍ୟ ଖୁବ୍ ଶୀଘ୍ର ସେହି ସର୍ଟ ଫିଲ୍ମକୁ ୟୁଟ୍ୟୁବରେ ଅପଲୋଡ କରିବେ।

ବିଗ୍ ବି ଅମିତାଭ ବଚ୍ଚନ ସବୁବେଳେ ଚାହୁଁଥିଲେ ଯେ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ଭଳି ନାତି ବା ନାତୁଣି ବି ସିନେମା କ୍ଷେତ୍ରକୁ ଆସନ୍ତୁ। ଅଗସ୍ତ୍ୟଙ୍କ ଏହି ନିଷ୍ପତ୍ତିକୁ ନେଇ ବିଗ୍  ବି ଖୁସି ଜାହିର କରିଛନ୍ତି।

ତେବେ ଅନ୍ୟ ଏକ ସୂତ୍ରରୁ ଜଣାଯାଇଛି ଯେ ଅଗସ୍ତ୍ୟ ଫିଲ୍ମରେ ଲିଡ୍ ଆକ୍ଟର ହେବା ପୂର୍ବରୁ ଫିଲ୍ମ ମେକର ହେବାକୁ ଚାହାଁନ୍ତି। ଏଥିପାଇଁ ସେ ଏକ ଫିଲ୍ମର ସ୍କ୍ରିପ୍ଟ ବି ପ୍ରସ୍ତୁତ କରିଛନ୍ତି। ଜୟା ବଚ୍ଚନ ବି ଚାହୁଁଥିଲେ ଯେ ତାଙ୍କ ପୁଅ ଅଭିଷେକ ଜଣେ ଭଲ ନିର୍ଦ୍ଦେଶକ ହୁଅନ୍ତୁ। ହେଲେ ତାହା ସମ୍ଭବ ହୋଇ ନାହିଁ। ଦେଖାଯାଉ, ଅଗସ୍ତ୍ୟ କେବେ ଓ କେଉଁ ରୂପରେ ବଲିଉଡରେ ଡେବ୍ୟୁ କରୁଛନ୍ତି?

Comment