ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁଭାରମ୍ଭ ହୋଇଛି ‘ଆୟୁଷ୍ମାନ ଭାରତ’ଯୋଜନା। ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ‘ଆୟୁଷ୍ମାନ ଭାରତ’ଯୋଜନାର ଶୁଭାରମ୍ଭ କରିଛନ୍ତି।

‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛତିଶଗଡ଼ର ବୀଜାପୁରର ଆୟୋଜିତ ଏକ ସଭାରେ ଜଣେ ଆଦିବାସୀ ମହିଳାଙ୍କୁ ଚପଲ ପିନ୍ଧାଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୋଦି।

“୧୪ ଏପ୍ରିଲ, ଦେଶର ଦେଢ଼ କୋଟି ଜନତାଙ୍କ ପାଇଁ ଗୁରୁତ୍ଵପୁର୍ଣ୍ଣ ଦିବସ। ଆଜି ହେଉଛି ଭାରତ ରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ। ଆଜି ବିକାଶ ଦୌଡ଼ରୁ ପଛରେ ପଡ଼ି ଯାଇଥିବା ବା ପଛରେ ଛାଡି ଦିଆଯାଇଥିବା ସମୁଦାୟଙ୍କ ମଧ୍ୟରେ ଯେଉଁ ଚେତନା ଜାଗ୍ରତ ହୋଇଛି ତାହା ହେଉଛି ଭୀମରାଓ ଆମ୍ବେଦକରଙ୍କ ଅବଦାନ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, “ଆମ୍ବେଦକର ସବୁବେଳେ ପଛୁଆ ବର୍ଗଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିଲେ। ଯଦି ଜଣେ ଗରିବ ମା’ର ପୁଅ, ପଛୁଆ ଜାତିରୁ ଆସିଥିବା ଆପଣଙ୍କର ଏ ଭାଇ ଯଦି ଦେଶର ପ୍ରଧାନମନ୍ତ୍ରୀ ହୋଇପାରୁଛି। ତେବେ ଆପଣ କାହିଁକି ହୋଇପାରିବେ ନାହିଁ। ପଛୁଆ ବର୍ଗର ଲୋକଙ୍କ ଦ୍ଵାରା ସବୁ ସମ୍ଭବ। ଦେଶକୁ ପରିବର୍ତ୍ତନ କରିବାରେ ସେମାନଙ୍କର ଭୂମିକା ବେଶ୍ ଗୁରୁତ୍ଵପୁର୍ଣ୍ଣ।

ବାବା ସାହେବ ଆମ୍ବେଦକରଙ୍କୁ ଯୋଗୁଁ ହିଁ ମୁଁ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛି। ଏଥିରୁ ପ୍ରମାଣିତ ହେଉଛି ଯେ ଦେଶର ପଛୁଆବର୍ଗଙ୍କୁ ଯଦି ଉଚିତ୍ ପ୍ରୋତ୍ସାହନ ମିଳିବ ତେବେ ସେମାନେ ଆହୁରି ଆଗକୁ ଯାଇପାରିବେ।

ଦେଶର ୧୦୦ରୁ ଅଧିକ ଜିଲ୍ଲା ବିକାଶ ଦୌଡ଼ରୁ ପଛରେ ପଡ଼ିଯାଇଛି। ସବୁ ସୁବିଧା ସୁଯୋଗ ମିଳିବା ସତ୍ତ୍ଵେ ବି ଏହିସବୁ ଜିଲ୍ଲା ବିକାଶରୁ ବହୁ ପଛରେ ରହିଛି। ଛତିଶଗଡ଼ର ବୀଜାପୁର ଏକ ଏମିତି ଜିଲ୍ଲା ଯାହା ଗତ ୧୦୦ଦିନ ଭିତରେ ଏହି ଜିଲ୍ଲାରେ ଅନେକ ପ୍ରଗତି ଆସିଛି। ଯାହା ପଛୁଆ ଜିଲ୍ଲାମାନଙ୍କ ପାଇଁ ଉଦାହରଣ ସାଜିଛି। ଯେଉଁଠି ଝିଅମାନଙ୍କୁ ପଢ଼ିବାକୁ ସୁଯୋଗ ଦିଆଯାଉନଥିଲା, ମା’ ମାନଙ୍କୁ ସେମାନଙ୍କ ଅଧିକାର ଦିଆଯାଉନଥିଲା, ସ୍ଵାସ୍ଥ୍ୟ ସେବାଠାରୁ ବହୁ ପଛରେ ଥିଲା। ଆଜି ସେଠାରେ ଦେଖିବାକୁ ମିଳିଛି ପରିବର୍ତ୍ତନ।”

ସ୍ଵାସ୍ଥ୍ୟ ବୀମା ଯୋଜନା ନାସନାଲ ହେଲ୍ଥ ପ୍ରୋଟେକସନ ସ୍କିମ ‘ଆୟୁଷ୍ମାନ ଭାରତ’କୁ ଗତକିଛି ଦିନ ତଳେ କ୍ୟାବିନେଟ୍‌ ମଞ୍ଜୁରି ମିଳିଥଲା। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚଳିତବର୍ଷ ବଜେଟରେ ଏହି ଯୋଜନା ବିଷୟରେ ଘୋଷଣା କରିଥିଲେ। ଏହି ଯୋଜନାକୁ ‘ମୋଦି କେୟାର’ ଆଖ୍ୟା ମଧ୍ୟ ଦିଆଯାଇଛି।

ଆୟୁଷ୍ମାନ ଭାରତର ଲକ୍ଷ୍ୟ

‘ଆୟୁଷ୍ମାନ ଭାରତ’ ଯୋଜନାରେ ଦେଶର ୫୦ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟ ବୀମା ପ୍ରଦାନ କରାଯିବ।

‘ଆୟୁଷ୍ମାନ ଭାରତ’ର ଲକ୍ଷ୍ୟ ଭାରତର ୧୦.୭ କୋଟି ଲୋକଙ୍କୁ ସ୍କିମ ସହ ଯୋଡିବା। ଏହି ସ୍କିମ୍ ମାଧ୍ୟମରେ ଭାରତର ୫ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ ବୀମା ମିଳିବ । ପରିବାରର ସବୁ ସଦସ୍ୟ ଏହି ଯୋଜନା ସହ ଜଡିତ ହୋଇପାରିବେ । ଏହି ଯୋଜନା ଅନୁସାରେ କେଉଁ ପରିବାରକୁ ଏହାର ସୁବିଧା ମିଳିବ ତାହା ଆର୍ଥିକ ଦୃଷ୍ଟିରୁ ବିଚାର କରାଯିବ। ଏହି ଯୋଜନା ଅନ୍ତର୍ଗତ ପରିବାରକୁ ସରକାରୀ, ବେସରକାରୀ କିମ୍ବା ଦେଶର ଯେକୌଣସି ସ୍ଥାନରେ ଚିକିତ୍ସିତ ହେବାର ସୁବିଧା ମିଳିବ। ଆୟୁଷ୍ମାନ ଭାରତ ସ୍କିମ ସମ୍ପୂର୍ଣ୍ଣ ଭାବେ କ୍ୟାସଲେସ ଅଟେ। ଯୋଜନା ଅନୁସାରେ ଭାରତରେ ୧.୫ ଲକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ହେବ।

‘ଆୟୁଷ୍ମାନ ଭାରତ’ଯୋଜନା ଅଧିନରେ ଆସୁଥିବା ପରିବାରକୁ ସରକାରଙ୍କ ପକ୍ଷରୁ ବଛାଯାଇଥିବା କିଛି ଘରୋଇ ଡାକ୍ତରଖାନାରେ ମଧ୍ୟ ଚିକିତ୍ସା ପାଇବାର ସୁବିଧା ପାଇପାରିବେ।

ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ସ୍କିମ୍‌ ଭାବେ ଏହା ଘୋଷଣା କରାଯାଇଥିଲେ ମଧ୍ୟ ବିଜେପି ପକ୍ଷରୁ ଏହାର ନାମ ମୋଦିକେୟାର ଦେଇଥିଲା। ଲୋକମାନଙ୍କଠାରେ ପୂର୍ବରୁ ଥିବା ସବୁ ପ୍ରକାର ରୋଗ ପାଇଁ ଏହି ସ୍କିମ୍‌ କାମ ଦେବ।

LEAVE A REPLY

Please enter your comment!
Please enter your name here