ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବୈଜୟନ୍ତଙ୍କ ରାଜନୀତିକ ସଂଯୋଜକ ଦେବାଶିଷ ମଲ୍ଲିକ
  • ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କୁ କଲେ କଡ଼ା ସମାଲୋଚନା
  • ବିଜେଡିରେ ରହି ଅନ୍ତର୍ଘାତୀ କାମ କରୁଥିଲେ ବୈଜୟନ୍ତ
  • ନିଜ ସ୍ୱାର୍ଥ ପାଇଁ ତୃତୀୟ ମହଲାକୁ ଟାର୍ଗେଟ

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ସମ୍ପର୍କ ତୁଟାଇଛନ୍ତି ରାଜନୀତିକ ସଂଯୋଜକ ଦେବାଶିଷ ମଲ୍ଲିକ। ୧୦ ବର୍ଷର ସମ୍ପର୍କ ଛିନ୍ନ କରିବା ପରେ ଦେବାଶିଷ ‘ଜୟ ପଣ୍ଡା’ଙ୍କ ବିରୋଧରେ ସାଂଘାତିକ ତଥ୍ୟ ଦେଇଛନ୍ତି। ବିଜେଡିରେ ଥାଇ ସାଂସଦ କିପରି ବିଜେପି ସହ ଲିଙ୍କ୍ ରଖିଥିଲେ ସମ୍ବାଦିକ ସମ୍ମିଳନୀ କରି ସେ ତାର ହିସାବ ଦେଇଛନ୍ତି।

ଦେବାଶିଷ କହିଛନ୍ତି, “ଗତ ପଞ୍ଚାୟତ ନିର୍ବାଚନ ଏବଂ ବିଜେପୁର ଉପ-ନିର୍ବାଚନ ବେଳେ ବୈଜୟନ୍ତ ଦଳ ବିରୋଧୀ କାମ କରିଥିଲେ। ନିଜର ବ୍ୟବସାୟିକ ସ୍ୱାର୍ଥ ସାଧନ ହୋଇ ନପାରିବାରୁ ସେ ଦଳକୁ ଅଡ଼ୁଆରେ ପକାଇବା ପାଇଁ ଚାହୁଁଥିଲେ। କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ଦଳ ବିରୋଧୀ ଲୋକଙ୍କ ସହ ସମ୍ପର୍କ ରଖୁଥିଲେ। ଫଳରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି।”

ଏହାସହ ଦେବାଶିଷ ଆହୁରି ସାଂଘାତିକ ତଥ୍ୟ ମଧ୍ୟ ଦେଇଛନ୍ତି।

“ବୈଜୟନ୍ତଙ୍କୁ ସଂସଦର ଫାଇନାନ୍ସ କମିଟିରେ ରଖାଯାଇ ନଥିବାରୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅପପ୍ରଚାର କରିଥିଲେ ବୈଜୟନ୍ତ। ଏହାଛଡ଼ା ନିଜ ସ୍ୱାର୍ଥ ପାଇଁ ବୈଜୟନ୍ତ ବିଜେଡି ଏବଂ ତୃତୀୟ ମହଲାକୁ ଟାର୍ଗେଟ କରି ଆସୁଥିଲେ। ଏହା ମୋ ବିବେକକୁ ବାଧିଥିଲା। ଏଣୁ ବାଧ୍ୟ ହୋଇ ରାଜନୀତିକ ସଂଯୋଜକ ପଦବୀରୁ ଇସ୍ତଫା ଦେଇଛି”, କହିଛନ୍ତି ଦେବାଶିଷ।

ଦେବାଶିଷଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୈଜୟନ୍ତଙ୍କ ରାଜନୀତିକ ସଚିବ ଜ୍ୟୋତି ଘୋଷ। ସେ କାହା ଇଙ୍ଗିତରେ ଏଭଳି ମନ୍ତବ୍ୟ ଦେଇଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ଜଣାପଡ଼ି।

ବୈଜୟନ୍ତ ଏବଂ ବିଜେଡି ଭିତରେ ଦୂରତା ବଢ଼ୁଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଜୟନ୍ତ ଏବଂ ତାଙ୍କ ପରିବାରକୁ ଟାର୍ଗେଟ କରିଛି ବିଜେଡି। ଏବେ ଦେବାଶିଷ ସାଂଘାତିକ ମନ୍ତବ୍ୟ ଦେବା ପରେ ବୈଜୟନ୍ତ-ବିଜେଡି ମଧ୍ୟରେ ପୁଣି ବିବାଦ ବଢ଼ିବ ବୋଲି ଚର୍ଚ୍ଚା ହେଉଛି।

Comment