ରବୀନ୍ଦ୍ର ନାରାୟଣ ମିଶ୍ର
ଘରେ ପାଦ ଦେଉଦେଉ ଝିଅଟି ସହ ଦେଖାହେଲା ସିନା, ପଦେ ବି କଥା ହୋଇପାରିଲାନି। ତା’ର ଉଦାସିଆ ଆଖି ଦୁଇଟି ମତେ କିନ୍ତୁ କେତେ କ’ଣ କହିଯାଉଥାଏ।
ସଂସାରଟାକୁ ଏକ ବିରାଟ ମାୟାଜାଲରେ ଏମିତି ଘୋଡେଇ ରଖାଯାଇଛି ଯେ କିଏ ସୁଖରେ ମସ୍ଗୁଲ୍ ତ କିଏ ଦୁଃଖରେ ମ୍ରିୟମାଣ। ଏ ମସ୍ଗୁଲ୍ ମ୍ରିୟମାଣ ଅବସ୍ଥାକୁ ଲକ୍ଷ୍ୟ କଲେ ଜଣାପଡେ ଯେମିତି ଏ ଜୀବନ ପରଦାରେ କେତେ ଭିନ୍ନ ଭିନ୍ନ ଦୃଶ୍ୟ ଫୁଟି ଉଠୁଛି।
ସେଦିନ ଏକଥାଟି ଅନୁଭବ ହେଲା ସେ ଘରେ। ଗୋଟିଏ ଛାତ ତଳୁ କାନ୍ଦବୋବାଳି ଓ ହୁଳହୁଳି ଏକ ସଙ୍ଗରେ ଶୁଭୁଥାଏ। ଝିଅଟି ଡାକିଥାଏ ତା’ର ବିବାହ ପରେ ଉତ୍ସବରେ। ଅଚିହ୍ନା ଜାଗାରେ ଅପରିଚିତଙ୍କ ଗହଣରେ ତା’ ମନକୁ ଟିକିଏ ହାଲ୍କା କରିବାରେ ମୋ ସାହାଯ୍ୟ। ତା’ ଘରେ ପାଦଦେବା ଦିନ ଥାଏ ଚତୁର୍ଥୀ। ବାସରରାତ୍ରିରେ ଆୟୋଜନରେ ଥଟ୍ଟା ପରିହାସରେ ସମ୍ପର୍କୀୟ ନଣନ୍ଦମାନେ ମାତିଥାନ୍ତି।
ଦୈବଯୋଗକୁ ଘରେ ପାଦ ଦେଉଦେଉ ଝିଅଟି ସହ ଦେଖାହେଲା ସିନା, ପଦେ ବି କଥା ହୋଇପାରିଲାନି। ତା’ର ଉଦାସିଆ ଆଖି ଦୁଇଟି ମତେ କିନ୍ତୁ କେତେ କ’ଣ କହିଯାଉଥାଏ। ଆଖିରେ ଇସାରାରେ ସେ ଜଣକୁ ନିର୍ଦ୍ଦେଶ ଦେଲା ମତେ ଆପ୍ୟାୟିତ କରିବାକୁ। ପରେ ପରେ ଜଳପାନ ପ୍ଲେଟ୍ ମୋ ବସିବା ଜାଗାରେ ପଡ଼ିଥିବା ବିଷୟମଣ୍ଡନ କଲା।
ସେଇ ମୁହୂର୍ତ୍ତରେ କୋଡିଏ ବାଇଶିବର୍ଷ ତଳକୁ ମୋ ମନ ମୋତେ ଫେରାଇ ନେଇଥାଏ। ଝିଅଟିର ଜନ୍ମବେଳର ଘରେ ଉଛୁଳିପଡ଼ିବା ଆନନ୍ଦ, ପରେ ପରେ ତା’ ଲାଳନପାଳନ, ପାଠପଢ଼ା ଓ ବିଦେଶୀ କମ୍ପାନିରେ ମୋଟା ଦରମାରେ ଚାକିରି- ଏମିତି କେତେ କ’ଣ? ହଠାତ୍ ପାଖଘରୁ ଚାପା କ୍ରନ୍ଦନର ଗୁଞ୍ଜରଣ ଶୁଭିଲା।
ଶୁଣିଲି ବନ୍ଧୁବାନ୍ଧବ କୁହାକୁହି ହେଉଛନ୍ତି- ବୁଢ଼ା ଆଉ କେଇଟା ମିନିଟରେ ଏ ସଂସାରରୁ ବିଦାୟ ନେଇଯିବେ। ବିଦାୟ ନେଲେ ଚତୁର୍ଥୀର ଔପଚାରିକତା ରକ୍ଷା କରାଯିବ କି ନାହିଁ। ଗୋଟିଏ ପଟର ମତ, ଯେହେତୁ ବିବାହ ପୂଣ୍ୟୋତ୍ସବ ସରିଯାଇଛି, ଚତୁର୍ଥୀହୋମ ମଧ୍ୟ ଶେଷ ହୋଇଯାଇଛି, ବାସର ରଜନୀର ଅନ୍ୟ କାର୍ଯ୍ୟକ୍ରମମାନ ବନ୍ଦ ନ ହେଉ।
ଅନ୍ୟ ମତଟି ହେଲା, ଏ ଦୁଃଖବେଳର ଶୋକାକୁଳ ପରିବେଶରେ ହର୍ଷଉଲ୍ଲାସ କରିବା ବିଦାୟୀ ଆତ୍ମା ପ୍ରତି ଅବମାନନା ହେବ। ଝିଅଟି ମତେ ଚାହୁଁଥାଏ। ଟି ପୟ ଉପର ଜଳଖିଆ ପ୍ଲେଟଟି ସେମିତି ଥୁଆହୋଇଥାଏ। ହଠାତ୍ ପାଖଘରୁ କେହି ଜଣେ କହି ଉଠିଲା, ଦୀପ ଲିଭିଗଲା, କୋକେଇ ପ୍ରସ୍ତୁତ କର। ମୁଁ ସେ ଘରୁ ଗୋଡ କାଢ଼ିଲି ସେଇ ମୁହୂର୍ତ୍ତରେ।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)