ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି-ବୈଜୟନ୍ତ ବିବାଦର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ବୈଜୟନ୍ତଙ୍କ ଘରେ ସାମ୍ବାଦିକ ସମ୍ମିଳନୀ କରି ସାଂସଦଙ୍କର ଜଣେ ସମର୍ଥକ ବିଜେଡି ଶିବିରକୁ ତୀର ମାରିଛନ୍ତି। ବିଜେଡି ଶିବିରକୁ ତୀର ମାରିବା ପାଇଁ ସାଂସଦଙ୍କର ଏହା ଏକ ସୁପରିକଳ୍ପିତ ଯୋଜନା ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ଗତ ଦୁଇ ମାସ ହେଲା ବୈଜୟନ୍ତ ଓ ବିଜେଡି ଭିତରେ ବିବାଦ ଚାଲିଛି। କେନ୍ଦ୍ରାପଡ଼ା ସାଂସଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୃତୀୟ ମହଲାକୁ ସିଧାସଳଖ ସମାଲୋଚନା କରି ଦଳରୁ ନିଲମ୍ବିତ ହୋଇଛନ୍ତି। ଏହାପରେ ବି ବିଜେଡି-ବୈଜୟନ୍ତ ବିବାଦର ପୂର୍ଣ୍ଣଛେଦ ପଡ଼ିନି। ଗୁରୁବାର ଦିନ ଏହି ବିବାଦ ଏକ ନୂଆ ମୋଡ଼ ନେଇଛି। ବୈଜୟନ୍ତ ପଣ୍ଡାଙ୍କ ଘରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ନଥିଲେ ସାଂସଦ। ତାଙ୍କ ରାଜନୈତିକ ସଚିବ ବି ଉପସ୍ଥିତ ନଥିଲେ। କେନ୍ଦ୍ରାପଡ଼ାର ଜଣେ ସମର୍ଥକ ସାମ୍ବାଦିକ ସମ୍ମିଳନୀ କରି ସାଂସଦଙ୍କ ବିରୋଧରେ ଜଣେ ପୂର୍ବତନ ମନ୍ତ୍ରୀ ଏବଂ ପ୍ରଶାସକ ଷଡ଼ଯନ୍ତ୍ର କରୁଥିବା କହିଥିଲେ। ହେଲେ ଏବେ ପ୍ରଶ୍ନ ଉଠୁଛି ଷଡ଼ଯନ୍ତ୍ର କଥା କହିବା ପାଇଁ କେନ୍ଦ୍ରାପଡ଼ାର ଜଣେ ସମର୍ଥକଙ୍କୁ କାହିଁକି ବୈଜୟନ୍ତଙ୍କ ଘରେ ସାମ୍ବାଦିକ ସମ୍ମିଳନୀ କରିବାକୁ ପଡ଼ିଲା? ଯଦି ଷଡ଼ଯନ୍ତ୍ର ହେଉଛି ତାହାଲେ ସାଂସଦ କାହିଁକି ଉପସ୍ଥିତ ରହିଲେ ନାହିଁ? ସମର୍ଥକଙ୍କ ମୁହଁରେ ବିଜେଡିକୁ ତୀର ମାରିବା ପାଇଁ ସାଂସଦଙ୍କର ନର୍ଦ୍ଦେଶ ରହିଥିଲା କି? ଦୀର୍ଘ ବର୍ଷ ଧରି ରାଜନୀତିକ ସଂଯୋଜକ ଥିବା ଦେବାଶିଷ ମଲ୍ଲିକଙ୍କ ଅଭିଯୋଗରେ ବୈଜୟନ୍ତ ଶିବିର ହଲ୍‌ଚଲ୍ ହୋଇଯାଇଛି କି?

ଆଜିର ସାମ୍ବାଦିକ ସମ୍ମିଳନୀ ପରେ ବୈଜୟନ୍ତ ଟୁଇଟ୍ କରି ସଲିମ୍‌ ଖାନ୍‌ଙ୍କ ସାହସକୁ ପ୍ରଶଂସା କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଜେଡି ବିରୋଧରେ କହିବା ପାଇଁ ସଲିମ୍‌ଙ୍କ ପଛରେ ବୈଜୟନ୍ତଙ୍କ ସମର୍ଥନ ରହିଥିଲା।

“ଜଣେ ପୂର୍ବତନ ସହଯୋଗୀ ନିଜକୁ ଦୁଷ୍ଟ ଲୋକଙ୍କ ପାଖରେ ବିକ୍ରି କରିଦେଇଛନ୍ତି। ବିଜେଡିର ଗୋଟିଏ ଗୋଷ୍ଠୀଠାରୁ ଧମକ ପାଇ ମଧ୍ୟ ସଲିମ୍ ନିଜ ସିଦ୍ଧାନ୍ତକୁ ବଜାୟ ରଖି ବହୁତ ସାହସ ଦେଖାଇଛନ୍ତି। ମୋ ବିରୋଧରେ ହେଉଥିବା ଷଡ଼ଯନ୍ତ୍ରରେ ସାମିଲ ହେଲେ ନାହିଁ”, ଟୁଇଟ୍ କରି କହିଛନ୍ତି ବୈଜୟନ୍ତ ପଣ୍ତା।

ସଲିମ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଙ୍କୁ ବିଜେଡିର ଗୋଟିଏ ଗୋଷ୍ଠୀ ଧମକ ଦେଇଥିଲେ। ବୈଜୟନ୍ତଙ୍କୁ ଛାଡ଼ିବା ପାଇଁ ଧମକରେ କୁହାଯାଇଥିଲା। ହେଲେ ଏ ସମ୍ପର୍କରେ ସେ ବିଜେଡି ସଭାପତିଙ୍କୁ ସିଧାସଳଖ ଜଣାଇ ପାରିନଥିଲେ। ଶେଷରେ ସେ ଗଣମାଧ୍ୟମକୁ ଆସିବା ପାଇଁ ବାଧ୍ୟ ହେଲେ।

ସଲିମ୍‌ଙ୍କୁ ଯଦି ଫୋନରେ ଧମକ ଆସିଥିଲା ସେ ଥାନାରେ ଅଭିଯୋଗ କଲେନାହିଁ କାହିଁକି? ଯଦି ଗଣମାଧ୍ୟମ ସମ୍ମୁଖକୁ ଆସିବାକୁ ଚାହିଁଲେ ତାହାଲେ ସେ ଅନ୍ୟ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ନକରି ସାଂସଦଙ୍କ ଘରେ କାହିଁକି ସାମ୍ବାଦିକ ସମ୍ମିଳନୀ କଲେ? ବିଜେଡି ନେତାଙ୍କ ଧମକକୁ ଆଳ କରି ବିଜେଡିକୁ ତୀର ମାରିବା ପାଇଁ ଏହା ସାଂସଦଙ୍କର ଏକ ଚାଲ୍‌ ଥିଲା କି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଜେଡିରେ ଥିବା ବେଳେ ସାଂସଦ ଦଳ ବିରୋଧୀ କାମ କରୁଥିଲେ ବୋଲି ବୈଜୟନ୍ତଙ୍କ ପୂର୍ବତନ ସହଯୋଗୀ ଦେବାଶିଷ ମଲ୍ଲିକ କହିଥିଲେ। ହେଲେ ଏବେ ବି ବୈଜୟନ୍ତ ଏକ ପ୍ରକାର ଦଳରେ ରହିଛନ୍ତି। କାରଣ ବିଜେଡି ତାଙ୍କୁ କେବଳ ନିଲମ୍ବିତ କରିଛି। ବିବାଦ ବଢ଼ୁଥିଲେ ମଧ୍ୟ ବୈଜୟନ୍ତଙ୍କ ହାତ ଏଯାଏଁ ବିଜେଡି ସମ୍ପୂର୍ଣ୍ଣ ଭାବେ ଛାଡ଼ି ପାରିନି କି ସାଂସଦ ବି ନିଜ ଆଡ଼ୁ ଦଳରୁ ଇସ୍ତଫା ଦେଇ ନାହାନ୍ତି। ନିଲମ୍ବିତ ହେବା ପୂର୍ବରୁ ବିଜେଡି-ବୈଜୟନ୍ତଙ୍କ ମଧ୍ୟରେ ଯେଉଁ ଲଢ଼େଇ ଚାଲିଥିଲା ତାହା ଏବେ ବି ଚାଲିଛି।

ଷଡ଼ଯନ୍ତ୍ର ହେଉଛି ବୋଲି ଆଜିଯାଏଁ ବୈଜୟନ୍ତ ମୁହଁ ଖୋଲି ନାହାନ୍ତି। କେବଳ ଟୁଇଟ୍ ମାଧ୍ୟମରେ ଅସନ୍ତୋଷ କରୁଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ତୃତୀୟ ମହଲାକୁ ଟାର୍ଗେଟ କରୁଛନ୍ତି। ହେଲେ ସାଂସଦଙ୍କ ଘରେ ଆଜି ଯେଉଁ ସାମ୍ବାଦିକ ସମ୍ମିଳନୀ ହେଲା ତାର କାରଣ ସ୍ପଷ୍ଟ ଭାବେ ବୁଝାପଡ଼ୁନି।

୧୬ ତାରିଖରେ ଦେବାଶିଷ ମଲ୍ଲିକ କରିଥିବା ସାମ୍ବାଦିକ ସମ୍ମିଳନୀକୁ କାଉଣ୍ଟର କରିବା ପାଇଁ ସଲିମ୍ ଖାନ୍ ଆଗକୁ ଆସିଲେ ନା ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିବା ପାଇଁ ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ନିଶ୍ଚିନ୍ତକୋଇଲି ପାଣିଟାଙ୍କି ଉଦଘାଟନ ଦିନରୁ ବୈଜୟନ୍ତ-ବିଜେଡି କଳି ସୀମା ଟପିଛି। ଏହି ଉଦଘାଟନକୁ ବିଜେଡିର ଗୋଟିଏ ଗୋଷ୍ଠୀ ବିରୋଧ କରିବାରୁ ବୈଜୟନ୍ତ ତୃତୀୟ ମହଲାକୁ ଟାର୍ଗେଟ କରିଥିଲେ। ଏହାପରେ ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିଥିଲା। ଫଳରେ ବିଜେଡିରୁ ବୈଜୟନ୍ତଙ୍କୁ ନିଲମ୍ବନ କରାଯାଇଥିଲା।

ନିଲମ୍ବିତ ସାଂସଦଙ୍କୁ ଲୋକସଭାରେ ଏକଘରିକିଆ କରିବା ପାଇଁ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବାଚସ୍ପତିଙ୍କୁ ଚିଠି ଲେଖିଲେ। ଏହି ଘଟଣାରେ ବିଜେଡି ବୈଜୟନ୍ତଙ୍କ ପରିବାର ମାଲିକାନାରେ ଥିବା ଟିଭି ଚ୍ୟାନେଲକୁ ବୟକଟ୍ କରିଥିଲା।

ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇ ଓହରିଯିବା ପରେ ବିଜେଡି ବୈଜୟନ୍ତଙ୍କ ସ୍ତ୍ରୀ ଜାଗି ମଙ୍ଗତ ପଣ୍ଡାଙ୍କୁ ଦାୟୀ କରିଥିଲା। ଏହି ଘଟଣାର କିଛିଦିନ ପରେ ବୈଜୟନ୍ତଙ୍କ ଶିବିର ଛାଡ଼ିଥିଲେ ଦେବାଶିଷ ମଲ୍ଲିକ। ସାଂସଦଙ୍କ ଅସଲ ଗୁମର ପଦାରେ ପକାଇଥିଲେ। ଏହାକୁ କାଉଣ୍ଟର କରିବା ପାଇଁ ବୈଜୟନ୍ତଙ୍କ ଘରେ ଆଜି ଅନୁଷ୍ଠିତ ହେଲା ସାମ୍ବାଦିକ ସମ୍ମିଳନୀ।

Comment