ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ୟାନ୍‌ସର ଭଳି ମାରାତ୍ମକ ରୋଗରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ୮ଟି କଥା ଜମା ଭୁଲନ୍ତୁ ନାହିଁ। କାରଣ ଯାହା ଆପଣଙ୍କ ପାଟିକୁ ସୁଆଦ ଲାଗେ ତା’ର ମାତ୍ରା ସାମାନ୍ୟ ବିଗିଡ଼ିଗଲେ ଶରୀର ବିଗିଡ଼ିଯାଏ।

ଦୈନନ୍ଦିନ ଜୀବନରେ ଗ୍ରହଣ କରୁଥିବା ଖାଦ୍ୟରେ କିଛିଟା ସୁଧାର ଆଣିଲେ ବଡ଼ ବଡ଼ ରୋଗରୁ ତ୍ରାହି ମିଳିଥାଏ। ତେଣୁ ଏସବୁ ପ୍ରତି ଧ୍ୟାନ ରଖିବା ନିହାତି ଆବଶ୍ୟକ।

ଲୁଣ

ଖାଇବାରେ କମ୍‌ ଲୁଣ ବ୍ୟବହାର କରନ୍ତୁ। କାରଣ ଶରୀର ପାଇଁ ଆବଶ୍ୟକ ହେଉଥିବା ସୋଡିୟମ୍‌ ବିଭିନ୍ନ ଖାଦ୍ୟ ମାଧ୍ୟମରେ ଆମକୁ ମିଳିଥାଏ। ତେଣୁ ଲୁଣ ଅତ୍ୟଧିକ ବ୍ୟବହାର କଲେ ଏହା ପେଟରେ କ୍ୟାନ୍‌ସର ହେବାର କାରଣ ହୋଇପାରେ।

ମୃଦୁ ପାନୀୟ

ସଫ୍ଟ ଡ୍ରିଙ୍କସ ବା ମୃଦୁ ପାନୀୟ ଅଧିକ ମାତ୍ରାରେ ପିଇବା ଦ୍ଵାରା ଜଣେ କ୍ୟାନସରର ଶିକାର ହୋଇପାରନ୍ତି। ଏଥିରେ ସୁଗାର ମାତ୍ରା ଅଧିକ ଥିବାରୁ ଏହା ବ୍ଲଡ୍‌ ସୁଗାର ବୃଦ୍ଧି କରିଥାଏ। ତେଣୁ ଆପଣ ଯେତେକମ୍‌ ବ୍ୟବହାର କରିବେ ସେତେ ସୁସ୍ଥ ଓ ସୁରକ୍ଷିତ ରହିବେ।

ଅତ୍ୟଧିକ ସୂର୍ଯ୍ୟ କିରଣ

ସକାଳର କଅଁଳିଆ ଖରା ସମସ୍ତଙ୍କୁ ଭଲ ଲାଗେ। ବିଶେଷକରି ଶୀତ ଦିନରେ ସୂର୍ଯ୍ୟ କିରଣ ଦେହକୁ ଉଷୁମ କରିଦିଏ। ସୂର୍ଯ୍ୟଙ୍କ ସକାଳ କିରଣରେ ଥିବା ଭିଟାମିନ୍‌-ଡି ଦେହ ପାଇଁ ଉପଯୋଗୀ। ତେବେ ସୂର୍ଯ୍ୟଙ୍କ ତୀର୍ଯ୍ୟକ କିରଣ ଦୀର୍ଘ ସମୟ ଧରି ଶରୀରରେ ପଡ଼ିଲେ ସ୍କିନ୍ କ୍ୟାନ୍ସର ହେବାର ଆଶଙ୍କା ଥାଏ।

ପଶୁ ମାଂସ

ଆମିଷ ଖାଉଥିବା ଲୋକଙ୍କ ପାଇଁ ମଧ୍ୟ ରହିଛି କ୍ୟାନସର ସତର୍କ ସୂଚନା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସପ୍ତାହରେ ଥରେ ବା ଦୁଇଥର ପଶୁ ମାଂସ(ଛେଳି ଇତ୍ୟାଦି) ଖାଇଲେ ଚଳିବ। ତେବେ ତା’ଠାରୁ ଅଧିକ ଖାଇବା ଅନୁଚିତ୍। ଅଧିକ ରେଡ୍‌ ମିଟ୍‌ ଖାଉଥିବା ଲୋକଙ୍କ କ୍ଷେତ୍ରରେ ରକ୍ତଚାପ ସମସ୍ୟା ଦେଖାଦେଇପାରେ। ଏପରିକି ଏହାଦ୍ଵାରା କ୍ୟାନ୍‌ସର ହେବାର ଆଶଙ୍କା ମଧ୍ୟ ରହିଥାଏ।

ମୋଟାପଣ

ଯଦି କ୍ୟାନସରକୁ ବାଏ ବାଏ କରିବାକୁ ଚାହୁଁଛନ୍ତି ତେବେ ମେଦବହୁଳତାଠାରୁ ଦୂରେଇ ରହନ୍ତୁ। ମୋଟାପଣ ଯୋଗୁଁ ଶରୀରରେ ବିଭିନ୍ନ ରୋଗ ଦେଖାଦିଏ । ତା’ମଧ୍ୟରେ ଗୋଟିଏ ହେଉଛି ସଇତାନ କ୍ୟାନ୍‌ସର। ଆଜି ଆମ ସମାଜରେ ପରିବର୍ତ୍ତନ ଜୀବନଧାରା ବା ଲାଇଫ୍‌ଷ୍ଟାଇଲ୍‌ ଯୋଗୁଁ ମୋଟାପଣ ସମସ୍ୟା ଭାବେ ଉଭା ହୋଇଛି। ମୂଳରୁ ଏ ଦିଗରେ ସାବଧାନ ରହନ୍ତୁ।

ସୁଗନ୍ଧଯୁକ୍ତ ପାଉଡର

ଦେହରେ ସୁଗନ୍ଧଯୁକ୍ତ ପାଉଡର ପକାଇବାକୁ ଅନେକ ଲୋକ ଭଲ ପାଆନ୍ତି। ତେବେ ଶରୀରର କୌଣସି ସମ୍ବେଦନଶୀଳ ଅଙ୍ଗରେ ଏହା ବ୍ୟବହାର କରନ୍ତୁ ନାହିଁ। ଏହା ଘାତକ ହୋଇପାରେ।

ତମାଖୁ ସେବନ

ତମାଖୁ ସେବନ କ୍ୟାନ୍‌ସର ପ୍ରମୁଖ କାରଣ ବୋଲି ଧରାଯାଏ। ତେଣୁ ବିଭିନ୍ନ ପ୍ରକାର ତମାଖୁଜାତ ଜିନିଷଠାରୁ ଦୂରେଇ ରହନ୍ତୁ।

ମଦ

ମଣିଷ ମଦ ପିଏ। କିନ୍ତୁ ଗୋଟିଏ କଥା ଅଛି ଯେ, ବେଳେବେଳେ ମଦ ମଣିଷକୁ ପିଇଦିଏ। ଅର୍ଥାତ୍ ଅତ୍ୟଧିକ ମଦ୍ୟପାନ ମଣିଷ ଜୀବନ ପାଇଁ ଯନ୍ତ୍ରଣାର କାରଣ ହୋଇଥାଏ। ଡାକ୍ତରଙ୍କ ଭାଷାରେ ଅଧିକ ମଦ ପିଇଲେ ଲିଭର୍‌ କ୍ୟାନ୍‌ସର ହେବାର ଆଶଙ୍କା ରହିଥାଏ। କେବଳ ସେତିକି ନୁହେଁ, ଗଳା, ମୁହଁ, ସ୍ତନ କର୍କଟ ହେବାର ମଧ୍ୟ ଆଶଙ୍କା ରହିଛି।

Comment