ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ଏଟିଏମ୍ ଏବେ ଅଚଳ ହୋଇଯାଇଛି। ଟଙ୍କା ବାହାରୁ ନଥିବାରୁ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି। ଦେଶରେ ଦେଖାଦେଇଥିବା ଏଭଳି ପରିସ୍ଥିତିକୁ ବିରୋଧ କରି ବିଜେଡି ଶନିବାର ଧାରଣା ଦେବ ବୋଲି ଘୋଷଣା କରିଛି। ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ, ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଯୁବ ଏବଂ ଛାତ୍ର ବିଜେଡି ବିକ୍ଷୋଭ କରିବ।
ଏହାସହ ସବ୍ଡିଭଜନ ଏବଂ ବ୍ଲକ ସ୍ତରରେ ଥିବା ବିଭିନ୍ନି ରାଷ୍ଟ୍ରାୟତ ବ୍ୟାଙ୍କ ସମ୍ମୁଖରେ ବିଜେଡି ଶାନ୍ତିପୂର୍ଣ୍ଣ ଧାରଣା ଦେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା।
“ଶନିବାର ଦିନ ଦଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଏଟିଏମ୍ରେ ଟଙ୍କା ନଥିବା ଘଟଣାର ପ୍ରତିବାଦ କରାଯିବ। ବିମୁଦ୍ରାକରଣକୁ ଅନେକ ଦିନ ବିତିଥିଲେ ବି ଲୋକେ ଠିକ୍ ଭାବେ ଟଙ୍କା ଉଠାଇ ପାରୁନାହାନ୍ତି। ଓଡ଼ିଶା ଏବଂ ଦେଶରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାର ପ୍ରତିବାଦ କରାଯିବ। ହେଲେ ବ୍ୟାଙ୍କ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି କରାଯିବ ନାହିଁ”, କହିଛନ୍ତି ସଞ୍ଜୟ ଦାସବର୍ମା।
ଏଟିଏମ୍ରେ ଟଙ୍କା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଓଡ଼ିଶାର ଚାଷୀ, ଛାତ୍ରଛାତ୍ରୀ, ମହିଳା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ କେନ୍ଦ୍ର ସରକାର ଏହାର ସ୍ଥାୟୀ ପ୍ରତିକାର କରୁ ନାହାନ୍ତି।