ଓଡ଼ିଶାଲାଇଭ୍ ବ୍ୟୁରୋ

ଏଟିଏମ୍‌ରୁ ବାହାରୁ ନାହିଁ ଟଙ୍କା। ଏହାର ପ୍ରତିବାଦରେ ଶନିବାର ବିଜେଡି ବ୍ୟାଙ୍କ ସମ୍ମୁଖରେ ଦୁଇ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛି। ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ଏବଂ ଷ୍ଟେଟବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମେତ ବ୍ଲକ ସ୍ତରରେ ଥିବା ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମ୍ମୁଖରେ ବିଜେଡି ପ୍ରତିବାଦ କରିଛି।

କିଛିଦିନ ହେଲା ସାରା ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଟିଏମ୍‌ରେ ଟଙ୍କା ନଥିବାରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଓଡ଼ିଶାରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଟିଏମ୍‌ ଅଚଳ ହୋଇଯାଇଥିବାରୁ ଲୋକେ ନିରାଶ ହୋଇ ଫେରୁଛନ୍ତି। ବିମୁଦ୍ରାକରଣକୁ ଦେଢ଼ ବର୍ଷ ପୂରିଥିଲେ ମଧ୍ୟ ଦେଶରେ ଟଙ୍କା ଅଭାବ ଦୂର ହୋଇପାରିନି। ଏହାର ପ୍ରତିବାଦ କରିଛି ଛାତ୍ର ଏବଂ ଯୁବ ବିଜେଡି। ବିଜେଡିର ଏହି ଦୁଇ ଛାମୁଆ ସଙ୍ଗଠନର କର୍ମକର୍ତ୍ତା ହାତରେ ପ୍ଲାକାର୍ଡ ଧରି ରିଜର୍ଭ ବ୍ୟାଙ୍କ ଏବଂ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଛନ୍ତି। ଟଙ୍କା ପାଇଁ ଗ୍ରାହକମାନେ ହଇରାଣ ହେଉଥିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ବିଜେଡି।

କେବଳ ଭୁବନେଶ୍ୱର ନୁହେଁ, ସବ୍‌ଡିଭିଜନ ଏବଂ ବ୍ଲକ ସ୍ତରରେ ଥିବା ବ୍ୟାଙ୍କ ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି। ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଧାରଣା ଦିନ ୧୨ଟା ଯାଏଁ ଚାଲିଥିଲା।

ଭୁବନେଶ୍ୱରରେ ଆୟୋଜିତ ପ୍ରତିବାଦରେ ବିଧାୟକ ସଞ୍ଜୟ ଦାସବର୍ମା, ଦେବାଶିଷ ନାୟକ, ଛାତ୍ର ବିଜେଡି ଉପଦେଷ୍ଟା ଚନ୍ମୟ ସାହୁ, ଛାତ୍ର ବିଜେଢି ସଭାପତି ରାଣାପ୍ରତାପ ପାତ୍ର ଏବଂ ଯୁବ ବିଜେଡି ସଭାପତି ଅମରେଶ ପତ୍ରି ପ୍ରମୁଖ ଉପସ୍ଥିତ ଥିଲେ।

ଟଙ୍କା ଟେନ୍‌ସନ୍‌କୁ ନେଇ ବିଜେଡି ପକ୍ଷରୁ ଶୁକ୍ରବାର ଦିନ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଜେଡି ସାଧାରଣ ସମ୍ପାଦକ ତଥା ବିଧାୟକ ସଞ୍ଜୟ ଦାସବର୍ମା ଏବଂ ଡକ୍ଟର ଅରୁଣ ସାହୁ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଶନିବାର ଦିନ ରାଜ୍ୟ ତମାମ୍ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଧାରଣା ଦିଆଯିବ ବୋଲି ସୂଚନା ଦେଇଥିଲେ।

Comment