ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀଦଣ୍ଡ। ଏଥିପାଇଁ ଆଇନରେ ହେବାକୁ ଯାଉଛି ଏକ ବଡ଼ଧରଣର ସଂଶୋଧନ। ଏହି ସଂଶୋଧନ ପ୍ରସ୍ତାବ ଉପରେ ଆଜି ମୋହର ମାରିଛନ୍ତି କେନ୍ଦ୍ର କ୍ୟାବିନେଟ।
- ପୋକ୍ସୋ ଆଇନରେ ସଂଶୋଧନ ଉପରେ କ୍ୟାବିନେଟ ମୋହର
- ୧୨ବର୍ଷରୁ କମ୍ ବୟସର ଶିଶୁକନ୍ୟାକୁ ଦୁଷ୍କର୍ମ କ୍ଷେତ୍ରରେ ଦୋଷୀକୁ ଫାଶୀ
- ଖୁବଶିଘ୍ର ପାର୍ଲାମେଣ୍ଟରେ ଅଣାଯିବ ବିଲ୍
- ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟ ନେଲା ନିଷ୍ପତ୍ତି
- ପୋକ୍ସୋ ଆଇନର ସଂଶୋଧନ ନେଇ ଏକ ଐତିହାସିକ ପଦକ୍ଷେପ
୧୨ ବର୍ଷ ବୟସରୁ କମ୍ ବୟସ୍କ ବାଳିକାଙ୍କ ସହ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହେଲେ ଏହି ଜଘନ୍ୟ ଅପରାଧ ପାଇଁ ଦୋଷୀକୁ ମୃତ୍ୟୁଦଣ୍ଡ ମିଳିବ। ତେଣୁ ଶିଶୁକନ୍ୟା ଯୌନ ନିର୍ଯାତନା ବିରୋଧରେ ଆଗରୁ ଥିବା ପୋକ୍ସୋ (ପ୍ରୋଟେକସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନସ୍) ଆଇନରେ ଅଣାଯିବ ଆବଶ୍ୟକ ସଂଶୋଧନ।
ଶନିବାରଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ବାବଦରେ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ପୋକ୍ସୋ ଆଇନକୁ ଆହୁରି ଶକ୍ତିଶାଳୀ କରିବା ନେଇ ଏହି ସଂଶୋଧନକୁ ମଞ୍ଜୁରୀ ମିଳିବା ଫଳରେ ନାବାଳିକାମାନଙ୍କ ସହ ହେଉଥିବା ଯୌନ ନିର୍ଯାତନା କ୍ଷେତ୍ରରେ ଦଣ୍ଡବିଧାନ ଆହୁରି କଡ଼ାକଡ଼ି ହେବାକୁ ଯାଉଛି।
ପ୍ରଚଳିତ ପୋକ୍ସୋ ଅଇନରେ ସଂଶୋଧନ ଲାଗି ଖୁବଶିଘ୍ର ପାର୍ଲାମେଣ୍ଟରେ ବିଲ୍ ଅଣାଯିବ। ଏହି ବିଲ ସଂସଦର ଉଭୟ ଗୃହରେ ଅନୁମୋଦନ ଲାଭ କଲେ ତାହା ବିଧିବଦ୍ଧ ଭାବେ ଆଇନରେ ପରିଣତ ହେବ। ତେଣୁ ଭାରତରେ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅପରାଧର ନିୟନ୍ତ୍ରଣ କ୍ଷେତ୍ରରେ ଏହା ଏକ ବଡ଼ ଆଇନଗତ ପଦକ୍ଷେପ ହେବାକୁ ଯାଉଛି।
ଜମ୍ମୁର କଠୁଆ ଏବଂ ଉତ୍ତର ପ୍ରଦେଶର ଉନ୍ନାଓରେ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ଗୁଜୁରାଟର ସୁରତ ଏବଂ ଓଡ଼ିଶାର ନୀଳଗିରିଠାରେ ନାବାଳିକା ଦୁଷ୍କର୍ମ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହିସବୁ ଘଟଣାରେ ସରକାରଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଥିଲା।
୧୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ ପାଇଁ ପୋକ୍ସୋ ଆଇନରେ ବ୍ୟବସ୍ଥା କରାଯିବ ବୋଲି ଶୁକ୍ରବାରଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ଅତିରିକ୍ତ ସଲିସିଟର ଜେନେରାଲ ପିଏସ ନରସିଂହା ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଅବଗତ କରାଇଥିଲେ।
କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ଉପସଚିବଙ୍କର ଏକ ଚିଠି ମଧ୍ୟ ସେ କୋର୍ଟରେ ଉପସ୍ଥାପନ କରିଥିଲେ। ପୋକ୍ସୋ ଆଇନ-୨୦୧୨ରେ ସଂଶୋଧନ ଆଣି ଶିଶୁଙ୍କ ବିରୋଧରେ ଦୁଷ୍କର୍ମ ଭଳି ଜଘନ୍ୟ ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ପାଇଁ ମନ୍ତ୍ରାଳୟ ପ୍ରସ୍ତାବ ଦେଇଥିଲା।
କଠୁଆରେ ଆଠ ବର୍ଷୀୟ ନାବାଳିକା ସହ ବଳାତ୍କାର ଓ ତା’ପରେ ହତ୍ୟା କରାଯିବା ଘଟଣାରେ ଦୋଷୀକୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି। ଏଭଳି ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯିବା ଦରକାର ସାରା ଦେଶରେ ଦାବି ଜୋର ଧରିଥିଲା।

















