ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ବହୁଚର୍ଚ୍ଚିତ ୨୦୧୯ ମସିହା ଓଡ଼ଗାଁ ଡବଲ ମର୍ଡର ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ମିଳିଛି। ଓଡଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ଏହି ମାମଲାରେ ଶୁଣାଣି କରି ଶୁକ୍ରବାର ଦୋଷୀ ନିରଞ୍ଜନ ମଲ୍ଲିକକୁ ଫାଶୀ ଦଣ୍ଡ ଦେଇଛନ୍ତି। ଏହା ନୟାଗଡ଼ର କୌଣସି ଅଦାଲତ ଫାଶୀ ଦଣ୍ଡାଦେଶ ଦେବାର ପ୍ରଥମ ଘଟଣା।

୨୦୧୯ ମସିହା ଜାନୁଆରି ମାସ ୧୭ ତାରିଖ ରାତିରେ ଓଡଗାଁ କୁଶଢ଼ିପ ଗ୍ରାମର ନିରଞ୍ଜନ ମଲ୍ଲିକ ଓଡଗାଁ ବଜାରର ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁଇ ଜଣ ହେଲେ ଓଡଗାଁ ଥାନା ରଙ୍ଗଣୀପାଟଣା ଜାମୁସାହି ଗ୍ରାମର ତ୍ରିଲୋଚନ ସେଠୀ ଏବଂ ଓଡଗାଁ ସିନେମା ହଲ ନିକଟରେ ରହୁଥିବା ବଦନୀ ପ୍ରଧାନ।

ସେହି ରାତିରେ ତ୍ରିଲୋଚନ ସେଠୀ ଓଡଗାଁ କୃଷକ ବଜାରରେ ରାତ୍ର ଜଗୁଆଳ ଭାବେ କାମ କରୁଥିବାବେଳେ ନିରଞ୍ଜନ ମଲ୍ଲିକ ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ଫଳରେ ତ୍ରିଲୋଚନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଏହାପରେ ନିରଞ୍ଜନ ମଲ୍ଲିକ ସିନେମା ହଲ ଛକକୁ ଯାଇ ବଦନୀ ପ୍ରଧାନଙ୍କ ଘରକୁ ଯାଇ ସେଠାରେ ବଦନୀ ପ୍ରଧାନ ଓ ତାଙ୍କ ଝିଅ ସୁଲୋଚନା ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ବଦନୀଙ୍କର ମୃତ୍ୟୁ ହୋଇଥିଲା ଏବଂ ସୁଲୋଚନା ଗୁରୁତର ଆହତ ହୋଇଥିଲେ।

ସେତିକିରେ ନିରଞ୍ଜନ ମଲ୍ଲିକର ଅପରାଧିକ ମାନସିକତା ଥମ ପଡ଼ିନଥିଲା। ସେଠାରୁ କିଛି ବାଟ ଯାଇ ସେ ଅନ୍ୟ ଦୁଇ ଜଣ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଭଳି ଏକ ଘଟଣାକୁ ନେଇ ସେଦିନ ଓଡଗାଁ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।

ସ୍ଥାନୀୟ ପୋଲିସ ଦୀର୍ଘ ଘଣ୍ଟାର କସରତ ପରେ ଅପରାଧୀକୁ ଆୟତ୍ତ କରିଥିଲେ। ଏହି ସମୟରେ ସେ  ତତ୍କାକାଳୀନ ଥାନା ଅଧିକାରୀଙ୍କ ସମେତ କିଛି ପୋଲିସଙ୍କୁ ମଧ୍ୟ ଆକ୍ରମଣ କରିବାରୁ ସେମାନେ ଆହତ ହୋଇଥିଲେ।

ଏହି ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଦାବିରେ ସ୍ଥାନୀୟ ଲୋକେ ଭୁବନେଶ୍ୱର-ଭଞ୍ଜନଗର ୨୧ ନଂ ରାଜ୍ୟ ରାଜପଥ ଦୀର୍ଘ ୯ ଘଣ୍ଟା ଧରି ଅବରୋଧ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହତ୍ୟାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ। ଏହାପରେ ରାସ୍ତାରୋକ ହଟିଥିଲା।  

ଏହି ଡବଲ ମର୍ଡର ମାମଲାରେ ମୃତ ତ୍ରିଲୋଚନ ସେଠୀଙ୍କ ପୁଅ ମନୋଜ ସେଠୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ହତ୍ୟା ମାମଲା ପଞ୍ଜିକୃତ ହୋଇ ଘଟଣାର ତଦନ୍ତ କରାଯାଇଥିଲା। ଶୁକ୍ରବାର ୨୭ ଜଣ ସାକ୍ଷୀଙ୍କ ବୟାନ, ପ୍ରମାଣ ଏବଂ ପୋଲିସ ତଦନ୍ତକୁ ଆଧାର କରି ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ପ୍ରକାଶିତ ରାୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ସୂଚିତ କରାଯାଇଛି। ଅତିରିକ୍ତ ପିପି ଇନ୍ଦୁଭୂଷଣ ମିଶ୍ର ସରକାରଙ୍କ ପକ୍ଷରୁ ଏହି  ମାମଲାର ପରିଚାଳନା କରୁଥିଲେ।

Tags: #Odagaon #2019DoubleMurderCase #Death Sentence #OdagaonCourt #Nayagarh

Comment