ଓଡ଼ିଶାଲାଇଭ୍ ବ୍ୟୁରୋ

କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଗୁରୁବାର କତାରର ଏକ ଅଦାଲତ ସମସ୍ତ ୮ ଜଣଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ ଲଗାଇଛନ୍ତି। ଏହି ମାମଲାରେ ଭାରତ ସରକାରଙ୍କ ଆବେଦନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି।

ମାମଲାର ଶୁଣାଣି ବେଳେ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କୋର୍ଟରେ ଉପସ୍ଥିତ ଥିଲେ। ତେବେ ପୂର୍ବତନ ନୌସେନା କର୍ମଚାରୀଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲାଗିବା ପରେ ମଧ୍ୟ ଏବେ ସେମାନଙ୍କୁ ଜେଲରେ ରଖାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ବେଳେ କୋର୍ଟ ଦଣ୍ଡାଦେଶ ଉପରେ ରାୟ ଶୁଣାଇବେ।

ତେବେ ଏହି ମାମଲାରେ ଗୁରୁବାର ଆସିଥିବା ରାୟକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ଵାଗତ କରିଛି। ମାମଲା ଆରମ୍ଭରୁ ଭାରତ ସରକାର ୮ ଜଣ ଅଧିକାରୀଙ୍କ ପରିବାର ସହିତ ଛିଡ଼ା ହୋଇଛନ୍ତି। ଏହାସହ ଭାରତ କ୍ରମାଗତ ଭାବେ କତାର ସରକାରଙ୍କ ନିକଟରେ ଏହି ମାମଲା ଉଠାଇଛି ଏବଂ ଆଗକୁ ମଧ୍ୟ ଆଇନଗତ ଲଢ଼େଇ ଜାରି ରହିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।  

ଏହି ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀ କତାରରେ ‘ଦେହରା ଗ୍ଲୋବାଲ’ ନାମକ ଏକ ବେସରକାରୀ ସୁରକ୍ଷା ସଂସ୍ଥାରେ କାର୍ଯ୍ୟରତ ଥିଲେ। ଏହି କମ୍ପାନି କତାର ସେନାକୁ ପ୍ରଶିକ୍ଷଣ ଦେବାସହ ଅନ୍ୟାନ୍ୟ ପ୍ରତିରକ୍ଷା ସେବା ଯୋଗାଉଥିଲା। କତାର ନୌସେନାର ବୁଡ଼ାଜାହାଜ ପ୍ରକଳ୍ପର ଗୁପ୍ତ ତଥ୍ୟ ହାସଲ କରିବା ଅଭିଯୋଗରେ ୨୦୨୨ ଅକ୍ଟୋବର ମାସରେ ଏମାନଙ୍କୁ ଗିରଫ କରଯାଇଥିଲା।  

ଏହାପରେ ଏହି ପୂର୍ବତନ ନୌସେନା କର୍ମଚାରୀମାନଙ୍କୁ କାତର ସରକାରଙ୍କ ସୁରକ୍ଷା ଏଜେନ୍ସି ପକ୍ଷରୁ ଜେରା କରାଯାଇଥିଲା। ହେଲେ ଏହାର କୌଣସି ରିପୋର୍ଟ ଭାରତ ସରକାରଙ୍କୁ ଦିଆଯାଇନଥିଲା। ପରେ ଏହି ମାମଲାରେ କତାରର ଏକ କୋର୍ଟ ଗିରଫ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ।

 Tags: #ExIndianNavyPersonnels #DeathSentence #DahraGlobalCase #Qatar

LEAVE A REPLY

Please enter your comment!
Please enter your name here