ଓଡ଼ିଶାଲାଇଭ୍ ବ୍ୟୁରୋ

କତାରରୁ ମୁକ୍ତ ହେଲେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀ। ଗୁପ୍ତଚର ଅଭିଯୋଗରେ ଏହି ପୂର୍ବତନ ନୌସେନା ଅଧିକାରୀମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ କତାର ସରକାର। ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ଅଧିକାରୀମାନଙ୍କୁ ମୁକ୍ତ କରାଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସକାଳେ ଏ ନେଇ ସୂଚନା ଜାରି କରାଯାଇଛି। ମୁକୁଳି ଥିବା ୮ ଜଣ ନୌସେନା ଅଧିକାରୀଙ୍କ ମଧ୍ୟରୁ ୭ ଜଣ କତାରରୁ ଭାରତକୁ ଫେରିଛନ୍ତି। ଜନ୍ମମାଟିକୁ ଫେରିଥିବାରୁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ପୂର୍ବତନ ନୌସେନା ଅଧିକାରୀମାନେ।

କତାରରେ ବନ୍ଦୀ ହୋଇଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀମାନେ ହେଉଛନ୍ତି କ୍ୟାପଟେନ ନବତେଜ ସିଂ ଗିଲ, କ୍ୟାପଟେନ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବୈଷ୍ଣବ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦ୍ର ତିୱାରୀ, କମାଣ୍ଡର ସୁଗୁନାକର ପାକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଏବଂ ନାବିକ ରାଗେଶ।

ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀ କତାରରେ ‘ଦେହରା ଗ୍ଲୋବାଲ’ ନାମକ ଏକ ବେସରକାରୀ ସୁରକ୍ଷା ସଂସ୍ଥାରେ କାର୍ଯ୍ୟରତ ଥିଲେ। ଏହି କମ୍ପାନି କତାର ସେନାକୁ ପ୍ରଶିକ୍ଷଣ ଦେବା ସହ ଅନ୍ୟାନ୍ୟ ପ୍ରତିରକ୍ଷା ସେବା ଯୋଗାଉଥିଲା।

କତାର ନୌସେନାର ବୁଡ଼ାଜାହାଜ ପ୍ରକଳ୍ପର ଗୁପ୍ତ ତଥ୍ୟ ହାସଲ କରିବା ଅଭିଯୋଗରେ ୨୦୨୨ ମସିହା ଅକ୍ଟୋବର ମାସରେ ଏମାନଙ୍କୁ ଗିରଫ କରଯାଇଥିଲା। ଏହାପରେ ସମସ୍ତଙ୍କୁ କତାର ସରକାରଙ୍କ ସୁରକ୍ଷା ଏଜେନ୍ସି ପକ୍ଷରୁ ଜେରା କରାଯାଇଥିଲା। ହେଲେ ଏହାର କୌଣସି ରିପୋର୍ଟ ଭାରତ ସରକାରଙ୍କୁ ଦିଆଯାଇନଥିଲା। ଏହାକୁ ବିରୋଧ କରି ଭାରତରେ କଡ଼ା ପ୍ରତିକ୍ରିୟା ଦେଖାଦେଇଥିଲା।

୨୦୨୩ ମସିହା ଅକ୍ଟୋବର ୨୬ ତାରିଖରେ କତାରର ଏକ କୋର୍ଟ ସମସ୍ତ ୮ ନୌସେନା ଅଧିକାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ।

୨୦୨୩ ମସିହା ଡିସେମ୍ବର ୨୮ ତାରିଖରେ ୮ ଜଣ ନୌସେନା ଅଧିକାରୀଙ୍କୁ ମିଳିଥିବା ମୃତ୍ୟୁଦଣ୍ଡ ଉପରେ ରୋକ ଲାଗିଥିଲା। ଭାରତ ସରକାରଙ୍କ ଆବେଦନ ଉପରେ ଶୁଣାଣି କରି କତାର କୋର୍ଟ ଏହି ରାୟ ପ୍ରଦାନ କରିଥିଲେ।

Tags: #ExIndianNavyPersonnels #DeathSentence #DahraGlobalCase #Qatar #QatarJail

LEAVE A REPLY

Please enter your comment!
Please enter your name here