ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୨ ଫିଫା ବିଶ୍ଵକପର ମେଗା ଫାଇନାଲରେ ଆର୍ଜେଣ୍ଟିନା ତୃତୀୟଥର ଲାଗି ଟାଇଟଲ ଜିତିଛି। ବିଶ୍ଵ ଚାମ୍ପିୟନ ହେବାର ୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି ଆର୍ଜେଣ୍ଟିନା। ରବିବାର କତାରର ଲୁସେଲ୍ ଆଇକନିକ ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଲିଅନେଲ ମେସିଙ୍କ ଦଳ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟ୍‌ରେ ୪-୨ ଗୋଲରେ ଗତଥରର ବିଶ୍ଵ ବିଜେତା ଫ୍ରାନ୍ସକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ମେସିଙ୍କ ଦୀର୍ଘ ଦିନର ସ୍ଵପ୍ନ ସାକାର ହୋଇଛି। ନିଜର ଶେଷ ବିଶ୍ଵକପ୍ ମ୍ୟାଚରେ ଦେଶକୁ ଟ୍ରଫି ଉପହାର ଦେଇଛନ୍ତି ମେସି। ଏହି ଟ୍ରଫି ଜିତି ଆର୍ଜେଣ୍ଟିନା ଦେଶର ମହାନ ତରକା ଡିଆଗୋ ମାରାଡୋନାଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।

ଅନ୍ୟପକ୍ଷରେ କିଲିୟାନ ଏମବାପେଙ୍କ ଚମତ୍କାର ହ୍ୟାଟ୍ରିକ୍‌ ଗୋଲ୍‌ ସତ୍ତ୍ୱେ ଫାଇନାଲରେ ପରାସ୍ତ ହୋଇ ଫ୍ରାନ୍ସର ତୃତୀୟ ବିଶ୍ଵକପ୍  ଚାମ୍ପିୟନ ହେବର ଆଶା ଭାଙ୍ଗିଯାଇଛି। ଲଗାତାର ଦ୍ଵିତୀୟ ଥର ପାଇଁ ଫାଇନାଲ୍‌କୁ ଆସିଥିବା ଫ୍ରାନ୍ସ ଟ୍ରଫି କବଜା କରିବାରେ ବିଫଳ ହୋଇଛି। ପରାଜୟ ସତ୍ତ୍ୱେ କିଲିଆନ୍‌ ଏମବାପେ କାତାର ସଂସ୍କରଣରେ ସର୍ବାଧିକ ୮ ଗୋଲ୍ ଦେଇ ଗୋଲ୍ଡେନ୍ ବୁଟ୍‌ ଜିତିଛନ୍ତି। ସେହିପରି ଲିଅନେଲ ମେସି ଚଳିତ ବିଶ୍ଵକପର ଶ୍ରେଷ୍ଠ ଖେଳାଳି ଭାବେ ଗୋଲ୍ଡେନ୍ ବଲ ପୁରସ୍କାର ପାଇଛନ୍ତି।

ଫାଇନାଲର ପ୍ରତିଟି ମୂହୁର୍ତ୍ତ ଅତି ରୋମାଞ୍ଚକର ଥିଲା। ଆରମ୍ଭରୁ ଆର୍ଜେଣ୍ଟିନା ଭାରି ଜଣାପଡୁଥିଲା ବେଳେ, ଫ୍ରାନ୍ସ ମଧ୍ୟ ଭଲ ରକ୍ଷଣ ଦେଖାଯାଉଥିଲା। ମ୍ୟାଚର ୨୨ତମ ମିନିଟ୍‌ରେ ଫ୍ରାନ୍ସର ଓସ୍‌ମାନ ଡେମ୍ବେଲେ ଗୋଲ୍ ପୋଷ୍ଟ ଅଞ୍ଚଳ ଭିତରେ ଆର୍ଜେଣ୍ଟିନାର ଏଞ୍ଜେଲ ଡି ମାରିଆଙ୍କୁ ଫାଉଲ୍‌ ମାରିବାରୁ ରେଫରି ଏହାକୁ ପେନାଲ୍ଟି ଘୋଷଣା କରିଥିଲେ। ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା ନକରି ମେସି ଗୋଲ୍‌ ସ୍କୋର କରିଥିଲେ। ସେହିପରି ୩୬ତମ ମିନିଟ୍‌ରେ ମେସିଙ୍କ ସହଯୋଗରେ ଆର୍ଜେଣ୍ଟିନା ଆଉ ଏକ ଗୋଲ୍‌ ଦେବାରେ ସଫଳ ହୋଇଥିଲା। ପଡ଼ିଆ ଅଧାରୁ ମେସିଙ୍କଠୁ ପାସ୍‌ ପାଇ ଅଲେକ୍ସି ମକାଲିଷ୍ଟର  ସିଧାସଳଖ ପୋଷ୍ଟ ପାଖକୁ ବଲ୍‌ ନେଇ ଦୌଡ଼ିଥିଲେ। ସେ ଫ୍ରାନ୍ସ ଡିଫେନ୍ସକୁ ଚକ୍‌ମା ଦେଇ ଡି ମାରିଆଙ୍କୁ ବଲ୍‌ ପାସ୍‌ କରିଥିଲେ। ଏଞ୍ଜେଲ ଡି ମାରିଆ ଏହାକୁ ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଆର୍ଜେଣ୍ଟିନା ୨-୦ରେ ଅଗ୍ରଣୀ ରହିଥିଲା।

ଏହାପରେ ମ୍ୟାଚର ୭୯ ମିନିଟ୍‌ରେ ନିକୋଲାସ୍‌ ଓଟାମେଣ୍ଡି ଫ୍ରାନ୍ସର ରାନ୍ଦାଲ୍‌ କୋଲୋ ମୁଆନିଙ୍କୁ ବଲ୍‌ ଚେସ୍‌ କରିବା ସମୟରେ ପୋଷ୍ଟ ଅଞ୍ଚଳ ଭିତରେ ଫାଉଲ୍‌ ମାରିବାରୁ ରେଫରି ଏହାକୁ ପେନାଲ୍ଟି ଘୋଷଣା କରିଥିଲେ। ଏହି ପେନାଲ୍ଟିରୁ କିଲିୟାନ ଏମ୍‌ବାପେ ୮୦ ମିନିଟ୍‌ରେ ଦଳ ପାଇଁ ପ୍ରଥମ ଗୋଲ କରିଥିଲେ। ସେ ଏତିକିରେ ଅଟକି ନଯାଇ ଗୋଟିଏ ମିନିଟ୍‌ ପରେ ପୁଣି ଏକ ଫିଲ୍ଡ ଗୋଲ୍‌ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ଏହି ଗୋଲ ବଳରେ ଫ୍ରାନ୍ସ ଖେଳକୁ ଏକ ନୂଆ ମୋଡ଼କୁ ନେଇଥିଲା।

ତେବେ ନିର୍ଦ୍ଧାରିତ ସମୟରେ ସ୍ଥିତି ବରାବର ରହିବାରୁ ମ୍ୟାଚ୍‌ ଅତିରିକ୍ତ ସମୟକୁ ଚାଲିଯାଇଥିଲା। ଏଥର ପୁଣି ଥରେ ମେସି ନିଜର ଯାଦୁ ଦେଖାଇ ୧୦୮ ମିନିଟରେ ଗୋଲରକ୍ଷକଙ୍କୁ ପରାସ୍ତ କରି ଗୋଲ୍‌ ଦେଇଥିଲେ। ଏହି ଗୋଲ୍‌ ବଳରେ ବିଶ୍ଵକପରେ ମେସିଙ୍କ ମୋଟ ଗୋଲ୍‌ ସଂଖ୍ୟା ୧୩ରେ ପହଞ୍ଚିଥିଲାବେଳେ, ଆର୍ଜେଣ୍ଟିନା ପାଇଁ ୯୮ତମ ଗୋଲ୍‌ ଦେଇଥିଲେ। କିନ୍ତୁ ୧୧୭ତମ ମିନିଟ୍‌ରେ ଫ୍ରାନ୍ସ ପୁଣି ଏକ ପେନାଲ୍ଟି ପାଇଥିଲାବେଳେ, ଏମ୍‌ବାପେ ହ୍ୟାଟ୍ରିକ୍‌ ଗୋଲ୍‌ ଦେଇ ମ୍ୟାଚ୍‌କୁ ୩-୩ରେ ପହଞ୍ଚାଇଥିଲେ। ଅତିରିକ୍ତ ସମୟରେ ଫଳାଫଳ ନବ‌ାହାରିବାରୁ ପେନାଲ୍ଟି ସୁଟଆଉଟ୍‌ ହୋଇଥିଲା,ଏଥିରେ ୪-୨ ଗୋଲରେ ଆର୍ଜେଣ୍ଟିନା ବିଜୟୀ ହୋଇଥିଲା।

Tags: #FIFAWorldCup2022 #Qatar #Argentina #champions #LionelMessi #France #Final #KylianEmbappe #ArgentinavsFrance #Football #FIFA #OdishaLive #Sports

LEAVE A REPLY

Please enter your comment!
Please enter your name here