ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ଫିଫା ବିଶ୍ୱକପରେ ଫ୍ରାନ୍ସ ଦ୍ଵିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ବୁଧବାର କତାରର ଅଲ୍ ବାୟତ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ମରକ୍କୋକୁ ୨-୦ ଗୋଲରେ ପରସ୍ତ କରିଛି ଫ୍ରାନ୍ସ। ଏଥିସହ ଦଳ ୨୦୧୮ ସଂସ୍କରଣ ଭଳି ଏଥର ମଧ୍ୟ ବିଶ୍ଵକପ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଆଫ୍ରିକୀୟ ଦେଶ ଭାବେ ଫିଫା ବିଶ୍ଵକପର ସେମିଫାଇନାଲରେ ପହଞ୍ଚିଥିବା ମରକ୍କୋର ପରାଜୟ ସହ ଟ୍ରଫି ହାତେଇବା ସ୍ଵପ୍ନ ଧୂଳିସାତ୍‌ ହୋଇଛି। ଶନିବାର କ୍ରୋଏସିଆ ସହିତ ମରକ୍କୋ ବିଶ୍ଵକପରେ ତୃତୀୟ ସ୍ଥାନ ପାଇଁ ହେବାକୁ ଥିବା ମ୍ୟାଚ୍ ଖେଳିବ।

ମ୍ୟାଚ୍ ଆରମ୍ଭରୁ ଡିଫେଣ୍ଡିଂ ଚାମ୍ପିୟାନ ଫ୍ରାନ୍ସ ନିଜର ଆଧିପତ୍ୟ ବିସ୍ତାର କରିଥିଲା। ମ୍ୟାଚର ପ୍ରଥମ ୫ ମିନିଟରେ ଖାତା ଖୋଲିଥିଲା ଫ୍ରାନ୍ସ। ଥିଓ ହେର୍ନାଣ୍ଡେଜ ଗୋଲଦେଇ ଫ୍ରାନ୍ସକୁ ଅଗ୍ରଣୀ କରାଇଥିଲେ। ମରକ୍କୋ ଗୋଲପୋଷ୍ଟ ନିକଟରେ ଏକାଧିକ ଫ୍ରାନ୍ସ ଖେଳାଳିଙ୍କ ମଧ୍ୟରେ ବଲ ପାସ୍‌ ମଧ୍ୟରେ ଏହି ଗୋଲଟି ହୋଇଥିଲା। ପ୍ରଥମେ ରାଫେଲ ଭାରାନଙ୍କଠାରୁ ଗ୍ରିଜମାନ ପାସ୍‌ ପାଇଥିଲେ। ସେ ପଛରେ ଥିବା ଏମ୍‌ବାପେଙ୍କ ନିକଟକୁ ବଲ୍‌ ବଢ଼ାଇ ଦେଇଥିଲେ। ଦୁଇଜଣ ଷ୍ଟ୍ରାଇକର ତାଙ୍କୁ ବ୍ଲକ୍‌ କରିଥିବା ଦେଖି ଏମ୍‌ବାପେ ବଲ୍‌କୁ ହେର୍ନାଣ୍ଡେଜଙ୍କ ନିକଟକୁ ପାସ୍‌ ଦେଇଥିଲେ। ଏହାପରେ ହେର୍ନାଣ୍ଡେଜ ଗୋଲ ଦେବାରେ ବିଳମ୍ବ କରିନଥିଲେ

ମ୍ୟାଚରେ ଜୋରଦାର ସଂଘର୍ଷ କରିଥିଲା ମରକ୍କୋ ମାତ୍ର ଫ୍ରାନ୍ସର ଆକ୍ରମଣାତ୍ମକ ଖେଳ ମରକ୍କୋର ଖେଳାଳିମାନଙ୍କୁ କିଛି କରିବାକୁ ମଉକା ଦେଇନଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଫ୍ରାନ୍ସ ପ୍ରଭାବୀ ରହିଥିଲା। ୭୯ତମ ମିନିଟରେ ଷ୍ଟ୍ରାଇକର ରାଣ୍ଡାଲ କୋଲୋ ମୁଆନି ଗୋଲଦେଇ ଫ୍ରାନ୍ସର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ଏହାଥିଲା ମୁଆନିଙ୍କର ପ୍ରଥମ ଅନ୍ତର୍ଜାତୀୟ ଗୋଲ। ରିପ୍ଲେସମେଣ୍ଟ ଭାବେ ଆସି ମୁଆନି ୪୪ ସେକେଣ୍ଡ ଭିତରେ ଏହି ଗୋଲ ଦେଇଥିଲେ।

ଫ୍ରାନ୍ସ ପକ୍ଷରୁ ୨ଟି ଗୋଲ ହେବାପରେ ମରକ୍କୋର ମନୋବଳ ଭାଙ୍ଗିଯାଇଥିଲା। ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ ମଧ୍ୟ ମରକ୍କୋ କୌଣସି ଗୋଲ ଦେଇପାରିନଥିଲା। ଏହି ବିଜୟ ସହ ଫ୍ରାନ୍ସ ବିଶ୍ଵକପ ଇତିହାସରେ ଚତୁର୍ଥ ଥର ଲାଗି ଫାଇନାଲରେ ପ୍ରବେଶ କରିଛି। ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ଚାମ୍ପିୟନ ହୋଇଥିବା ବେଳେ ୨୦୦୬ ମସିହା ବିଶ୍ଵକପରେ ଇଟାଲୀଠାରୁ ପରାସ୍ତ ହୋଇ ରନରଅପ୍‌ ହୋଇଥିଲା।

ଡିସେମ୍ବର ୧୮ ତାରିଖରେ କତାରର ଲୁସେଲ ଷ୍ଟାଡିୟମରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ୨୦୨୨ ଫିଫା ବିଶ୍ଵକପର ଫାଇନାଲ ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ଅନୁସାରେ ରାତି ୮ଟା ୩୦ମିନିଟରେ ଏହି ମ୍ୟାଚଟି ଆରମ୍ଭ ହେବ।

Tags: #FIFAWorldCup2022 #Qatar #SemiFinal2 #France #Morroco #Final #ArgentinavsFrance #Football #FIFA #OdishaLive #Sports

LEAVE A REPLY

Please enter your comment!
Please enter your name here