ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଫିଫା ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା ୩-୦ ଗୋଲରେ କ୍ରୋଏସିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଦୁଇଥର ଚାମ୍ପିୟନ ତଥା ଲିଅନେଲ ମେସିଙ୍କ ଦଳ ଆର୍ଜେଣ୍ଟିନା ଚଳିତବର୍ଷ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ୨୦୧୪ ମସିହାରେ ବିଶ୍ୱକପ୍ ଫାଇନାଲ ଖେଳିଥିବା ଆର୍ଜେଣ୍ଟିନା ଏବେ ପୁଣିଥରେ ଏହି ଉପଲବ୍ଧି ହାସଲ କରିଛି। ଏଥିସହ ୨୦୧୮ ସଂସ୍କରଣର ରନରଅପ୍‌ କ୍ରୋଏସିଆର ଟାଇଟଲ ଜିତିବା ଆଶା ଏଥର ମଧ୍ୟ ଅଧାରେ ଅଟକି ଯାଇଛି।

ପ୍ରଥମ ସେମିଫାଇନାଲର ପ୍ରତିଟି ମୂହୁର୍ତ୍ତ ଅତି ରୋମାଞ୍ଚକର ଥିଲା। ମ୍ୟାଚ୍ ଆରମ୍ଭରୁ କ୍ରୋଏସିଆ ଦଳ ଶୃଙ୍ଖଳିତ ପ୍ରଦର୍ଶନ ଆରମ୍ଭ କରି କ୍ଷେତ୍ର ରକ୍ଷଣରେ ଧ୍ୟାନ କେନ୍ଦ୍ରୀତ କରିଥିଲା। ମାତ୍ର ୩୪ ତମ ମିନିଟରେ କ୍ରୋଏସିଆର ଗୋଲକିପର ଡୋମିନିକ୍‌ ଲିଭାକୋଭିକ୍‌ ଆର୍ଜେଣ୍ଟିନାର ଷ୍ଟ୍ରାଇକର ଜୁଲିଆନ ଆଲଭାରେଜଙ୍କୁ ଏକ ଫାଉଲ୍ ମାରିବାରୁ ଆର୍ଜେଣ୍ଟିନାକୁ ପେନାଲ୍ଟି ମିଳିଥିଲା। ନିଜ ଜୀବନର ଶେଷ ବିଶ୍ଵକପ ଖେଳୁଥିବା ଲିଅନେଲ ମେସି ଏହି ପେନାଲ୍ଟିକୁ ଗୋଲରେ ପରିବର୍ତ୍ତନ କରିଥିଲେ। ଏହି ଗୋଲ ବଳରେ ମେସି ଆର୍ଜେଣ୍ଟିନା ପକ୍ଷରୁ ବିଶ୍ଵକପରେ ସର୍ବାଧିକ ଗୋଲ ଦେଇଥିବା ଖେଳାଳି ହୋଇଛନ୍ତି। ସେ ୧୧ଟି ଗୋଲ ବଳରେ ପୂର୍ବରୁ ଥିବା ଗାବ୍ରିଏଲ ବାତିସ୍ତୁତାଙ୍କ ରେକର୍ଡ ଭାଙ୍ଗିଛନ୍ତି।

ମ୍ୟାଚର ୩୯ତମ ମିନିଟରେ ଜୁଲିଆନ ଆଲ୍‌ଭାରେଜ ଏକ ଗୋଲ ଦେଇ ଆର୍ଜେଣ୍ଟିନାର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ମେସିଙ୍କଠାରୁ ବଲ୍‌ ପାଇ ଏହି ଯୁବ ଷ୍ଟ୍ରାଇକର କ୍ରୋଏସିଆର ଡିଫେନ୍ସକୁ ଭେଦକରିବା ସହ ଗୋଲକିପରଙ୍କୁ ଚତୁରତାର ସହ ଅତିକ୍ରମ କରି ଗୋଲ କରିବାରେ ସକ୍ଷମ ହୋଇଥିଲେ। ମ୍ୟାଚର ଦ୍ଵିତୀୟ ଭାଗରେ କ୍ରୋଏସିଆ ଗୋଲ ଦେବା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଥିଲା, ହେଲେ ଗୋଲ ଦେବାରେ ବିଫଳ ହୋଇଥିଲା।

କ୍ରୋଏସିଆର ଖେଳାଳିମାନେ ଗୋଲ ଦେବା ପାଇଁ ଆକ୍ରମଣ କରୁଥିବା ସମୟରେ ୬୯ତମ ମିନିଟରେ ମେସି ଏକାକୀ କ୍ରୋଏସିଆ ଖେଳାଳିଙ୍କୁ ଅତିକ୍ରମ କରି ବଲକୁ ଗୋଲପୋଷ୍ଟର ନିକଟରେ ପହଞ୍ଚାଇବାପରେ, ଜୁଲିଆନ ଆଲଭାରେଜଙ୍କ ନିକଟକୁ ପାସ୍‌ ଦେଇଥିଲେ। ଏହାପରେ ଆଲଭାରେଜ୍ ଦଳ ପାଇଁ ତୃତୀୟ ଗୋଲ ଦେଇଥିଲେ।

ଆର୍ଜେଣ୍ଟିନା ପକ୍ଷରୁ ୩ଟି ଗୋଲ ହେବାପରେ କ୍ରୋଏସିଆର ମନୋବଳ ଭାଙ୍ଗିଯାଇଥିଲା। ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ ମଧ୍ୟ କ୍ରୋଏସିଆ କୌଣସି ଗୋଲ ଦେଇପାରିନଥିଲା। ଏଥିସହ ଆର୍ଜେଣ୍ଟିନା ବିଜୟ ଲାଭ କରି ଫାଇନାଲକୁ ଯାଇଥିଲା। ଲିଓନେଲ ମେସି ନିଜ କ୍ୟାରିୟରର ୨୫ତମ ବିଶ୍ୱକପ ମ୍ୟାଚ ଖେଳିଥିଲେ। ଏ କ୍ଷେତ୍ରରେ ସେ ବିଶ୍ୱକପରେ ସର୍ବାଧିକ ମ୍ୟାଚ ଖେଳିବାରେ ଜର୍ମାନୀର ଲୋଥାର ମାଥ୍ୟୁସଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

୧୯୭୮ ଓ ୧୯୮୬ରେ ଚାମ୍ପିୟନ ଆର୍ଜେଣ୍ଟିନା ୧୯୩୦, ୧୯୯୦ ଓ ୨୦୧୪ରେ ରନରଅପ୍‌ ହୋଇଥିଲା। ୨୦୧୮ରେ ଦଳ ରାଉଣ୍ଡ ଅଫ୍‌ ୧୬ରୁ ବିଦାୟ ନେଇଥିଲା। ଏଥର ଫାଇନାଲରେ ପ୍ରବେଶ କରି ଦଳ ତୃତୀୟଥର ପାଇଁ ବିଶ୍ୱକପ ଜିତିବା ଆଶା ଉଜ୍ଜୀବିତ ରଖିଛି।

ବୁଧବାର କତାରର ଅଲ୍ ବାୟତ ଷ୍ଟାଡିୟମରେ ଫ୍ରାନ୍ସ ଓ ମରକ୍କୋ ମଧ୍ୟରେ ୨୦୨୨ ଫିଫା ବିଶ୍ଵକପରର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ଅନୁସାରେ ରାତି ୧୨ଟା ୩୦ ମିନିଟରେ ଏହି ମ୍ୟାଚଟି ଆରମ୍ଭ ହେବ।

Tags: #FIFAWorldCup2022 #Qatar #SemiFinal #LionelMessi #Argentina #Croatia #Football #FIFA #OdishaLive #Sports

Comment