ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଫିଫା ବିଶ୍ଵକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ଲିଓନେଲ୍‌ ମେସିଙ୍କ ଆର୍ଜେଣ୍ଟିନା ସହିତ କ୍ରୋଏସିଆର ମୁକାବିଲା ହେବ। ସେହିପରି ୨୦୧୮ ବିଶ୍ଵକପ୍ ବିଜେତା ଫ୍ରାନ୍ସ ଓ ଚଳିତ ବର୍ଷ ପ୍ରମୁଖ ଦଳ ଭାବେ ଉଭା ହୋଇଥିବା ମରକ୍କୋ ମଧ୍ୟରେ ବୁଧବାର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ବ୍ରାଜିଲ୍‌, ସ୍ପେନ୍‌, ପର୍ତ୍ତୁଗାଲ ଭଳି ଦଳ ଚଳିତବର୍ଷ ବିଶ୍ଵକପରୁ ବାଦ ପଡ଼ିବା ପରେ, ଏବେ ଏହି ଚରିଟି ଦଳ ବିଶ୍ଵକପ୍ ଟ୍ରଫି ପାଇଁ ଦାବିଦାର ଅଛନ୍ତି। ବିଶ୍ଵକପର ଫାଇନାଲ ନିକଟତର ହେବାକୁ ଲାଗିବା ବେଳେ ଏହି ଦେଶମାନଙ୍କ ମଧ୍ୟରେ ଆହୁରି ଅଧିକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ।

ଆର୍ଜେଣ୍ଟିନା ଶେଷଥର ପାଇଁ ୨୦୧୪ରେ ଫାଇନାଲ୍‌କୁ ଯାଇଥିଲା, କିନ୍ତୁ ଦଳ ଏଠାରେ ଉପବିଜେତା ହୋଇଥିଲା। ଆର୍ଜେଣ୍ଟିନା ୩୬ ବର୍ଷ ଧରି ଟ୍ରଫିରୁ ବଞ୍ଚିତ ଥିବାବେଳେ ୨୦୨୨ର କତାର ବିଶ୍ଵକପ ଏହାପାଇଁ ବଡ଼ ସୁଯୋଗ ସୃଷ୍ଟି କରିଛି। ସେହିପରି ବିଶ୍ଵକପର ୨୦୨୨ ସଂସ୍କରଣ ଲିଅନେଲ ମେସିଙ୍କ ଜୀବନର ଶେଷ ବିଶ୍ଵକପ ହେବାକୁ ଯାଉଥିବାରୁ ଦଳ ପାଇଁ ଟ୍ରଫି ଜିତିବା ତାଙ୍କର ସ୍ଵପ୍ନ ରହିଛି।

ଅପରପକ୍ଷେ କ୍ରୋଏସିଆ ଦଳକୁ ଛୋଟିଆ ମାନେ କରି ହେବନାହିଁ । ନିର୍ଦ୍ଧାରିତ ସମୟରେ ଦଳର ରକ୍ଷଣଭାଗ ପ୍ରତିପକ୍ଷଙ୍କୁ ଚାପରେ ପକାଇଦିଏ । ଯଦିବି ମ୍ୟାଚ୍‌ ‌ପେନାଲ୍ଟି ସୁଟ୍‌ଆଉଟକୁ ଯାଏ, ସେଠାରେ ଦଳର ସଫଳତା ଶତପ୍ରତିଶତ ରହିଛି। ଦଳର ଗୋଲ ରକ୍ଷକ ଡୋମିନିକ୍‌ ଲିଭାକୋଭିକ୍‌ ‌ପେନାଲ୍ଟି ସମୟରେ ଗୋଲ ପୋଷ୍ଟ ଆଗରେ ପାଚେରି ସଦୃଶ ଛିଡ଼ା ହୋଇ ବିପକ୍ଷ ଖେଳାଳିଙ୍କ ଗୋଲକୁ ରୋକିଦିଅନ୍ତି। ଉଭୟ ବ୍ରାଜିଲ୍‌ ଓ ଜାପାନ ସହିତ ଖେଳାଯାଇଥିବା ମ୍ୟାଚରେ ଲିଭାକୋଭିକ୍‌ ପେନାଲ୍ଟି ସୁଟ୍‌ଆଉଟ ହିରୋ ସାବ୍ୟସ୍ତ ହୋଇଥିଲେ।

ଆର୍ଜଣ୍ଟିନା ମଧ୍ୟ କ୍ଵାର୍ଟରଫାଇନାଲରେ ନେଦରଲାଣ୍ଡସକୁ ସୁଟ୍‌ଆଉଟ୍‌ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା। କ୍ରୋଏସିଆ ଭଳି ଦଳ ସହିତ ସୁଟ୍‌ଆଉଟ ଭଳି ରିସ୍କ ନେବା ଲିଓନେଲ୍‌ ମେସିଙ୍କ ଦଳକୁ ମହଙ୍ଗା ପଡ଼ିପାରେ। ତେଣୁ ନିର୍ଦ୍ଧାରିତ ସମୟ କିମ୍ବା ଅତିରିକ୍ତ ସମୟ ମଧ୍ୟରେ ଖେଳ ଶେଷ କରିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ।

ମଙ୍ଗଳବାର କତାରର ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ କ୍ରୋଏସିଆ ମଧ୍ୟରେ ୨୦୨୨ ଫିଫା ବିଶ୍ଵକପର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ଅନୁସାରେ ରାତି ୧୨ଟା ୩୦ ମିନିଟରେ ଏହି ମ୍ୟାଚଟି ଆରମ୍ଭ ହେବ।

Tags: #FIFAWorldCup2022 #Qatar #SemiFinal #Argentina #Croatia #Football #FIFA #OdishaLive #Sports

Comment