ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ଫିଫା ବିଶ୍ଵକପର ଫାଇନାଲ ମ୍ୟାଚରେ ଲିଓନେଲ୍‌ ମେସିଙ୍କ ଆର୍ଜେଣ୍ଟିନା ସହିତ ଫ୍ରାନ୍ସର ମୁକାବିଲା ହେବ। ବିଶ୍ଵକପ୍ ଫାଇନାଲରେ ଏହି ଦୁଇ ଦେଶ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ। ଚଳିତ ବିଶ୍ଵକପରେ ଉଭୟ ଆର୍ଜଣ୍ଟିନା ଓ ଫ୍ରାନ୍ସ ବିଶ୍ଵକପରେ ଭଲ ପ୍ରଦର୍ଶନ କରି ପ୍ରତିପକ୍ଷ ଦଳମାନଙ୍କୁ ବିଦାୟ ଦେଇଥିଲେ।

ଆର୍ଜେଣ୍ଟିନା ବିଶ୍ଵକପର ପ୍ରଥମ ସେମିଫାଇନାଲ ମ୍ୟାଚରେ କ୍ରୋଏସିଆକୁ ୩-୦ ଗୋଲରେ ପରାସ୍ତ କରିଥିଲା। ଏହି ଦକ୍ଷିଣ ଅମେରିକୀୟ ଦଳ ଶେଷଥର ପାଇଁ ୨୦୧୪ରେ ଫାଇନାଲକୁ ଯାଇଥିଲା, କିନ୍ତୁ ଏଠାରେ ଉପବିଜେତା ହୋଇଥିଲା। ଆର୍ଜେଣ୍ଟିନା ୩୬ ବର୍ଷ ଧରି ଟ୍ରଫିରୁ ବଞ୍ଚିତ ଥିବାବେଳେ, କତାର ବିଶ୍ଵକପ୍ ଏହାପାଇଁ ବଡ଼ ସୁଯୋଗ ସୃଷ୍ଟି କରିଛି। ସେହିପରି ୨୦୨୨ର ବିଶ୍ଵକପ୍ ସଂସ୍କରଣ ଲିଅନେଲ ମେସିଙ୍କ ଜୀବନର ଶେଷ ବିଶ୍ଵକପ୍ ହେବାକୁ ଯାଉଥିବାରୁ ଦଳ ପାଇଁ ଟ୍ରଫି ଜିତିବା ତାଙ୍କର ସ୍ଵପ୍ନ ରହିଛି।

୧୯୭୮ ଓ ୧୯୮୬ରେ ଚାମ୍ପିୟନ ହୋଇଥିବା ଆର୍ଜେଣ୍ଟିନା ୧୯୩୦, ୧୯୯୦ ଓ ୨୦୧୪ରେ ରନରଅପ୍‌ ହୋଇଥିଲା। ୨୦୧୮ରେ ଦଳ ରାଉଣ୍ଡ ଅଫ୍‌ ୧୬ରୁ ବିଦାୟ ନେଇଥିଲା। ଏଥର ଫାଇନାଲରେ ପ୍ରବେଶ କରି ଦଳ ତୃତୀୟଥର ପାଇଁ ବିଶ୍ୱକପ୍ ଜିତିବା ଆଶା ଉଜ୍ଜୀବିତ ରଖିଛି।

ଅପରପକ୍ଷେ ଫ୍ରାନ୍ସ ଦଳକୁ ଛୋଟିଆ ମାନେ କରି ହେବନାହିଁ। ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ମରକ୍କୋକୁ ୨-୦ ଗୋଲରେ ପରାସ୍ତ କରିଥିଲା ଫ୍ରାନ୍ସ। ଏଥିସହ ୨୦୧୮ ବିଶ୍ଵକପରେ ବିଜୟୀ ହୋଇଥିବା ଏହି ୟୁରୋପୀୟ ଦଳ ଏଥର ମଧ୍ୟ ବିଶ୍ଵକପ୍ ଫାଇନାଲରେ ପ୍ରବେଶ କରିଛି।

ବିଶ୍ଵକପ୍ ଇତିହାସରେ ଚତୁର୍ଥଥର ଲାଗି ଫାଇନାଲରେ ପ୍ରବେଶ କରିଥିବା ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ଚାମ୍ପିୟନ ହୋଇଥିଲା। ୨୦୦୬ ମସିହା ବିଶ୍ଵକପରେ ଇଟାଲୀଠାରୁ ପରାସ୍ତ ହୋଇ ରନରଅପ୍‌ ହୋଇଥିଲା। ଚଳିତବର୍ଷ ଫ୍ରାନ୍ସ ବିଶ୍ଵକପ୍ ଜିତି ତୃତୀୟଥର ଏହି ସଫଳତା ହାସଲ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

 

କତାରର ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ୨୦୨୨ ଫିଫା ବିଶ୍ଵକପର ଫାଇନାଲ ମ୍ୟାଚ୍ ଖେଳାଯିବ। ରବିବାର ଭାରତୀୟ ସମୟ ଅନୁସାରେ ରାତି ୮ଟା ୩୦ମିନିଟରେ ଏହି ମ୍ୟାଚଟି ଆରମ୍ଭ ହେବ।

Tags: #FIFAWorldCup2022 #Qatar #Argentina #France #Final #ArgentinavsFrance #Football #FIFA #OdishaLive #Sports

Comment