ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାଇବେଟିସ୍‌ ବା ମଧୁମେହ ରୋଗ ବର୍ତ୍ତମାନ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏକ ଆକଳନ ଅନୁଯାୟୀ  ଭାରତରେ ପ୍ରାୟ ୮୦ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ।

ଲକ୍ଷଣ

ଅଧିକ ଶୋଷ, ପରିସ୍ରା, ଭୋକ ହେବା, ଦୁର୍ବଳ ଲାଗିବା, ଓଜନ କମିବା, ବହୁ ଦିନ ପର୍ଯ୍ୟନ୍ତ କାଛୁକୁଣ୍ଡିଆ ରୋଗ ନ ଛାଡ଼ିବା ଆଦି ଏହି ରୋଗର ଲକ୍ଷଣ। ମୁଖ୍ୟତଃ ଇନ୍‌ସୁଲିନର ମାତ୍ରା କମିଲେ ହିଁ ଶରୀରରେ ଥିବା ରକ୍ତ ଶର୍କରା ବଢିଯାଇଥାଏ। ଆଉ ଆମକୁ ମଧୁମେହ ରୋଗ ହୋଇଥାଏ।

ମଧୁମେହର କାରଣ

ଲାଇଫଷ୍ଟାଇଲ୍

ପରିବର୍ତ୍ତିତ ଜୀବନଶୈଳୀ ଭିତରେ ଖାଦ୍ୟପେୟରେ ବି ପରିବର୍ତ୍ତନ ଘଟିଛି। ଯାହାଦ୍ଵାରା ନୂଆ ନୂଆ ରୋଗ ଶରୀର ମଧ୍ୟକୁ ପ୍ରବେଶ କରୁଛି। ତେଣୁ ଖାଦ୍ୟ ଗ୍ରହଣରେ ସତର୍କତା ଅବଲମ୍ବନ ନକଲେ ଶରୀରକୁ କ୍ଷତି ପହଞ୍ଚିବ ଏଥିରେ ସନ୍ଦେହ ନାହିଁ।  ଅଧିକ ମାତ୍ରାରେ ଜଙ୍କ ଫୁଡ୍, ଫ୍ରିଜ୍‌ରେ ଥିବା ଖାଦ୍ୟ ଗ୍ରହଣ ଓ ସଠିକ୍ ସମୟରେ ଖାଦ୍ୟ ନଖାଇଲେ ଶରୀରରେ ମଧୁମେହ ରୋଗ ଆଶଙ୍କା ରହିଥାଏ।

ଓଜନ ବୃଦ୍ଧି

ଶରୀରରେ ଆବଶ୍ୟକତାରୁ ଅଧିକ ଓଜନ ବୃଦ୍ଧି ହେଲେ ମଧୁମେହ ହେବାର ସମ୍ଭାବନା ମଧ୍ୟ ବଢିଥାଏ। ଅଧିକ ଓଜନ ଶରୀରରେ ଇନ୍‌ସୁଲିନ୍‌ ମାତ୍ରା ବୃଦ୍ଧିରେ ବାଧା ସୃଷ୍ଟି କରେ। ତେଣୁ ଓଜନ ନିୟନ୍ତ୍ରଣ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ।

ବଂଶଗତ ରୋଗ

ମଧୁମେହ ରୋଗ ଏକ ବଂଶଗତ ରୋଗ।  ବଂଶାନୁକ୍ରମିକ ଭାବେ ମଧୁମେହ ରୋଗ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯଦି ପରିବାରରେ କେହି ମଧୁମେହ ରୋଗରେ ଆକ୍ରାନ୍ତ ଥାନ୍ତି ସେହି ପରିବାରର ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ମଧୁମେହ ହେବାର ଯଥେଷ୍ଟ ଆଶଙ୍କା ଥାଏ।

ମଧୁମେହର ନିରାକରଣ

ନିୟମିତ ବ୍ୟାୟାମ-

ବିଳାଶପୁର୍ଣ୍ଣ ଜୀବନଶୈଳୀ ମଧୁମେହ ରୋଗର ମୁଖ୍ୟ କାରଣ ମଧ୍ୟରୁ ଅନ୍ୟତମ। ତେଣୁ ଶରୀରକୁଫୁର୍ତ୍ତୀ ରଖିବା ନିହାତି ଆବଶ୍ୟକ। ପ୍ରତିଦିନ ୩୦-୪୦ ମିନିଟ୍‌ ବ୍ୟାୟାମ କଲେ ମଧୁମେହ ରୋଗ ଆଶଙ୍କା କମିଥାଏ।

ସନ୍ତୁଳିତ ଆହାର

ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ। ଫଳ, ପନିପରିବା ଓ ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଉଚିତ୍‌। ଅଧିକ ସମୟ ଧରି ଖାଲି ପେଟରେ ରୁହନ୍ତୁ ନାହିଁ।

ଓଜନ ନିୟନ୍ତ୍ରଣ

ସଠିକ୍‌ ଖାଦ୍ୟ ଗ୍ରହଣ ଓ ନିୟମିତ ବ୍ୟାୟାମ ଦ୍ଵାରା ଓଜନ ଉପରେ ଯଦି ନିୟନ୍ତ୍ରଣ ରଖାଯାଏ ତେବେ ଶରୀରରେ ମଧୁମେହ ରୋଗକୁ ରୋକାଯାଇପାରିବ।

ପର୍ଯ୍ୟାପ୍ତ ନିଦ

ପ୍ରତିଦିନ ସାତରୁ ଆଠ ଘଣ୍ଟା ଶୋଇବା ଶରୀର ପାଇଁ ନିହାତି ଆବଶ୍ୟକ। ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ଓ ସକାଳେ ବିଳମ୍ବରେ ଉଠିବା ଦ୍ଵାରା ମଧୁମେହ ଓ ଉଚ୍ଚ ରକ୍ତଚାପର ସମ୍ଭାବନା ବଢିଥାଏ।

ଚିନ୍ତା ମୁକ୍ତ ରୁହନ୍ତୁ

ଆଜିର ଆଧୁନିକ ଜୀବନଶୈଳୀରେ ଚିନ୍ତା ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି। ତେଣୁ ଯଥାସମ୍ଭବ ଚିନ୍ତାରୁ ମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ।

LEAVE A REPLY

Please enter your comment!
Please enter your name here