ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ଜେସିକା ଲାଲ ହତ୍ୟାକାଣ୍ଡ ଘଟଣାରେ ଆସିଛି ନୂଆ ମୋଡ଼। ଜେଲରେ ସଜା କାଟୁଥିବା ହତ୍ୟାକାରୀ ମନୁଶର୍ମାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ପତ୍ର ଲେଖିଛନ୍ତି ଜେସିକାଙ୍କ ଭଉଣୀ ସବରୀନା ଲାଲ୍।
ମଡେଲ ଜେସିକା ଲାଲଙ୍କ ହତ୍ୟାକାଣ୍ଡକୁ ବିତିଛି ୧୯ବର୍ଷ। ୧୯୯୯ମସିହା ୨୯ ଏପ୍ରିଲରେ ହରିୟାଣା କଂଗ୍ରେସର ହେବିୱେଟ ନେତା ବିନୋଦ ଶର୍ମା(ଘଟଣା ପରେ କଂଗ୍ରେସ ଛାଡ଼ିଦେଇଥିଲେ)ଙ୍କ ପୁଅ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ମଡେଲ ଜେସିକାଙ୍କୁ ଗୁଳି ମାରିଥିଲେ।
ବାର୍ ବନ୍ଦ ହେବା ସମୟରେ ମନୁ ଶର୍ମା ଏଠାକୁ ଆସିଥିଲେ। ସେଥିପାଇଁ ମଦ ଦେବାକୁ ମନା କରିଥିଲେ ଜେସିକା। ମନୁ ପ୍ରଥମେ ଜେସିକାଙ୍କୁ ଡରାଇବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲେ। ତଥାପି ଜେସିକା ଭୟ ନକରି ମଦ ଦେବାକୁ ମନା କରିଦେଇଥିଲେ। ଏହାପରେ ମନୁ ଜେସିକାଙ୍କ ମୁଣ୍ଡରେ ଗୁଳି ମାରିଥିଲେ।
ଦକ୍ଷିଣ ଦିଲ୍ଲୀର ତମାରିଣ୍ଡା କୋର୍ଟ ନାମକ ଏକ ରେଷ୍ଟୁରାଣ୍ଟର ମାଲିକ ଓ ଡିଜାଇନର୍ ବୀଣା ରବାନୀଙ୍କ ପ୍ରାଇଭେଟ୍ ପାର୍ଟି ଚାଲିଥିଲା। ଏହି ସମୟରେ ଏଭଳି ଅଘଟଣ ଘଟିଥିଲା।
ଏହି ଘଟଣା ସେ ସମୟରେ ଦେଶରେ ଚହଳ ପକାଇଥିଲା। ହତ୍ୟାକାରୀ ମନୁ ଶର୍ମାଙ୍କ ପିତା ବିନୋଦ ଶର୍ମାଙ୍କୁ ଚଣ୍ଡିଗଡ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।
୨୦୦୬ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ୧୯୯୯ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ମନୁ ଶର୍ମା ତିହାର ଜେଲରେ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ।
“ଆମ ପରିବାର ମନୁଶର୍ମାଙ୍କୁ କ୍ଷମା କରିଦେଇଛି। ମନୁ ଶର୍ମାଙ୍କୁ ଜେଲରୁ ମୁକ୍ତି ଦେବା ନେଇ ଆମର କୌଣସି ଅସୁବିଧା ନାହିଁ। ମନୁ ଗତ କିଛିବର୍ଷ ହେଲା କଏଦୀଙ୍କୁ ବିଭିନ୍ନ କାମରେ ସହାୟତା କରୁଛି। ଏହାସହ ବିଭିନ୍ନ ସାମିଜିକ କାର୍ଯ୍ୟରେ ମଧ୍ୟ ମନୁ ଜଡ଼ିତ ରହିଛି। ଆଗ ଅପେକ୍ଷା ତା’ ମଧ୍ୟରେ ଅନେକ କିଛି ପରିବର୍ତ୍ତନ ଘଟିଛି”, ଜେସିକାଙ୍କ ଭଉଣୀ ସବରୀନା ଲାଲ ଏହା କହିଛନ୍ତି।
ଗତ ମାସରେ ତିହାର ଜେଲ ନଂ-୨ର ୱେଲଫେୟାର୍ ଅଫିସରଙ୍କ ପତ୍ର ଉତ୍ତର ଦେବାକୁ ଯାଇ ସବରିନା କହିଛନ୍ତି, “ମନୁ ୧୫ବର୍ଷ ସଜା କାଟି ସାରିଛନ୍ତି। ସବୁକିଛି ଭୁଲି ଆମେ ଆଗକୁ ବଢ଼ିବାକୁ ଚାହୁଁଛୁ। ଏଥିପାଇଁ ତାକୁ ଜେଲରୁ ମୁକ୍ତ କରିବାରେ ମୋର କୌଣସି ଅସୁବିଧା ନାହିଁ”।
ଗୁଡଗାଁଓରେ ରହୁଥିବା ସବରୀନା ଭିକ୍ଟିମ୍ ୱେଲଫେୟାର୍ ଫଣ୍ଡରୁ ଆର୍ଥିକ ସହାୟତା ନେବା ପାଇଁ ମନା କରିଦେଇଛନ୍ତି। ସେ କହିଛନ୍ତି ସହାୟତା ସେମାନଙ୍କୁ ଦିଆଯାଉ ଯେଉଁମାନଙ୍କୁ ଆର୍ଥିକ ଆବଶ୍ୟକତା ରହିଛି।
ମନୁ ଶର୍ମା ୧୫ବର୍ଷ ଧରି ଜେଲରେ ରହିସାରିଲେଣି। ଗତ ୬ମାସ ହେଲାଣି ସେ ଓପନ୍ ଜେଲରେ ଅଛନ୍ତି। ସେ ଭଲ କାମ, ଅନୁଶାସନ ଓ ଆଚରଣ, ରହୁଥିବା କାରଣରୁ ୫ବର୍ଷ ଜେଲ୍ରୁ ମୁକ୍ତି ପାଇଁ ଆବେଦନ କରିଛନ୍ତି।
୧୯୯୯ମସିହାରେ ଘଟିଥିବା ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ବିଷୟ ପାଲଟିଥିଲା। ଜେସିକାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଦାବି ଜୋର ଧରିଥିଲା।














